ପ୍ରଥମ ଦିବସ କାଳୀ ଭସାଣି : ୧୯ଟି ମେଢ଼ ବିସର୍ଜିତ
ଯାଜପୁର : ଯାଜପୁରର ଗଣପର୍ବ କାଳୀପୂଜା ଦୀର୍ଘ ୭ଦିନ ପରେ ସମାପ୍ତ ହୋଇଥିବା ବେଳେ ୨୮ତାରିଖ ମଙ୍ଗଳବାର ଦିନ ପ୍ରଥମ ପର୍ଯ୍ୟାୟ ଭସାଣି ସଂପୂର୍ଣ୍ଣ ହୋଇଛି । ମଙ୍ଗଳବାର ଦିନ ୭ରୁ ଉଦ୍ଧ୍ୱର୍ ଲକ୍ଷ୍ମୀନାରାୟଣ ମେଢ଼ ଓ ୧୨ଟି କାଳୀଙ୍କ ମେଡ଼ ଦେବୀଗଢ଼ା ଘାଟରେ ବିସର୍ଜନ କରାଯାଇଛି । ବାତ୍ୟା ମୋନ୍ଥାର ପ୍ରଭାବରେ ମଙ୍ଗଳବାର ସକାଳୁ ତୁହାକୁ ତୁହା ବର୍ଷା ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ହେଉଥିଲା । ବର୍ଷାକୁ ଖାତିର ନ କରି ଯୁବପିଢ଼ିମାନେ ବର୍ଷାରେ ଭିଜି ନୃତ୍ୟ କରୁଥିବାର ଦେଖିବାକୁଥିଲା । ପ୍ରଥମ ଭସାଣି ଉତ୍ସବରେ ସଦାବ୍ରତ ମଠ, ବଡବଜାର, ହରପାର୍ବତୀ ଛକ, ଡେଲି ମାର୍କେଟ, ହାବେଳିବଜାର, ବସଷ୍ଟାଣ୍ଡ, ପୁରୁଣା ବସଷ୍ଟାଣ୍ଡ, କଚେରୀ, ଭବାନୀଗଞ୍ଜ, କିଆନାଳୀ, ମହାବୀର ଛକ, ଭାଗବତପୁର, ବୈଦ୍ୟରାଜପୁର, କଲେଜ ଛକ, ମାନସାପୋଲ ସମେତ ୧୯ଟି ମଣ୍ଡପ ସାମିଲ ହୋଇଥିଲେ ।
ମଙ୍ଗଳବାର ଦିନ ଭସାଣି ଉତ୍ସବକୁ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ଶୃଙ୍ଖଳାର ସହିତ ସଞ୍ଚାଳନ କରିଛନ୍ତି । ଦେବୀଗଢା ଘାଟରେ ଥିବା କୃତିମ ପୁଷ୍କରିଣୀରେ ପ୍ରତିମା ଗୁଡିକୁ ବିସର୍ଜନ କରାଯାଇଛି । ତେବେ ହାବେଳିବଜାର, ମାର୍କେଟଛକ, ସଦାବ୍ରତ ମଠ, ବଡବଜାର, ହରପାର୍ବତୀ ଛକ, କିଆନାଳୀ, ଭବାନୀଗଞ୍ଜ ପ୍ରଭୃତି ମଣ୍ଡପ ଗୁଡିକର ଭସାଣି ଯାତ୍ରା ଅଧିକ ଆକର୍ଷଣୀୟ ହୋଇଥିବା ଦେଖିବାକୁ ମିଳିଥିଲା । ଏହି ସବୁ ମଣ୍ଡପ ଗୁଡିକ ପାରମ୍ପାରିକ ବାଦ୍ୟ ସହିତ ବ୍ୟାଣ୍ଡପାର୍ଟି, ସିଂହବାଜା, ସମ୍ବଲପୁର ନୃତ୍ୟ, ଅଘୋରୀ ବାବା ଇତ୍ୟାଦି ପ୍ରଦର୍ଶନ କରିଥିଲେ । ଏଥିସହିତ ବିଭିନ୍ନ ପ୍ରକାର ଆକର୍ଷଣୀୟ ଆଲୋକ ସାଜସଜ୍ଜା ମଧ୍ୟ ଦେଖିବାକୁ ମିଳିଥିଲା । ଯାଜପୁର ଅତିରିକ୍ତ ଏସପି ଶିତିକଣ୍ଠ କାନୁନ୍ଗୋ, ଏସଡିପିଓ ପ୍ରଶାନ୍ତ କୁମାର ମାଝୀ, ଯାଜପୁର ଥାନାଧିକାରୀ ଦାୟିତ୍ୱରେ ଥିବା ଡିଏସ୍ପି ଶରତ କୁମାର ପାତ୍ରଙ୍କ ସମେତ ବହୁ ପୁଲିସ ଅଧିକାରୀମାନେ ଭସାଣି ଉତ୍ସବକୁ ଶୃଙ୍ଖଳାର ସହ ସମାପନ କରିଥିଲେ ।