ପାରା ଆଇନ ସ୍ୱେଚ୍ଛାସେବୀ ତାଲିମ
କେନ୍ଦୁଝର : ଜିଲ୍ଲା ଆଇନ ସେବା ପ୍ରାଧିକରଣ, କେନ୍ଦୁଝର ସୌଜନ୍ୟରୁ ଦିନିକିଆ ପାରା ଆଇନ ସ୍ୱେଚ୍ଛାସେବୀ ତାଲିମ ଶିବିର ପ୍ରାଧିକରଣ ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ଭାରପ୍ରାପ୍ତ ଅଧ୍ୟକ୍ଷା ତଥା ଜିଲ୍ଲା ଜଜ୍ ରଶ୍ମିତା ଦଳାଇଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରାଧିକରଣ ସଚିବ ମାମୀ ବେହେରା ଯୋଗଦେଇ ପାରା ଆଇନ ସ୍ୱେଚ୍ଛାସେବୀ ମାନେ ଆତ୍ମ ବିଶ୍ୱାସର ସହ କାର୍ଯ୍ୟ କରିବା ଉଚିତ୍ ଓ ସ୍ୱଇଚ୍ଛାରେ ସେମାନେ ପ୍ରାପ୍ୟକୁ ଅଗ୍ରାଧିକାର ନଦେଇ ନିୟମ ଅନୁଶାସନରେ କାର୍ଯ୍ୟ କଲେ ଆଦିମ ଆଦିବାସୀ କେନ୍ଦୁଝର ଜିଲ୍ଲାର ଲୋକମାନେ ନ୍ୟାୟ ପାଇ ପାରିବେ ବୋଲି ମତ ଦେଇ ଏହି କାର୍ଯ୍ୟକ୍ରମରେ ସ୍ୱେଚ୍ଛାକୃତ ଭାବେ ଯୋଗ ଦେବାକୁ ସ୍ୱେଚ୍ଛାସେବୀମାନଙ୍କୁ ଆହ୍ୱାନ ଦେଇଥିଲେ । ପାନେଲ ଅଧିବକ୍ତା ସୁନୀଲ କୁମାର ମହାନ୍ତ ଓ କେଶବ କୁମାର ପାତ୍ର ଯୋଗଦେଇ ବିଭିନ୍ନ ଧାରା ଓ ଉପଧାରା ତଥା ପୁଲିସ ପାଖରେ ପ୍ରାଥମିକ ତଦନ୍ତ ରିପୋର୍ଟ(ଏଫ୍ଆଇଆର୍), ସରକାରୀ ଜନମଙ୍ଗଳକାରୀ ଯୋଜନା ଇତ୍ୟାଦି ଉପରେ ମତ ଦେଇଥିଲେ । ମୁଖ୍ୟବକ୍ତା ଭାବେ ପ୍ରାଧିକରଣ ସଦସ୍ୟ ଅକ୍ଷୟ କୁମାର ଚକ୍ର ଯୋଗଦେଇ ନିଜର ପୁରୁଣା ଅଭିଜ୍ଞତା ବର୍ଣ୍ଣନା କରିବା ସଂଗେ ସଂଗେ ପାରା ଆଇନ ସ୍ୱେଚ୍ଛାସେବୀମାନେ ନିଜର କର୍ତ୍ତବ୍ୟ, କ୍ଷମତା ଉପରେ ସଚେତନ ହୋଇ ଲୋକମାନଙ୍କର ସେବା କରିବା ସହ ସମାଜର ମଙ୍ଗଳ ବିଧାନ ନିମିତ୍ତ ମନୋବୃତ୍ତି ରଖିଲେ ପ୍ରକୃତ ପକ୍ଷେ ତାହା ପ୍ରଧାନ କାର୍ଯ୍ୟ ହୋଇପାରିବ ଓ ବିଭିନ୍ନ ଅଂଚଳରୁ ତଥ୍ୟ ସଂଗ୍ରହ କରି ସଫଳ କାହାଣୀ ସୃଷ୍ଟି କରିବାକୁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରାଧିକରଣ ଅଧିନରେ କାର୍ଯ୍ୟ କରୁଥିବା ସମସ୍ତ ପାରା ଆଇନ ସ୍ୱେଚ୍ଛାସେବୀ ଓ ପ୍ରାଧିକରଣ କର୍ମୀମାନେ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।