ପୋଖରୀ ଖୋଳା ସ୍ଥାନରୁ ପୁରାତନ ଜୈନ ମୂର୍ତ୍ତି ଉଦ୍ଧାର
ଆନନ୍ଦପୁର : କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ପୌରପରିଷଦ ଅଧିନସ୍ଥ ୧୧ ନମ୍ବର ୱାର୍ଡ ଫକିରପୁର ଗ୍ରାମର ବାଲୁଙ୍କେଶ୍ୱର ସାହିରେ ଜୈନିକ ବ୍ୟକ୍ତିଙ୍କ ନିଜସ୍ୱ ଜାଗାରେ ପୋଖରୀ ଖୋଳା ହେଉଥିବା ସମୟରେ ଗୋଟିଏ ପୁରାତନ ଜୈନ କୀର୍ତିରାଜୀ ମୂର୍ତ୍ତିର ସନ୍ଧାନ ମିଳିଛି । ଏହି ଖବର ପାଇବା ପରେ ଆନନ୍ଦପୁର ମହାବିଦ୍ୟାଳୟର ଇତିହାସ ବିଭାଗ ଅଧ୍ୟାପକ ରଞ୍ଜନ କୁମାର ନାୟକ ନିଜ ବିଭାଗର ତୃତୀୟ ବର୍ଷର ଛାତ୍ରୀ ବିଶ୍ୱବନ୍ଦନୀ ମୁଦୁଲିଙ୍କ ସହ ଭଦ୍ରକ ମହାବିଦ୍ୟାଳୟ ଯାଜପୁର ବ୍ୟାସନଗର ମହାବିଦ୍ୟାଳୟ ଇତିହାସ ବିଭାଗ ଅଧ୍ୟାପକ ମିଳିତ ଭାବେ ପୋଖରୀ ଖୋଳା ସ୍ଥାନରେ ପହଞ୍ଚି ଥିଲେ । ଏହି ମୂର୍ତ୍ତିର କାରୁକାର୍ଯ୍ୟକୁ ଅନୁଧ୍ୟାନ କଲାପରେ ଏହା ପ୍ରାୟତଃ ୧ ହଜାର ବର୍ଷାରୁ ଉର୍ଦ୍ଧ ଅଥବା ୯ମ-୧୦ମ ଶତାବ୍ଦୀର ବୋଲି ଜଣାପଡିଥିଲା । ତେବେ ନିର୍ଦ୍ଦିଷ୍ଟ ଭାବେ ମୂର୍ତ୍ତିଟି ୨୪ ତମ ଜୈନ ତୀର୍ଥଙ୍କର ବର୍ଦ୍ଧମାନ ମହାବୀରଙ୍କର ବୋଲି ଅଧ୍ୟାପକ ମାନେ ତର୍ଜମା କରିବା ପରେ ଜାଣିବାକୁ ପାଇଛନ୍ତି । ଏହି ମୂର୍ତ୍ତିଟିର ଉଚ୍ଚ଼ତା ପ୍ରାୟ ୩ ଫୁଟ ଥିବା ବେଳେ ଓସାର ପ୍ରାୟ ୧.୬ ଫୁଟ । ତତ୍ ସହିତ ମୂର୍ତ୍ତି ମିଳିଥିବା ସ୍ଥାନରୁ ବିଭିନ୍ନ ଯଥା; ନାଲି, କଳା, ଧୂସର ଇତ୍ୟାଦି ରଙ୍ଗର ପୁରାତନ ମାଟିପାତ୍ରର ଭଗ୍ନାବଶେଷ ମିଳିଛି । ଅତୀତରେ ଆନନ୍ଦପୁର ଓ ଏହାର ଆଖପାଖ ଅଞ୍ଚଳରୁ ଯଥା; ପୋଡାସିଙ୍ଗିଡି, ଚକ୍ରତୀର୍ଥ, ଘଷିପୁରା, ଗଡଚଣ୍ଡି, ଫକିରପୁର୍ ଆଦି ସ୍ଥାନରୁ ଅନେକ ଜୈନ କୀର୍ତ୍ତିରାଜିର ସନ୍ଧାନ ମିଳିଛି । ଭବିଷ୍ୟତରେ ଏହା ଉପରେ ଅଧିକ ଅଧ୍ୟୟନ ଏବଂ ଗବେଷଣା କରାଗଲେ ଆହୁରି ଅନେକ କୀର୍ତ୍ତିରାଜିର ସନ୍ଧାନ ମିଳିପାରିବ ବୋଲି ଅଧ୍ୟାପକ ରଞ୍ଜନ କୁମାର ନାୟକ ନିଜ ପ୍ରତିକ୍ରିୟାରେ କହିଛନ୍ତି । ସେହିପରି ସେହି ପୋଖରୀ ଖୋଳା ଜାଗାରେ ମାଲିକ ମୂର୍ତ୍ତିକୁ ବାଲୁଙ୍କେଶ୍ୱର ମନ୍ଦିରରେ ଦେବାକୁ କହୁଥିବା ବେଳେ ଏହି ମୂର୍ତ୍ତିକୁ ଆନନ୍ଦପୁରର ନୂତନ ପାଠାଗାରରେ ସଂଗୃହିତ କରି ରଖିବା ପାଇଁ ଉପଜିଲ୍ଲାପାଳଙ୍କୁ ଆନନ୍ଦପୁର ଜନସାଧାରଣ ଅନୁରୋଧ କରିଛନ୍ତି ।