ପାୱାର କରିଡର କରାମତି ; ମନ୍ତ୍ରୀଙ୍କ ଚାପରେ ଭାଙ୍ଗିଲା ବେଆଇନ କୁକୁଡ଼ା ଦୋକାନ
କୁଆଖିଆ : ଗରିବ ଲୋକମାନେ ନିଜ ପରିବାର ପ୍ରତିପୋଷଣ ନିମନ୍ତେ ସରକାରୀ ଜାଗା ମାନଙ୍କରେ ଉଠା ଦୋକାନଟିଏ ପକେଇ ବିଭିନ୍ନ ବ୍ୟବସାୟ କରି ଗୁଜୁରାଣ ଚଳାଉ ଥିବା ବେଳେ ସରକାରଙ୍କ ଜବରଦଖଲ ଉଛେଦ ନୀତି ସେମାନଙ୍କ ପାଇଁ ଏବେ କାଳ ହେଇଛି ।
ଏଥିପାଇଁ ଯେ ଖୋଦ ମନ୍ତ୍ରୀଙ୍କ ହସ୍ତକ୍ଷେପ କରିବାକୁ ପଡିଛି ଏହାକୁ ନେଇ ରସୁଲପୁର ବ୍ଲକ ଅଞ୍ଚଳରେ ଚର୍ଚ୍ଚା ଧରିଛି । ସୂଚନା ଅନୁଯାୟୀ ରସୁଲପୁର ତହସିଲ ଅନ୍ତର୍ଗତ କୁଆଖିଆ-ଯାବରାରୋଡ଼ର ନଠୁଆବର ହାଟ ରାସ୍ତାକୁ ଲାଗିଥିବା ସେହି ଗ୍ରାମର ଚିନ୍ମୟ ପଣ୍ଡାଙ୍କ ଖାତା-୨୮୪, ପ୍ଲଟ -୨୧୬୧, ଏଓ-୩ ଡେସିମିଲ ଜମିରେ ନିଜସ୍ୱ ଦୋକାନ ଘର ରହିଛି । ଉକ୍ତ ଘର କୁ ଲାଗି ସେହି ଗ୍ରାମର ମାନସ ମଲିକ, ଅଶୋକ ମଲିକ ଓ ମନୋଜ ମଲିକ ଏକ କୁକୁଡ଼ା ଦୋକାନ କରିଥିଲେ । ଏହାକୁ ଜମିର ମାଲିକ ଚିନ୍ମୟ ପଣ୍ଡା ବିରୋଧ କରି ପ୍ରଶାସନ ର ଦ୍ୱାରସ୍ତ ହେଇ ଜଣାଇବା ପରେ ରସୁଲପୁର ତହସିଲଦାର ଗତ ୨୮ା୫ା୨୦୨୫ ରେ ବିବାଦୀ ମାନଙ୍କୁ ଜବରଦଖଲ ଉଛେଦ ନୋଟିସ ଜାରି କରିଥିଲେ । କିନ୍ତୁ, ଏଥିରେ କୌଣସି ସୁଫଳ ନପାଇବାରୁ ପ୍ରତିବାଦୀ ଚିନ୍ମୟ ପଣ୍ଡା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶିବିରରେ ଜଣାଇଥିଲେ । ମୁଖ୍ୟମନ୍ତ୍ରୀ ଅଭିଯୋଗଟିକୁ ବିଭାଗୀୟ ମନ୍ତ୍ରୀଙ୍କ ନିକଟକୁ ପଠାଇବା ପରେ ମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ଆଜି ରସୁଲପୁର ତହସିଲଦାର ସିଦ୍ଧାର୍ଥ କୁମାର ବେହେରା ସକାଳ ୧୦ଟା ବେଳେ ପୁଲିସ ପ୍ରଶାସନକୁ ନେଇ ବେଆଇନ ଦୋକାନକୁ ଭାଙ୍ଗିବା ପାଇଁ ହାଟ ଉପରେ ପହଁଚିବା ପରେ ବିପକ୍ଷ ମାନେ ଉଛେଦକୁ ବିରୋଧ କରି ହାଟ ଉପରେ ଥିବା ବେଆଇନ ଦୋକାନ ଗୁଡିକୁ ନଭାଙ୍ଗି ଜଣେ ବ୍ୟକ୍ତିର ଘରକୁ କାହିଁକି ଭାଙ୍ଗୁଛନ୍ତି ବୋଲି ତହସିଲଦାରଙ୍କୁ ପ୍ରଶ୍ନ କରିଥିଲେ । ଯେହେତୁ ଚିନ୍ମୟ ପଣ୍ଡାଙ୍କ ବ୍ୟକ୍ତିଗତ ଜମି ଉପରେ ଦୋକାନ ଅଛି ସେଥିପାଇଁ ଉଛେଦ ନିର୍ଦେଶ ଥିବାରୁ ଭଙ୍ଗା ଯାଉଛି ବୋଲି ତହସିଲଦାର ସେମାନଙ୍କୁ ବୁଝାଇବା ପରେ ବିବାଦୀ ମାନେ ସେମାନଙ୍କ ଦୋକାନକୁ ଉଠାଇ ନେଇଥିଲେ । ତେବେ ଏହି ଉଛେଦ ଘଟଣାକୁ ନେଇ ଉକ୍ତ ଅଞ୍ଚଳରେ ରାଜନୈତିକ ଚର୍ଚ୍ଚା ଜୋର ଧରିଥିବା ବେଳେ ପାୱାର କରିଡର ଆଗରେ ସ୍ଥାନୀୟ ଲୋକପ୍ରତିନିଧି ଏବଂ ପ୍ରଶାସନ ଗୌଣ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଥିବା ବେଳେ ହାଟ ଉପରୁ ଅନ୍ୟ ବେଆଇନ ଦୋକାନ ଗୁଡିକ ସରକାର କେବେ ଭାଙ୍ଗିବେ ବୋଲି ଲୋକମାନେ ପ୍ରଶ୍ନ କରିଛନ୍ତି ।