ସାଲେପୁର ମହୋତ୍ସବ ଉଦ୍ୟାପିତ
ସାଲେପୁର : ସାଲେପୁର ବଜାର ପଡିଆଠାରେ ମଧୁବାବୁ ଜୟନ୍ତୀ କମିଟି ପକ୍ଷରୁ ୪ଦିନ ଧରି ଚାଲିଥିବା ରାଜ୍ୟସ୍ତରୀୟ ମଧୁବାବୁ ଜୟନ୍ତୀ ଓ ସାଲେପୁର ମହୋତ୍ସବ ଉଦ୍ୟାପିତ ହୋଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ସଭାପତି ପ୍ରକାଶ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ୟାପନୀ ଉତ୍ସବରେ ଅତିଥି ଭାବେ କଟକ ସଦର ବିଧାୟକ ପ୍ରକାଶ ସେଠୀ, ବଡ଼ମ୍ବା ବିଧାୟକ ବିଜୟ ଦଳବେହେରା ଯୋଗଦେଇ ମଧୁବାବୁଙ୍କ ପାଇଁ ଏହି ଜାତି ଗର୍ବିତ । ଏହି ମାଟିକୁ ଆସି ଆମେ ନିଜକୁ ଧନ୍ୟ ମନେ କରୁଛୁ । ପ୍ରକାଶ ବାବୁ ଆଗାମୀ ପିଢ଼ି ମାନଙ୍କ ମନରେ ମଧୁବାବୁଙ୍କ ତ୍ୟାଗ ଓ ଓଡ଼ିଶା ପ୍ରତି ଅବଦାନ ସମ୍ପର୍କରେ ଅବଗତ କରାଇବା ପାଇଁ ଏ ଯେଉଁ ପ୍ରୟାସ କରିଛନ୍ତି, ତାହା ଉଚ୍ଚ କୋଟୀର ବୋଲି ପ୍ରକାଶ କରିବା ସହ ମଧୁବାବୁଙ୍କୁ ଭାରତରତ୍ନ ପ୍ରଦାନ ପାଇଁ ଦାବି ସେମାନେ ବିଧାନସଭାରେ ଉପସ୍ଥାପନ କରିବେ ବୋଲି ପ୍ରକାଶ କରିଥିଲେ । ପୂର୍ବତନ ବିଧାୟକ ପ୍ରକାଶ ବେହେରା ୧୯ବର୍ଷ ଧରି ସାଲେପୁର ବଜାର ପଡ଼ିଆଠାରେ ମଧୁବାବୁଙ୍କ ଜୟନ୍ତୀ ପାଳନ କରି ମଧୁବାବୁଙ୍କ ଆଦର୍ଶ, କାର୍ଯ୍ୟଦକ୍ଷତା ଓ ଦେଶପ୍ରେମୀ ବାର୍ତ୍ତାକୁ ଆଜିର ଆଗାମୀ ପୀଢ଼ୀଙ୍କୁ ଅବଗତ କରାଉଥିବାରୁ ତାହାକୁ ପ୍ରଶଂସା କରିଥିଲେ । ଏହି ଅବସରରେ କମିଟି ପକ୍ଷରୁ କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ବଲିଉଡ୍ର କଣ୍ଠଶିଳ୍ପୀ ଋତୁରାଜ ମହାନ୍ତି, ଓଲିଉଡ୍ ଅଭିନେତ୍ରୀ ଶୀତଲ ଓ ତାଙ୍କ ଗ୍ରୁପ୍ର କଳାକାରଙ୍କ ଦ୍ୱାରା ସଂଗୀତ ଶୁଣି ମନ୍ତ୍ରମୁଗ୍ଧ ହୋଇଥିଲେ ଦର୍ଶକ । ଏହି ଅବସରରେ ବାଲୁକା ଶିଳ୍ପୀଙ୍କ ଦ୍ୱାରା ବାଲୁକା କଳାକୃତି ଦର୍ଶକମାନଙ୍କ ପାଇଁ ମୁଖ୍ୟଆକର୍ଷଣ ପାଲଟିଥିଲା । ଉଦ୍ୟାପନୀ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଂପାଦକ ଅଶ୍ୱିନୀ ଦାସ, ଉପସଭାପତି ଶ୍ରୀକାନ୍ତ ପଣ୍ଡା, ଆଜମଲ ଖାଁ, ପୂର୍ଣ୍ଣିମା ବସ୍ତିଆ, ଲକ୍ଷ୍ମୀଧର ଖୁଣ୍ଟିଆ, ରମେଶ ବେହେରା, ବିନୀତ ରଞ୍ଜନ ବିଶ୍ୱାଳ, ରଘୁପତି ରାଉତ, ସଲିଳ ରଞ୍ଜନ ନାୟକ, ସନ୍ତୋଷ ଭୂୟାଁ, ମହେଶ୍ୱର ମଲ୍ଲିକ, ସରପଞ୍ଚ ରଶ୍ମିତା ଦାସ, ସମ୍ରାଟ କେଶରୀ ଲେଙ୍କାଙ୍କ ସମେତ ବହୁ ପଞ୍ଚାୟତର ଲୋକପ୍ରତିନିଧି ଉପସ୍ଥିତ ଥିଲେ । ଭିନ୍ନ ପଞ୍ଚାୟତରୁ ଆସିଥିବା ର୍ୟାଲି ଗୁଡିକୁ ଅନୁଷ୍ଠାନର ପ୍ରତିଷ୍ଠାତା ସଭାପତି ପ୍ରକାଶ ବେହେରା ସ୍ୱାଗତ ସମ୍ବର୍ଦ୍ଧନାକରି ସେମାନଙ୍କୁ ଉତ୍ସାହିତ କରିଥିଲେ । କଲିକତାର ଆତସବାଜି ଉଦ୍ୟାପନୀ ଉତ୍ସବରେ ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା ।