ପାଟ୍ରୋଲିଂ ବେଳେ ଧରାପଡିଲେ ୫ ଡକାୟତ
ଜଟଣୀ : ଜଟଣୀ ଥାନାଧିକାରୀ ଷ୍ଟାଲିନ ବିଶ୍ୱାଳଙ୍କ ନିର୍ଦ୍ଧେଶକ୍ରମେ ଅପରାଧିକ କାର୍ଯ୍ୟାବଳୀ ଉପରେ ରୋକ ଲଗାଇବା ଉଦେ୍ଧଶ୍ୟରେ ପେଟ୍ରୋଲିଂ କରାଯାଉଥିବା ବେଳେ ସ୍ଥାନୀୟ ରେଳବାଇ ଲୋକୋ କଲୋନୀ ଅଞ୍ଚଳର ମାଣିଆ ଛକ ନିକଟରେ ହରିପୁର ଓ ଡେଲାଙ୍ଗ ପାର୍ଶ୍ୱକୁ ଯାଉଥିବା ଯାନବାହାନ ଉପରେ ଡକାୟତି କରିବା ଉଦ୍ଦେଶ୍ୟରେ କିଛି ଦୁର୍ବୁତ୍ତ ଏକତ୍ରିତ ହୋଇଥିବା ସମ୍ପର୍କରେ ଏଏସ୍ଆଇ ଆକାଶ କୁମାର ବେହେରା ବିଶ୍ୱସ୍ତ ସୂଚନା ପାଇଥିଲେ । ତୁରନ୍ତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ପୁଲିସ ଦଳ ଜଟଣୀ ଥାନାଧିକାରୀଙ୍କୁ ସୂଚନା ଦେଇ ତାଙ୍କ ନିର୍ଦ୍ଦେଶକ୍ରମେ ଘଟଣାସ୍ଥଳକୁ ଯାଇଥିଲେ । ସତର୍କତାର ସହିତ ଅଞ୍ଚଳକୁ ଘେରାଉ କରି, ଶିବ ମନ୍ଦିର ନିକଟରେ ପାଞ୍ଚ ଜଣ ଅସାମାଜିକ ବ୍ୟକ୍ତିଙ୍କୁ ଏକତ୍ରିତ ହୋଇ ମଦ୍ୟପାନ କରୁଥିବା ଏବଂ ମାରାତ୍ମକ ଅସ୍ତ୍ରଶସ୍ତ୍ର ଧରିଥିବା ଅବସ୍ଥାରେ ଦେଖିଥିଲେ । ପୁଲିସର ଉପସ୍ଥିତି ଦେଖି ସେମାନେ ପଳାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ପୁଲିସ ପାଞ୍ଚଜଣଙ୍କୁ କାବୁ କରିଥିଲେ ।
ଗିରଫ ଅଭିଯୁକ୍ତ ହେଲେ ଖୁଦୁପୁର ଗ୍ରାମର ଜିତେନ୍ଦ୍ର ରାଉତରାୟ (୨୭), ରଥିପୁର ଗ୍ରାମର ଆନସାର ଶାହା (୨୪), ଗଜପତି ନଗର ଅଞ୍ଚଳର ସୁଜିତ କୁମାର ବିଶ୍ୱାଳ (୩୧), ବିବେକାନନ୍ଦ ସାହି ମାଛ ମାର୍କେଟ ଅଞ୍ଚଳର ଶ୍ୟାମ ସୁନ୍ଦର ବେହେରା (୨୧) ଏବଂ ଲୋକୋ କଲୋନୀ ଅଞ୍ଚଳର ମନୋଜ କୁମାର ନାଇକ (୪୦) ପଚରାଉଚରା ସମୟରେ ଅଭିଯୁକ୍ତମାନେ ଘଟଣାସ୍ଥଳରେ ସେମାନଙ୍କ ଉପସ୍ଥିତି ସମ୍ପର୍କରେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ ଏବଂ ମୋଟରସାଇକେଲ ଚାଳକ ଏବଂ ଚାରିଚକିଆ ଯାନ ଚାଳକ ମାନଙ୍କଠାରୁ ଡକାୟତି କରିବା ଉଦ୍ଦେଶ୍ୟରେ ସେମାନେ ଏକତ୍ରିତ ହୋଇଥିବା ସ୍ୱୀକାର କରିଥିଲେ । ଘଟଣାସ୍ଥଳରୁ ଅପରାଧୀ ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ଉଦ୍ଧାର କରି ଆଇନଗତ ପ୍ରକ୍ରିୟାରେ ଜବତ କରାଯାଇଥିଲା । ଅଭିଯୁକ୍ତ ଅନସାର ସାହା ଡକାୟତି ପ୍ରସ୍ତୁତି, ଚୋରି, ଆକ୍ରମଣ ଓ ଅସ୍ତ୍ରଶସ୍ତ୍ର ଆଇନ ଉଲ୍ଲଂଘନ ସମେତ ମୋଟ ୧୦ଟି ଗୁରୁତର ପୂର୍ବ ଅପରାଧିକ ମାମଲାରେ ଜଡିତ । ଅଭିଯୁକ୍ତ ସୁଜିତ କୁମାର ବିଶ୍ୱାଲ ୨ଟି ପୂର୍ବ ଅପରାଧିକ ମାମଲାରେ ଜଡିତ ଥିବା ବେଳେ, ଅଭିଯୁକ୍ତ ଶ୍ୟାମସୁନ୍ଦର ବେହେରା ଓ ମନୋଜ କୁମାର ନାୟକଙ୍କ ଅପରାଧିକ ପୂର୍ବାବଲୋକନ ଯାଞ୍ଚାଧୀନ ଅଛି । ଅଭିଯୁକ୍ତମାନଙ୍କ ବିରୋଧରେ ପର୍ଯ୍ୟାପ୍ତ ପ୍ରାଥମିକ ପ୍ରମାଣ ସ୍ଥାପିତ ହେବା ପରେ, ସମସ୍ତ ଆଇନଗତ ଔପଚାରିକତା ପୂରଣ କରି କେଶ ନମ୍ବର ୨୨/୨୬ ଆଧାରରେ ସେମାନଙ୍କୁ କୋର୍ଟକୁ ଚାଲାଣ କରାଯାଇଛି । ଏହି ମାମଲାର ଅଧିକ ତଦନ୍ତ ଜାରି ରହିଛି ।
Samir Kumar Rout