ପ୍ରତି ଘରେ ସ୍ୱଦେଶୀ ଅଭିଯାନକୁ ମନମୋହନଙ୍କ ଗୁରୁତ୍ୱ
ଭୁବନେଶ୍ୱର : ଆଜି ରାଜ୍ୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ମହାନ ରାଷ୍ଟ୍ରବାଦୀ, ଜନନାୟକ, ଭାରତୀୟ ଜନସଂଘର ପ୍ରତିଷ୍ଠାତା ତଥା ମହାନ ଦାର୍ଶନିକ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୧୦ତମ ଜୟନ୍ତୀ ଅବସରରେ ଆତ୍ମନିର୍ଭର ଭାରତ ସଂକଳ୍ପ ଅଭିଯାନର ରାଜ୍ୟସ୍ତରୀୟ ଶୁଭାରମ୍ଭ ହୋଇଯାଇଛି । ଏହି ଅବସରରେ ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ଯେ, ସ୍ୱଦେଶୀ ଭାବନା ଓ ଭାରତୀୟ ସଂସ୍କୃତି ଆଧାରିତ ରାଷ୍ଟ୍ରଚିନ୍ତନକୁ ଦୃଢ ଓ ତଥ୍ୟ ପୂର୍ଣ୍ଣ ଅର୍ଥରେ ପରିପ୍ରକାଶ କରି ଏହାର ମହାନତାକୁ ସାବ୍ୟସ୍ତ କରିବା ହେଲା ଏକାତ୍ମ ମାନବବାଦର ମୂଳ ଲକ୍ଷ୍ୟ । ଆତ୍ମନିର୍ଭର ଭାରତର ପଥ ଗାଁ, ଗରିବ, ଚାଷୀ, ମହିଳା ଏବଂ ଯୁୁବକମାନଙ୍କର ଅଂଶଗ୍ରହଣ ମାଧ୍ୟମରେ ନିର୍ମାଣ ହେବ । ଆତ୍ମନିର୍ଭର ଭାରତ ସଂକଳ୍ପ ଅଭିଯାନ ହେଉଛି ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିନ୍ତାଧାରାର ଏକ ବ୍ୟାପକ ବିସ୍ତାର, ଯାହାର ଲକ୍ଷ୍ୟ ଭାରତକୁ ସାମାଜିକ ଓ ଆର୍ଥିକ ଭାବେ ଆତ୍ମନିର୍ଭର କରିବା । ଏହି ଅଭିଯାନ ଆଜି ଠାରୁ ଆରମ୍ଭ ହୋଇ ୨୫ ଡିସେମ୍ବର ଭାରତରନô ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ପର୍ଯ୍ୟନ୍ତ ଦୀର୍ଘ ୯୦ ଦିନ ଧରି ଚାଲିବ । ଏହି ଅଭିଯାନ କେବଳ ଏକ ନୀତିଗତ ପଦକ୍ଷେପ ନୁହେଁ, ବରଂ ଜନଭାଗିଦାରୀ ମାଧ୍ୟମରେ ଏକ ସଫଳ ରାଷ୍ଟ୍ର ତିଆରି କରିବା । ଏହାର ପ୍ରଧାନ ଉଦେ୍ଦଶ୍ୟ ହେଉଛି ପ୍ରତ୍ୟେକ ଭାରତୀୟଙ୍କୁ ଯୋଡିବା, ପ୍ରତ୍ୟେକ ନାଗରିକଙ୍କୁ ପ୍ରେରିତ କରିବା ଏବଂ ପ୍ରତ୍ୟେକ ଘରକୁ ଆତ୍ମନିର୍ଭରତାର ସନେ୍ଦଶ ପହଁଚାଇବା । ପ୍ରତ୍ୟେକ ଘରେ ସ୍ୱଦେଶୀ ଭାବନା ସହ ଏହି ଅଭିଯାନକୁ ସମସ୍ତଙ୍କ ପର୍ଯ୍ୟନ୍ତ ପହଁଚାଇବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି ଯଥା- ‘ଆତ୍ମନିର୍ଭର ଭାରତ ସଂକଳ୍ପ ସମାରୋହ ଓ ଆତ୍ମନିର୍ଭର ଭାରତ ସଂକଳ୍ପର ରଥ ଯାତ୍ରା’ । ଏହାର ମୁଖ୍ୟ ଉଦେ୍ଦଶ୍ୟ ହେଉଛି ‘ଭୋକାଲ ଫର ଲୋକାଲ’ ସନେ୍ଦଶକୁ ସମସ୍ତ ଭାରତୀୟଙ୍କ ପର୍ଯ୍ୟନ୍ତ ପହଁଚାଇ ଦେଶର ଆର୍ଥôକ ଓ ସାଂସ୍କୃତିକ ଶକ୍ତିକୁ ମଜଭୁତ କରିବା ବୋଲି ଶ୍ରୀ ସାମଲ କହିଛନ୍ତି ।
ଆତ୍ମନିର୍ଭର ଭାରତ ସଂକଳ୍ପ ଅଭିଯାନକୁ ସଫଳ କରିବା ପାଇଁ ବିଜେପି ତରଫରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି । ଘର ଘର ସ୍ୱଦେଶୀ, ପ୍ରତ୍ୟେକ ଘର ସ୍ୱଦେଶୀକୁ ପ୍ରାଧାନ୍ୟ ଦିଆଯିବ । ମୋଦିଙ୍କ ଆହ୍ୱାନ କ୍ରମେ ଘର ଘର ଯାଇ ‘ସ୍ୱଦେଶୀ କିଣିବା, ସ୍ୱଦେଶୀ ବିକିବା’ର ବାର୍ତ୍ତା ରାଜ୍ୟ ତଥା ଦେଶବାସୀଙ୍କ ନିକଟକୁ ପହଂଚାଯିବ । ଭୋକାଲ ଫର୍ ଲୋକାଲ୍ ମାଧ୍ୟମରେ ସ୍ଥାନୀୟ ଉତ୍ପାଦର ଚାହିଦାକୁ ବୃଦ୍ଧି କରାଯିବ । ସମାଜର ପ୍ରତ୍ୟେକ ବର୍ଗର ଲୋକ ଏହି ଅଭିଯାନରେ ସାମିଲ ହେବାକୁ ରାଜ୍ୟ ସଭାପତି ଶ୍ରୀ ସାମଲ ରାଜ୍ୟବାସୀଙ୍କୁ ଆହ୍ୱାନ ଜଣାଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅଭିଯାନର ରାଜ୍ୟ ସଂଯୋଜକ ତଥା ରାଜ୍ୟ ସାଧାରଣ ସଂପାଦକ ଶାରଦା ପ୍ରସାଦ ଶତପଥୀ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଅଭିଯାନର ଶୁଭାରମ୍ଭ ଅବସରରେ ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, ଭୁବନେଶ୍ୱର ଜିଲ୍ଲା ସଭାପତି ନିରଞ୍ଜନ ମିଶ୍ର, ବିଶିଷ୍ଟ ସ୍ଥପତି ଅଦୈତ ଗଡନାୟକ, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଚକ୍ରଧର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ । ପଣ୍ଡିତ ଦୀନଦୟାଲଜୀଙ୍କ ଜୀବନୀ ଉପରେ ଆଧାରିତ ପୁସ୍ତକୁ ଉନ୍ମୋଚନ କରିଥିଲେ ।