ପାଣି ପାଇଁ ମହିଳାଙ୍କ ରାସ୍ତାରୋକ

 ଗୋଲାମୁଣ୍ଡା : କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ବ୍ଲକର ଫରଙ୍ଗ ପଞ୍ଚାୟତ ଅନ୍ତର୍ଗତ ଅମଠା ଗ୍ରାମରରେ ମହିଳାମାନେ ପ୍ରତିଦିନ ପାଣି ପାଇଁ ସଂଘର୍ଷ କରୁଛନ୍ତି  । ବସୁଧା ଅଛି, ଘରକୁ ଘର ପାଇପ ସପ୍ଲାଇ ହୋଇଛି, ଷ୍ଟାଣ୍ଡପୋଷ୍ଟ ନିର୍ମାଣ ହୋଇ କି ଭାଙ୍ଗି ମଧ୍ୟ ଗଲାଣି ହେଲେ ଦିନେ ବି ପାଣି ଟୋପେ ପାଇ ନାହାନ୍ତି । ଫରଙ୍ଗ ଗ୍ରାମପଞ୍ଚାୟତର ସରପଞ୍ଚଙ୍କୁ ବାରମ୍ବାର ଜଣାଇଥିବା ସତ୍ତ୍ୱେ ଅମଠା ଗ୍ରାମର ହରିଜନ ପଡ଼ାକୁ ବସୁଧା ପାଣି ପହଞ୍ଚି ପାରିଥିଲା ନାହିଁ । 
ସେହିଭଳି ମେଗା ପ୍ରୋଜେକ୍ଟ ପକ୍ଷରୁ ପ୍ରତିଘରେ ପାଇପ ବିଛାଇ ପାଣି କନେକସନ କରାଯାଇଛି, କିନ୍ତୁ କେବେ ବି ପାଣି ଟୋପେ ପାଇ ନାହାନ୍ତି । ଗୋଲାମୁଣ୍ଡା ବ୍ଲକରେ ନିର୍ମାଣ ହେଉଥିବା ମେଗା ପ୍ରୋଜେକ୍ଟ କଥା ନ କହିଲେ ଭଲ । ଏହି ମେଗା ପ୍ରୋଜେକ୍ଟରେ ଟଙ୍କା ପ୍ରବଳ କିନ୍ତୁ କାମ ସମ୍ପୁର୍ଣ୍ଣ ଭାବେ ଦୁର୍ବଳ  । ବ୍ଲକର ୨୮ ଟି ପଞ୍ଚାୟତର   ୧୨୧ ଗାଁ ବଦଲରେ  ୧୨ଟି ଗାଁ କୁ ପାଣି ଯୋଗାଇ ଦିଆଯାଇଛି । ହେଲେ ଦୁର୍ଭାଗ୍ୟବଶତଃ ଅମଠା ଗ୍ରାମର ହରିଜନ ପଡାକୁ ପାଣି ଯାଉନଥିବାରୁ ଆଜି ଶତାଧିକ ମହିଳା ଗରା, ମାଠିଆ, ବାଲ୍ଟି ରଖି ବୃନ୍ଦାବାହାଲରୁ ଜାରିଙ୍ଗକୁ ସଂଯୋଜକ କରୁଥିବା ମୁଖ୍ୟ ରାସ୍ତା ଅବରୋଧ କରିଥିଲେ । ଦୀର୍ଘ ୬ ଘଣ୍ଟା ଯାଏଁ ଯାନ ବାହନ ଚଲା ଚଲ ବନ୍ଦ ରହିଥିଲା । ଗୋଲାମୁଣ୍ଡା  ଗ୍ରାମ୍ୟ ଜଳଯୋଗାଣ ଏ ଇ ଇ ରିତା ରାଣୀ କିସାନ ଆସି ବୁଝାସୁଝା କରି ପାଣି ଟ୍ୟାଙ୍କର ଯୋଗେ ଜଳ ଯୋଗାଇଦେବା ପାଇଁ ପ୍ରତିଶ୍ରୁତି ଦେଲେ ଏବଂ ସପ୍ତାହ ମଧ୍ୟରେ ମେଗା ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି କହିଥିଲେ ପରେ ରାସ୍ତାରୋକ ହଟିଥିଲା । ଏହି ରାସ୍ତା ରୋକ ରେ ଯମୁନା ବାଗ, ମୁକ୍ତା ସୁନାନୀ, ଯଶୋଦା ଠାକୁର, ସୁରଙ୍ଗିନୀ ତାଣ୍ଡି, ଅହଲ୍ୟା ସୁନାନୀ, ସିନେ ହରିଜନ, ସଭ୍ୟ ବିହାରୀ, ଦୁଖୀ ତାଣ୍ଡି, ନିରମତି ସୁନାନୀ, ପୂର୍ଣ୍ଣମୀ ବେନୂଆ, କୁନ୍ତୀ ବିହାରୀ, ରାଜମତି ସୁନାନୀ, ମମତା ଠାକୁର, ପ୍ରତିମା ସେନାପତି ପ୍ରମୁଖ ଉପସ୍ଥିତ ଥିଲେ ।