ପୁରୀକୁ ଅପରାଧମୁକ୍ତ କରିବାକୁ ପୁଲିସର ଅଭିଯାନ
ପୁରୀ : ପୁରୀ ସହରକୁ ଅପରାଧମୁକ୍ତ କରିବା ପାଇଁ ଅଭିଯାନ ଆରମ୍ଭ କରିଛି ପୁଲିସ । ଏହି କ୍ରମରେ ଗୋପାଳ ନାୟକ ନାମକ ଜଣେ ବ୍ୟକ୍ତିକୁ ଗିରଫ କରିବା ସହ ସମୁଦ୍ରକୂଳ ଥାନା ପୁଲିସ ତା’ଠାରୁ ୯ଗ୍ରାମ୍ ବ୍ରାଉନସୁଗାର ଓ ନଗଦ ୧ହଜାର ଟଙ୍କା ଜବତ କରିଛି । ଗୋପାଳ ନାୟକ ବିରୁଦ୍ଧରେ ପୂର୍ବରୁ ୫ଟି ମାମଲା ରହିଛି । ଜିଲ୍ଳା ପୋଲିସ ମୁଖ୍ୟାଳୟ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମଳନୀରେ ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂ ପ୍ରକାଶ କରିଛନ୍ତି ଯେ, ଗତ ୨୪ଘଣ୍ଟାରେ ପୁଲିସକୁ ଏହା ସମେତ ଅନେକ ସଫଳତା ମିଳିଛି । ଟାଉନଥାନା ଓ କୁମ୍ଭାରପଡ଼ା ଥାନା ପୁଲିସର ମିଳିତ ଟିମ୍ ୨ଜଣ ଲୁଟେରାଙ୍କୁ ଗିରଫ କରିଛନ୍ତି । ସେମାନେ ମହିଳାଙ୍କ ଭ୍ୟାନିଟ୍ ଓ ପର୍ସ ଚୋରି କରୁଥିଲେ । ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ସୂର୍ଯ୍ୟନାରାୟଣ ପରିଡ଼ା ଓରଫ ବାଦଲ ଏବଂ ବିଶ୍ୱଜିତ୍ ଦଳେଇ ଓରଫ ବିଶୁ । ସେହିଭଳି ବାସେଳୀ ସାହି ଥାନା ପୁଲିସ ଜଣେ ଅସାମାଜିକ ବ୍ୟକ୍ତିକୁ ଗିରଫ କରିଛି । ଏହି ବ୍ୟକ୍ତି ଜଣକ ଲୋକମାନଙ୍କୁ ଧମକଚମକ ଦେଇ ଦାଦାବଟି ମାଗୁଥିଲା । ଆରକ୍ଷୀ ଅଧୀକ୍ଷକ ଶ୍ରୀ ସିଂ ସୂଚନା ଦେଇଥିଲେ ଯେ, ପୁଲିସ ଏକ ବାଇକ୍ ଚୋରି ର୍ୟାକେଟ୍ର ପର୍ଦ୍ଦାଫାସ କରିଛି । ଏହି ମାମଲାରେ ୩ଜଣଙ୍କୁ ଗିରଫ କରାଯିବା ସଂଗେସଂଗେ ସେମାନଙ୍କ ପାଖରୁ ୬ଟି ବାଇକ୍ ଜବତ କରାଯାଇଛି । ଏହାଛଡ଼ା ବାହାରେ ବସି ଖୋଲାଖୋଲି ଭାବେ ମଦ୍ୟପାନ କରିବା କିମ୍ବା ନିଶା ସେବନ କରୁଥିବା, ବେଆଇନ୍ କାର୍ଯ୍ୟକଳାପରେ ଲିପ୍ତ ଥିବା ଏବଂ ଭୟର ବାତାବରଣ ସୃଷ୍ଟି କରୁଥିବା ଲୋକମାନଙ୍କୁ ଧରିବା ପାଇଁ ମିଳିତ ଅଭିଯାନ କରାଯାଇଥିଲା । ଏହି ଅଭିଯାନରେ ୧୨ଜଣଙ୍କୁ ଅଟକ ରଖାଯାଇଛି ।