ପୁଲିସ୍ କମିଶନରେଟର ସ୍ଥାପନା ଦିବସ : ‘ପୁଲିସ୍ ନିଜକୁ ଲୋକଙ୍କ ବନ୍ଧୁ ଭାବନ୍ତୁ’
ଭୁବନେଶ୍ୱର : କଟକ-ଭୁବନେଶ୍ୱରର ୨୨ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ନିମନ୍ତେ ଅପରାଧ ନିୟନ୍ତ୍ରଣ, ଆଇନ ଶୃଙ୍ଖଳା ରକ୍ଷା ଏବଂ ଟ୍ରାଫିକ୍ ସମସ୍ୟା ଦୂର କରିବାରେ ଆମ କମିଶନରେଟ ପୁଲିସ ଦକ୍ଷତାର ସହ କାର୍ଯ୍ୟ କରୁଛି । ଦେଶରେ ଥିବା ସମସ୍ତ କମିଶନରେଟ ପୁଲିସ ମଧ୍ୟରେ ଭୁବନେଶ୍ୱର-କଟକ କମିଶନରେଟ ଏକ ଦକ୍ଷ, ଉନ୍ନତ, ଦାୟିତ୍ୱବାନ୍ ଓ ସମ୍ବେଦନଶୀଳ ପୁଲିସ ଭାବରେ ଜନସାଧାରଣଙ୍କୁ ସେବା ଯୋଗାଇ ଦେଇ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଭୁବନେଶ୍ୱର-କଟକ କମିଶନରେଟ ପୁଲିସର ୧୭ତମ ସ୍ଥାପନା ଉସôବ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଜି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
କମିଶନରେଟ୍ ପୁଲିସ୍ର ଗୁରୁଦାୟିତ୍ୱ ଅବତାରଣା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗତ ୧୧ ମାସ କମିଶନରେଟ ପୁଲିସ ପାଇଁ ଘଟଣା ବହୁଳ ଥିଲା । ଏହି ସମୟ ମଧ୍ୟରେ ଭୁବନେଶ୍ୱରରେ ଅନେକ ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସୁରକ୍ଷା ଦୃଷ୍ଟିରୁ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ଭାବେ ଏସବୁ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ହୋଇଛି । ସେହିପରି ପୁଲିସ୍ ନିଜକୁ ଲୋକଙ୍କ ବନ୍ଧୁ ବୋଲି ଭାବନ୍ତୁ କହି ପୁଲିସ୍କୁ ପରାମର୍ଶ ଦେଇଥିଲେ । ଆଜି ଭାରତ ମାନଚିତ୍ରରେ ଆମ ରାଜ୍ୟ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିବା ଡିଜିପି-ଆଇଜିପି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାଉଣ୍ଟର ଟେରୋରିଜିମ୍, କୋଷ୍ଟାଲ୍ ସିକୁ୍ୟରିଟି ସାଇବର କ୍ରାଇମ୍, ଓ ଅର୍ବାନ ପୁଲିସିଂରେ ଉନ୍ନତି ଆଣିବା ନିମନ୍ତେ ଗୁରୁତ୍ୱ ଦେଇଛନ୍ତି । ଏ ଅବସରରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ରିଜର୍ଭ ପୁଲିସ ଲାଇନର ନବନିର୍ମିତ ୮୪ଟି ଏଫ୍ ଟାଇପ୍ କ୍ୱାର୍ଟର୍ସ, ବଡ଼ଗଡ଼ ଥାନା ଅଞ୍ଚଳରେ ୨୮ଟି ଡି ଟାଇପ୍ କ୍ୱାଟର୍ସ ଉଦ୍ଘାଟନ କରିବା ସହିତ କାର୍ଯ୍ୟକ୍ଷେତ୍ରରେ ନିଷ୍ଠା ଓ ଦକ୍ଷତା ପ୍ରଦର୍ଶନ କରିଥିବା ଶ୍ରେଷ୍ଠ ପୁଲିସ ଅଧିକାରୀ ଓ କର୍ମଚାରୀମାନଙ୍କୁ ପୁରସ୍କୃତ କରିଥିଲେ । ଡିଜିପି ଯୋଗେଶ ବାହାଦୂର ଖୁରାନିଆ କହିଥିଲେ ଯେ, କମିଶନରେଟ ପୁଲିସର ଏହି ୧୭ ବର୍ଷ ଯାତ୍ରା ଭିତରେ ଅନେକ ଆହ୍ୱାନର ସଫଳତାର ସହ ମୁକାବିଲା କରି ଆଜି ଦେଶର ଅନ୍ୟତମ ଶ୍ରେଷ୍ଠ କମିଶନରେଟ ଭାବେ ଏହା ପ୍ରତିଷ୍ଠିତ ହୋଇଛି । କାର୍ଯ୍ୟକ୍ରମରେ ଭୁବନେଶ୍ୱର-କଟକ ପୁଲିସ କମିଶନର ଡ. ଏସ୍ ଦେବଦତ୍ତ ସିଂ ସ୍ୱାଗତ ଭାଷଣ ଦେଇଥିଲେ । ଏକାମ୍ର ଭୁବନେଶ୍ୱର ବିଧାୟକ ବାବୁ ସିଂହ, କଟକ ସଦର ବିଧାୟକ ପ୍ରକାଶ ସେଠୀ, ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ, ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପ୍ରକାଶ ମିଶ୍ର, ବରିଷ୍ଠ ପୁଲିସ ଅଧିକାରୀଗଣ ଏବଂ ଅବସରପ୍ରାପ୍ତ ପୁଲିସ ଅଧିକାରୀଗଣ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ ।