"ପ୍ରବାସୀ ଭାରତୀୟ ଦିବସ' ପୂର୍ବରୁ ଆସିଲା ପନ୍ନୁର ଧମକପୂର୍ଣ୍ଣ ମେଲ୍
ଭୁବନେଶ୍ୱର, ୩ା୧ : ଆସନ୍ତା ୮ ତାରିଖରେ ଭୁବନେଶ୍ୱରର ଜନତା ମଇଦାନରେ ‘ପ୍ରବାସୀ ଭାରତୀୟ ଦିବସ’ ସମାରୋହ ପାଳିତ ହେବାକୁ ଯାଉଥିବା ବେଳେ, ଉକ୍ତ ସମୟରେ ବ୍ୟାଘାତ ସୃଷ୍ଟି ପାଇଁ ପୁଣି ଥରେ ଆତଙ୍କୀ ପନ୍ନୁ ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କ ନିକଟକୁ ଧମକପୂର୍ଣ୍ଣ ମେଲ୍ ତଥା ଭିଡିଓ ମେସେଜ ପଠାଇଥିବା ଜଣାଯାଇଛି । ଏକ ମାସର ନୀରବତା ପରେ ପୁଣି ଥରେ ଆସିଲା ଏହି ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁର ଧମକପୂର୍ଣ୍ଣ ମେଲ । ଗତ ନଭେମ୍ବର ମାସରେ ଭୁବନେଶ୍ୱରରେ ଡିଜିପି ସମ୍ମିଳନୀ ଚାଲିଥିବା ବେଳେ ତାହାକୁ ଭଣ୍ଡୁର କରିବାକୁ ପନ୍ନୁ ପଠାଇଥିଲା ଧମକପୂର୍ଣ୍ଣ ମେଲ୍ । ସେତେବଳେ ମଧ୍ୟ ସାମ୍ବାଦିକ ଅକ୍ଷୟ ସାହୁଙ୍କ ନିକଟକୁ ଓଡିଆ ଓ ଇଂରାଜୀରେ ଦୁଇଟି ଧମକପୂର୍ଣ୍ଣ ମେଲ୍ ଆସିଥିଲା । ଏହି ସମୟରେ ବିମାନବନ୍ଦରରୁ ଜନତା ମଇଦାନ ଯାଏଁ ସତର୍କ ରହିବାକୁ ଧମକ ଦିଆଯାଇଛି ।
ସୂଚନାଯୋଗ୍ୟ ଯେ, ପ୍ରବାସୀ ଭାରତୀୟ ଦିବସ ସମୟରେ କେହି ବି ଭୁବନେଶ୍ୱର ନ ଆସିବାକୁ ଭାରତ ସରକାରଙ୍କୁ ଟାର୍ଗେଟ କରି ନିଜ ପୁରୁଣା ଢଙ୍ଗରେ ଭିଡିଓ ଜାରି କରିଛି ପନ୍ନୁ । ଯେଉଁଥିରେ ଭୁବନେଶ୍ୱରକୁ ପୁଣି ଟେରର୍ ସିଟି ବୋଲି କହିବା ସହ ଆତଙ୍କବାଦୀ ନିଜ୍ଜର ହତ୍ୟାର ବଦଲା ନେବାକୁ ଚରମ ପଦକ୍ଷେପ ନେବ ବୋଲି ଧମକ ଦେଇଛି । ଭୁବନେଶ୍ୱରରେ ଆୟୋଜିତ ଡିଜିପି ସମ୍ମିଳନୀ ବେଳେ ବି ସମାନ ଧରଣର ଧମକ ଦେଇଥିଲା ପନ୍ନୁ । ଏହା ପୂର୍ବରୁ ଅକ୍ଷୟ ସାହୁଙ୍କ ନିକଟକୁ ଧମକପୂର୍ଣ୍ଣ ମେଲ୍ ଓ ଭିଡିଓ ମେସେଜ ଆସିଥିବା ବେଳେ, ଏନେଇ ଅକ୍ଷୟ ସାହୁ ଆଜି ପୁଲିସକୁ ସୂଚନା ଦେବେ ବୋଲି ଜଣାଯାଇଛି । ତେବେ ଏହି ଧମକପୂର୍ଣ୍ଣ ମେଲ୍ ପନ୍ନୁ ଦେଇଛି ନା’ ଆଉ କିଏ ତଦନ୍ତ ପରେ ତାହା ସ୍ପଷ୍ଟ ହେବ । ଏଥିସହ କେବଳ ଅକ୍ଷୟ ସାହୁଙ୍କ ନିକଟକୁ ମେଲ୍ ଆସିଛି ନା ଆଉ କାହା ପାଖକୁ ବି ପନ୍ନୁ ମେଲ୍ ପଠାଇଛି ତାହା ସ୍ପଷ୍ଟ ହୋଇ ପାରିନି । କାରଣ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ତ୍ରିନିଦାଦ ଓ ଟୋବାଗୋ ରାଷ୍ଟ୍ରପତି କ୍ରିଷ୍ଟାଇନ୍ କାର୍ଲ କାଙ୍ଗାଲୁଙ୍କ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ୍ ପ୍ରମୁଖ ଯୋଗ ଦେବେ । ଏହି ସମାରୋହରେ ଦେଶ ବିଦେଶରୁ ପ୍ରାୟ ୭ହଜାର ଅତିଥି ଯୋଗଦେବେ ବୋଲି ଜଣାପଡିଛି । ଉକ୍ତ ସମୟରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବ । ତେବେ ତାହା ପୂର୍ବରୁ ପନ୍ନୁର ଏପରି ମେଲ୍କୁ ନେଇ ଗୁଇନ୍ଦା ଏଜେନ୍ସି ଓ ସୁରକ୍ଷା ଅଧିକାରୀଙ୍କ ଟେନସନ୍ ବଢ଼ିଲାଣି ।