ପୌରପରିଷଦର ପାରିଷଦ ବୈଠକ
ଦେବଗଡ଼: ଦେବଗଡ଼ ପୌରପରିଷଦର ପାରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ପୌରପରିଷଦର ଭାରପ୍ରାପ୍ତ ପୌରାଧ୍ୟକ୍ଷ ପ୍ରଜିତ ଭୋଜଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ପୌରପରିଷଦ ଅଧୀନରେ ଚାଲୁଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରାଯିବା ସହ ଗତ ଡିସେମ୍ବର ଓ ଜାନୁଆରି ମାସର ଆୟ ଓ ବ୍ୟୟର ମଞ୍ଜୁର କରାଯାଇଥିଲା । ଏହାସହିତ ପୌରାଞ୍ଚଳ ନିମନ୍ତେ ଏକ ମାର୍କେଟ ଗୃହ ନିର୍ମାଣ ନିମନ୍ତେ ରାଜ୍ୟ ସରକାରଙ୍କ ଠାରୁ ଆବଶ୍ୟକୀୟ ଆର୍ଥିକ ସହାୟତା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା । ପୌରାଞ୍ଚଳରେ ଥିବା ସିଲିଂ ସରପ୍ଲସ ଜମି ସରକାରୀ ଖାତାରେ ସାମିଲ କରାଯାଇଥିବାବେଳେ, ସେ ସବୁ ଜମିର ରାଜସ୍ୱ ଆଦାୟ ନିମନ୍ତେ ରାଜସ୍ୱ ବିଭାଗକୁ ଅନୁରୋଧ କରାଯିବା ନେଇ ବୈଠକରେ ଆଲୋଚନା କରାଯାଇଥିଲା । ପ୍ରତ୍ୟେକ ମାସର ତୃତୀୟ ସୋମବାରକୁ ପୌରପରିଷଦରେ ଏକ ଅଭିଯୋଗ ଶୁଣାଣି କରାଯିବା ସହ ମାର୍କେଟରେ ମଧ୍ୟ ଏକ ଅସ୍ଥାୟୀ ଅଭିଯୋଗ ପ୍ରକୋଷ୍ଠର ଶୁଭାରମ୍ଭ କରାଯିବା ପାଇଁ ବୈଠକରେ ନିଷ୍ପତି ନିଆଯାଇଛି । ଏହାବ୍ୟତୀତ ବର୍ଦ୍ଧିତ ହୋଲଡିଂ ଟ୍ୟାକ୍ସକୁ ହ୍ରାସ କରିବା ନିମନ୍ତେ କାଉସିଲର ମାନେ ଦାବି କରିଥିଲେ । ଆଇନଗତ ଦିଗକୁ ବିଚାର କରିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ବୈଠକରେ ଆଲୋଚନା କରାଯାଇଥିଲା । ବୈଠକରେ ପୈର ନିର୍ବାହୀ ଅଧିକାରୀ କୃପାସିନ୍ଧ ୁ ସ୍ୱାଇଁ, କାଉନସିଲର ପ୍ରମିଳା ବେହେରା, ସଂଯୁକ୍ତା ଆଚାର୍ଯ୍ୟ, ବାସନ୍ତୀମଣି ମାଝୀ, ଯତୀନ ନାୟକ, ଧର୍ମେନ୍ଦ୍ର ଦେବତା, ପିଙ୍କିରାଣୀ ସାହୁ, ସରୋଜିନୀ ମୁଣ୍ଡା, ଇତିଶ୍ରୀ ମିଶ୍ର, କାର୍ତ୍ତିକ ମହାକୁଳ, ସାଂସଦଙ୍କ ପ୍ରତିନିଧି ସୁଧିର କପରଦାର ଓ ବିଧାୟକଙ୍କ ପ୍ରତିନିଧି ମାନସ ପ୍ରଧାନ ଉପସ୍ଥିତ ଥିଲେ ।