ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କାଙ୍କ ପରଲୋକ

ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କାଙ୍କ ପରଲୋକ

ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କା(୮୬)ଙ୍କର ଆଜି ପରଲୋକ ହୋଇଯାଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ କାହ୍ନୁଚରଣ ଲେଙ୍କାଙ୍କ ପରଲୋକ ହୋଇଛି । ସେ ୧୯୯୫-୨୦୦୦ ମସିହା ଯାଏଁ ଚୌଦ୍ଵାର ବିଧାୟକ ଥିଲେ । ସେହିପରି ୧୯୮୮-୯୪ ମସିହା ଯାଏଁ ରାଜ୍ୟସଭା ସାଂସଦ ଥିଲେ ଓ ପି. ଭି. ନରସିଂହ ରାଓଙ୍କ ସରକାରରେ ରେଳ ଏବଂ କୃଷି ରାଷ୍ଟ୍ରମନ୍ତ୍ରୀ ଥିଲେ।

ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ : କାହ୍ନୁଚରଣ ଲେଙ୍କାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିଛନ୍ତି । ଏକ୍ସ ହ୍ୟାଣ୍ଡେଲରେ ଲେଖିଛନ୍ତି ଯେ, ବରିଷ୍ଠ ନେତା, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ପୂର୍ବତନ ସାଂସଦ କାହ୍ନୁ ଚରଣ ଲେଙ୍କାଙ୍କ ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ। ଏହି ଦୁଖଃଦ ସମୟରେ ପରିବାରକୁ ସମବେଦନା ଜଣାଇବା ସହ ଦିବଙ୍ଗତ ଆତ୍ମାଙ୍କ ଶାନ୍ତି ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି।

ଶୋକ ପ୍ରକାଶ କଲେ ପୃଥ୍ୱୀରାଜ ହରିଚନ୍ଦନ : କାହ୍ନୁଚରଣ ଲେଙ୍କାଙ୍କ ବିୟୋଗରେ ଆଇନ, ପୂର୍ତ୍ତ ଏବଂ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗଭୀର ଶୋକ ପ୍ରକାଶ କରିଛନ୍ତି ।  ଶୋକବାର୍ତ୍ତାରେ ମନ୍ତ୍ରୀ କହିଛନ୍ତି ଯେ, ଜଣେ ସୁସଂଗଠକ, ରାଜନୀତିଜ୍ଞ, ସମାଜସେବୀ ଓ ସାହିତ୍ୟିକ ଭାବେ କାହ୍ନୁ ଚରଣ ଲେଙ୍କା ସ୍ୱତନ୍ତ୍ର ପରିଚିତି ସୃଷ୍ଟି କରିଯାଇଛନ୍ତି । ଜଣେ ସାଧାରଣ କୃଷକ ପରିବାରରୁ ଆସି କାହ୍ନୁ ଚରଣ ଲେଙ୍କା ଓଡ଼ିଶାରେ ବିଧାୟକ ଓ ମନ୍ତ୍ରୀ ହେବା ତାଙ୍କ ଲୋକପ୍ରିୟତା ଓ ସମାଜମନସ୍କ କାର୍ଯ୍ୟର ପରିଚୟ ଦିଏ ।

 ଶୋକ ପ୍ରକାଶ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ : ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଟ୍ୱିଟ କରି ଲେଖିଛନ୍ତି ଯେ 'ବିଶିଷ୍ଟ ରାଜନେତା, ପୂର୍ବତନ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ କାହ୍ନୁ ଚରଣ ଲେଙ୍କାଙ୍କ ପରଲୋକ ଖବର ଶୁଣି ମୁଁ ଦୁଃଖିତ। ଦୀର୍ଘଦିନର ରାଜନୈତିକ ଜୀବନରେ ଲୋକଙ୍କ ସେବା ତଥା ଉନ୍ନତି ପାଇଁ ତାଙ୍କର କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ । ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି ।