ପୋତି ହୋଇଥିବା ଶିବଲିଙ୍ଗର ପୁନରୁଦ୍ଧାର କଲେ ଗ୍ରାମବାସୀ 

 ପାପଡାହାଣ୍ଡି:  ପାପଡାହାଣ୍ଡି ବ୍ଲକ ମୈଦଲପୁର ପଞ୍ଚାୟତର ଆମ୍ବଡାପଦର ଗ୍ରାମରେ ୩୦ବର୍ଷ ଧରି ବାଲି ମାଟିରେ ପୋତିହୋଇ ରହିଥିବା ଶିବ ଲିଙ୍ଗକୁ ପୁନଃରୁଦ୍ଧାର କଲେ ଗ୍ରାମବାସୀ । ସୂଚନା ଅନୁସାରେ,ଦୀର୍ଘ ୫୦ବର୍ଷ ପୂର୍ବରୁ ଆମ୍ବଡାପଦର ଗ୍ରାମ ନିକଟରେ ଘଞ୍ଚ ଜଙ୍ଗଲରେ ବୋହି ଯାଇଥିବା ନାଳ ପାର୍ଶ୍ୱରେ ସ୍ୱର୍ଗତ ଖଗପତି ଦଣ୍ଡସେନାଙ୍କୁ ସ୍ୱପ୍ନାଦେଶ ଦେଇ ପଥର ଗୁମ୍ଫା ଭିତରେ ବାବା ଝାଡେଶ୍ୱର ପୂଜା ପାଉଥିଲେ । କାଳକ୍ରମେ ନାଳର ପାଣି, ବର୍ଷା ପାଣିରେ ନାଳ ବୋହି ବାଲି, ମାଟିରେ ପୋତି ହୋଇ ଯାଇଥିଲେ ବାବା ଝାଡେଶ୍ୱର । ଗ୍ରାମବାସୀ ଅନ୍ୟ ଉପାୟ ନ ପାଇ ନାଳ  ଉପରରେ ଏକ ବଡ଼ ପଥର ନିକଟରେ ଅସ୍ଥାୟୀ ଶିବ ଲିଙ୍ଗରେ ସ୍ୱର୍ଗତ ଖଗପତି ଦଣ୍ଡସେନାଙ୍କ ନାତି ହିମାଂଶୁ ଦଣ୍ଡସେନା ପୂଜକ ପୂଜା କରୁଛନ୍ତି । ପ୍ରତ୍ୟେକ ଶିବ ରାତ୍ରର ପୂର୍ବ ଦିନ ଏହି ଠାରେ ପୂଜା କରାଯିବା ସହ ଗାଁରେ ନାଟକ ପରିବେଷଣ କରାଯାଉଥିଲା । ଏହି ବର୍ଷ ମଧ୍ୟ ଗାଁରେ ଏକ ବୈଠକ କରି ଚାନ୍ଦା କରିଥିବା ଅର୍ଥରେ ନାଟକ ବନ୍ଦ କରି ବାବା ଝାଡେଶ୍ୱରଙ୍କୁ ପୁନଃରୁଦ୍ଧାର କରିବା ପାଇଁ ନିଷ୍ପତି ନିଆଯାଇଥିଲା । ଗାଁରେ ୪୫ପରିବାରର ପ୍ରାୟ ୨୦୦ରୁ ଉର୍ଦ୍ଧ ଲୋକ ଏକତ୍ରିତ ହୋଇ ଦୀର୍ଘ ୫ଦିନ ଧରି ଖନନ କରି ଆଜି ଶିବ ଲିଙ୍ଗଙ୍କୁ ପୁନଃରୁଦ୍ଧାର କରିଥିଲେ । ଏ ନେଇ ଗ୍ରାମବାସୀ କହିଛନ୍ତି ବାବା ଝାଡେଶ୍ୱରଙ୍କୁ ପୁନଃରୁଦ୍ଧାର କରିବା ପାଇଁ ନେତା, ମନ୍ତ୍ରୀଙ୍କୁ ଜଣାଇଥିଲେ ହେଲେ କେହି ତାଙ୍କ କଥା ନ ଶୁଣିବାରୁ ବାଧ୍ୟ ହୋଇ ନିଜେ ଖୋଳିଥିଲେ ।