ଖୋଲୁନି ଅଙ୍ଗନୱାଡି, ଅଭିଯୋଗ କଲେ ଗ୍ରାମବାସୀ

ଭଣ୍ଡାରିପୋଖରୀ: ଭଣ୍ଡାରିପୋଖରୀ ବ୍ଲକ ବୟାବନାପୁର ପଞ୍ଚାୟତ ହଳଦିଗଡିଆ ଅଙ୍ଗନୱାଡି କେନ୍ଦ୍ର ନିୟମିତ ଭାବେ ଖୋଲା ଯାଉନଥିବା ଅଭିଯୋଗ ହୋଇଛି । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାର ଅଙ୍ଗନୱାଡି କେନ୍ଦ୍ର ସକାଳ ୬.୩୦ରୁ ଆରମ୍ଭ ହୋଇ ସକାଳ ୯ଟାରେ ବନ୍ଦ କରାଯିବାକୁ ନିଦେ୍ର୍ଦଶ ପ୍ରକାଶ ପାଇଛି ।
ମାତ୍ର ସଂପୃକ୍ତ ଅଙ୍ଗନୱାଡି କେନ୍ଦ୍ର ମଙ୍ଗଳବାର ସକାଳ ୮ଟା ପର୍ଯ୍ୟନ୍ତ ବନ୍ଦ ଥିବା ଦେଖି ଗ୍ରାମବାସୀମାନେ ସରପଞ୍ଚଙ୍କୁ ଜଣାଇଥିଲେ । ପୂର୍ବତନ ସରପଞ୍ଚ ପ୍ରଶାନ୍ତ ସାହୁ ମହିଳା ଓ ଶିଶୁ ବିକାଶ ଅଧିକାରିଣୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ମହିଳା ଓ ଶିଶୁ ବିକାଶ କାର୍ଯ୍ୟାଳୟର ସଂପୃକ୍ତ କେନ୍ଦ୍ର ସୁପରଭାଇଜର କେନ୍ଦ୍ରକୁ ଯାଇ ଖୋଲାଇଥିଲେ । ମାତ୍ର ୮ ଜଣ ପିଲା କେନ୍ଦ୍ରକୁ ଆସିଥିଲେ । ରୋଷେଇ ହୋଇନଥିଲା । ଏହି କେନ୍ଦ୍ରର ଅଙ୍ଗନୱାଡି କର୍ମୀ ଅଭ୍ୟାସଗତ ଭାବେ ଏଭଳି କାର୍ଯ୍ୟ କରୁଛନ୍ତି ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଥିଲେ । ବୁଧବାର ଏହି ଅଭିଯୋଗ ସମ୍ପର୍କରେ ତଦନ୍ତ ହେବ ବୋଲି ସିଡିପିଓ ରିତାରାଣୀ ମାଝୀ କହିଛନ୍ତି । ଏହି ଅନିୟମିତତା ସମ୍ପର୍କରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ଜଣାଯାଇଛି ।