ପାନୀୟଜଳ ଅପଚୟ, ବଢୁଛି ଅସନ୍ତୋଷ
କାକଟପୁରରୁ ଆଦିତ୍ୟ ରାଉତ : ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର ବିଭିନ୍ନ ପଞ୍ଚାୟତକୁ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ପାଇପ୍ ଯୋଗେ ପିଇବା ପାଣି ଯୋଗାଇ ଦିଆଯାଇଛି । କିନ୍ତୁ ଖାଲି ପାଇପ୍ ଲାଇନ ବିଛେଇ ଦେଇ ଚୁପ ବସିଛି ବିଭାଗ । ଯାହାର ଏକ ନଗ୍ନ ଚିତ୍ର ଦେଖିବାକୁ ମିଳିଛି ଅସ୍ତରଙ୍ଗରେ ଥିବା ବାଳିକା ଉଚ୍ଚବିଦ୍ୟାଳୟ ଓ ଖଣ୍ଡାସାହି ନଦୀ ବନ୍ଧ ଛକରେ । ଏଠାରେ ବିଦ୍ୟାଳୟକୁ ପିଲାମାନେ ପିଇବା ପାଇଁ ଦିଆଯାଇଥିବା ପାଣି ପାଇପ୍ଟି ଷ୍ଟାଣ୍ଡ ପୋଷ୍ଟ ନଥିବା କାରଣରୁ ମାସ ମାସ ହେଲାଣି ଅନବରତ ପାଣି ବାହାରି ଅଯଥା ଅପଚୟ ହେଉଛି । ସେହି ବିଷୟରେ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଜଣାଇବା ପରେ ମଧ୍ୟ କିଛି ସୁଫଳ ମିଳୁନାହିଁ । ବରଂ ଅଧିକାରୀ କହୁଛନ୍ତି ଯଦି ପାଣି ନଷ୍ଟ ହେଉଛି, ତାହାଲେ ତୁମେ ଖବର କରି ଦିଅ । ଏ କଥା ବିଭାଗୀୟ ଅଧିକାରୀ ଜଣକ କ’ଣ ପାଇଁ କହିଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିବା ସହ ଚତୁର୍ଥ ସ୍ତମ୍ଭ ପ୍ରତି ଅସମ୍ମାନ ବାର୍ତ୍ତା ସୃଷ୍ଟି କରିଛି । ଅସ୍ତରଙ୍ଗ ବ୍ଲକରେ ଦୀର୍ଘଦିନ ଧରି ଏକ ବଡ଼ ସମସ୍ୟା ଭାବେ ରହି ଆସିଛି ପାନୀୟ ଜଳ ସମସ୍ୟା । ବ୍ଲକର ନଗର, ଅଳସାହି, ନୂଆଗଡ଼, ଝାଡ଼ଲିଙ୍ଗ, ପାଟଳଦା, ଛୁରିଆନା, ଶିଶୁଅ ପ୍ରଭୁତି ପଞ୍ଚାୟତର ଲୋକମାନେ ପିଇବା ପାଣି ଟିକେ ପାଇଁ ଡହଳ ବିକଳ ହେଉଥିବା ବେଳେ ଏଠି ହଜାର ହଜାର ଲିଟର ପାଣି ଅଯଥା ବୋହି ଯାଉଛି । ଯାହାଫଳରେ ପାଣି ପ୍ରେସ୍ର କମିବାରୁ ଉପରମୁଣ୍ଡରେ ଥିବା ଲୋକମାନେ ପିଇବା ପାଣି ପାଇବାରୁ ବଞ୍ଚିତ ହେଉଛନ୍ତି । ଏଠାରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଦୃଶ୍ୟ କି ଗୋଟେ ସ୍କୁଲ ପରିସରରେ ଏପରି ସମସ୍ୟା ଥିଲେ ମଧ୍ୟ ତାର ସମାଧାନ ହୋଇପାରୁନି । ଉକ୍ତ ବିଷୟରେ ବିଭାଗୀୟ ଯନ୍ତ୍ରୀ ସତ୍ୟ ମହାନ୍ତି କୁହନ୍ତି ମୁଁ କିଛି ଜାଣିନି ତୁମେ ଖବର କର ତା ପରେ ଦେଖିବା । ସେ ଯାହା ହେଉନା କାହିଁକି ତୁରନ୍ତ ବିଭାଗୀୟ ଅଧିକାରୀମାନେ ଉକ୍ତ ସମସ୍ୟାକୁ ଗୁରୁତର ସହିତ ଗ୍ରହଣ କରି ଯଥାଶୀଘ୍ର ସେଠି ଏକ ଷ୍ଟାଣ୍ଡ ପୋଷ୍ଟ କାମ ସାରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । ନଚେତ ଆଗାମୀ ଦିନରେ ମିଳିତ ସାମ୍ବାଦିକ ମଞ୍ଚ ତରଫରୁ ଜିଲ୍ଲାପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଏ ସମସ୍ୟାର ସମାଧାନ ପାଇଁ ଅଭିଯୋଗ କରାଯିବା ନେଇ ସାମ୍ବାଦିକଙ୍କ ଭିତରେ ଆଲୋଚନା ହୋଇଛି ।