ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଚାଲିଛି ବିକଶିତ ଭାରତ ନିର୍ମାଣର ଯଜ୍ଞ : ଶିବରାଜ

ନୂଆଦିଲ୍ଲୀ : କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାଅଧୀନରେ ଖରିଫ ଋତୁରେ ସର୍ବାଧିକ ସଂଖ୍ୟକ ଚାଷୀଙ୍କୁ ପଞ୍ଜୀକରଣ କରିବା ପାଇଁ ନିଦେ୍ର୍ଦଶ ଦେଇଛନ୍ତି । ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଅଧୀନରେ ଜାତୀୟ ସ୍ୱାସ୍ଥ୍ୟ ବୀମା ଯୋଜନା ଅଧୀନରେ ଋଣ ପରିମାଣ ବୃଦ୍ଧି କରିବା, ଗ୍ରାମୀଣ ଜୀବିକା ମିଶନରେ, ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟମାନଙ୍କୁ ସେମାନଙ୍କର ପ୍ରଗତି ପାଇଁ ଅଧିକ ଋଣ ଦେବା ସମ୍ପର୍କରେ ସମସ୍ତ ବ୍ୟାଙ୍କ ଏବଂ ରାଜ୍ୟ ସରକାରଙ୍କ ଏକ ଭର୍ଚୁଆଲ୍ ବୈଠକ ଅନୁଷ୍ଠିତ ହୋଇଥିଲା । ସେ ସମସ୍ତ ବ୍ୟାଙ୍କଗୁଡ଼ିକୁ ମହିଳାମାନଙ୍କୁ ଋଣ ଦେବା ଉପରେ ଧ୍ୟାନ ଦେଇ କଭରେଜ୍ ବୃଦ୍ଧି କରିବାକୁ ନିଦେ୍ର୍ଦଶ ଦେଇଥିଲେ, ଏବଂ ଦୂରଦୂରାନ୍ତ ଏବଂ ଅପହଞ୍ଚ ଅଞ୍ଚଳଗୁଡ଼ିକ ଉପରେ ଧ୍ୟାନ ଦେଇ କାମ କରିବାକୁ କହିଥିଲେ । ସେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏକ ବିକଶିତ ଭାରତ ନିର୍ମାଣର ମହାଯଜ୍ଞ ଚାଲିଛି । ଆମ ଦେଶର ବିକାଶର ଗତି ଏବଂ ଦିଗ ଉଭୟ ଦେଖି ବିଶ୍ୱ ଆଶ୍ଚର୍ଯ୍ୟ ଏବଂ କିଛିଟା ଚିନ୍ତିତ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଆମେ ଅନେକ ଲକ୍ଷ୍ୟ ହାସଲ କରିଛୁ । ଆଜି ଆମେ ବିଶ୍ୱର ଚତୁର୍ଥ ବୃହତ ଅର୍ଥନୀତି ଏବଂ ତୃତୀୟ ହେବା ଦ୍ୱାରରେ ଅଛୁ । ଏହି ସଫଳତା ପଛରେ ଆମର ଉଭୟ ବିଭାଗ (କୃଷି ଏବଂ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ)ର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଶ୍ରୀ ଚୌହାନ କହିଥିଲେ । ବ୍ୟାଙ୍କଗୁଡ଼ିକୁ ଅଭିନନ୍ଦନ ଜଣାଇ ଶିବରାଜ ସିଂହ କହିଛନ୍ତି ଯେ, ଏହି ଦୁଇଟି ବିଭାଗରେ ଆମେ ଯେଉଁ ସଫଳତା ହାସଲ କରୁଛୁ ସେଥିରେ ବ୍ୟାଙ୍କଗୁଡ଼ିକର ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି । ଶିବରାଜ ସିଂହ କହିଛନ୍ତି ଯେ ଦାୟିତ୍ୱ କେବଳ କିଛି ବ୍ୟାଙ୍କର ନୁହେଁ, ବରଂ ସମସ୍ତଙ୍କର, ତେଣୁ ମହିଳା ଉଦ୍ୟେଗୀମାନଙ୍କୁ ଋଣ ସଠିକ୍ ଭାବରେ ପ୍ରଦାନ କରିବା ପାଇଁ ବ୍ୟାଙ୍କଗୁଡ଼ିକ ତୁରନ୍ତ ଧ୍ୟାନ ଦେବା ଉଚିତ ।