ପ୍ରବାସୀ ଭାରତୀୟଙ୍କୁ ସ୍ୱାଗତ ପ୍ରସ୍ତୁତି
ପୁରୀ: ଆଉ ଦିନ କେଇଟା ପରେ ପ୍ରବାସୀ ଭାରତୀୟମାନଙ୍କର ସମ୍ମିଳନୀ ଅନୁଷ୍ଠିତ ହେବ । ଆସନ୍ତା ୮ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବସରରେ ସମ୍ମିଳନୀରେ ଯୋଗଦେବାକୁ ଆସୁଥିବା ପ୍ରବାସୀ ଭାରତୀୟମାନେ ପୁରୀ ଆସିବାର କାର୍ଯ୍ୟକ୍ରମ ରହିଛି । ସେମାନଙ୍କୁ ସ୍ୱାଗତ କରିବା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ରହିଛି । ପ୍ରବାସୀ ଭାରତୀୟମାନେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ବ୍ଲୁ ଫ୍ଲାଗ୍ ବିଚ୍, ସାତପଡ଼ା, ରାମଚଣ୍ଡୀ, କୋଣାର୍କ, ରଘୁରାଜପୁର ଇତ୍ୟାଦି ଅଞ୍ଚଳ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସୂଚନା ଦେଇଛନ୍ତି । ପ୍ରବାସୀ ଭାରତୀୟ ଦିବସ ପାଳନ ସହ ସମସ୍ତ ବ୍ୟକ୍ତି ବିଶେଷ ଯେଭଳି ଏକ ସୁଖଦ ଅନୁଭବ ନେଇ ପୁରୀ ଜିଲ୍ଳାରୁ ଫେରିବେ ସେଥିପାଇଁ ସମସ୍ତ ବ୍ୟବସ୍ଥାକୁ ଚୂଡାନ୍ତ ରୂପ ଦିଆଯାଉଛି ବୋଲି ଜିଲ୍ଲାପାଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେମାନଙ୍କ ଗସ୍ତ ସମୟରେ ପ୍ରତି ଦଳ ସହ ସ୍ୱତନ୍ତ୍ର ଟିମ୍ ମୁତୟନ ରହିବେ । ଏଥିପାଇଁ ଜିଲ୍ଳା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସହରର ସ୍ୱଚ୍ଛତା ରକ୍ଷା, ଶୃଙ୍ଖଳା, ଟ୍ରାଫିକ ନିୟନ୍ତ୍ରଣ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇଛି । ସ୍ୱର୍ଣ୍ଣାଭ ବେଳାଭୂମିରେ ବାହୁଲକାକଳା, ପୁଷ୍ପପ୍ରଦର୍ଶନୀ, ଖାଦ୍ୟ ମେଳା, ବିଚ୍ ସ୍ପୋର୍ଟ୍ସ, ପ୍ରଲ୍ଲିଶ୍ରୀ ମେଳା, ଗୁଡ଼ି ଉଡ଼ାଣ ସହ ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ପ୍ରବାସୀ ଭାରତୀୟଙ୍କୁ ପୁରୀବାସୀ ଅତିଥି ଭାବେ ସ୍ୱାଗତ ଜଣାଇବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି ।