ପ୍ରଶାସନର ନିୟନ୍ତ୍ରଣରେ ନାହିଁ ବାହାକୁଦ; ଫେରିଘାଟ ମାଛଧରା ଡଙ୍ଗାରେ ନଦୀପାର ହେଲେ ଯାତ୍ରୀ

ମାଛଧରା ଡଙ୍ଗାରେ ବିପଦ ସଙ୍କୁଳ ଅବସ୍ଥାରେ ମହାନଦୀ ପାରିହେଉଛନ୍ତି ଲୋକ । ମହାକାଳପଡ଼ା ବ୍ଲକ୍ ଅଧିନ ରାମନଗର ପଞ୍ଚାୟତ ବାହାକୁଦ ଫେରିଘାଟରେ ନଥିଲା ଯନ୍ତ୍ର ଚାଳିତ ବଡ଼ ଘାଟ ଡ଼ଙ୍ଗା । ସବୁ ନିୟମକୁ ବେଖାତିର କରି ବିପଦ ପୂର୍ଣ୍ଣ ଅବସ୍ଥାରେ ଯାତ୍ରୀଙ୍କୁ ନଦୀ ପାର କରାଯାଉଛି । ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ଦୁଇଟି ମାଛଧରା ଡଙ୍ଗାରେ ଘାଟ ପାର ହୋଇଥିଲେ । କୂଳରେ ଗୋଟିଏ ପ୍ଲାଟୁନ ପୁଲିସ୍ ଫୋର୍ସ ମୁତୟନ ଥାଇ ବି କିପରି ଏମତି ବିପଦପୂର୍ଣ୍ଣ ଅବସ୍ଥାରେ ମହାନଦୀରେ ଯାତ୍ରୀଙ୍କୁ ନଦୀ ପାର କରାଯାଉଛି । ଯଦି କିଛି ଅଘଟଣ ଘଟିଥା'ନ୍ତା ତେବେ କିଏ ଉତ୍ତରଦାୟୀ ହୋଇଥାନ୍ତା? ଦୀର୍ଘ ଚାରି ଘଣ୍ଟା ଧରି ଏଭଳି ବିପଦପୂର୍ଣ୍ଣ ଯାତ୍ରୀ ପରିବହନ ପରେ ଯନ୍ତ୍ର ଚାଳିତ ବଡ଼ ଘାଟ ଡ଼ଙ୍ଗା ଆସିଥିଲା ଏବଂ ଯାତ୍ରୀ ପରିବହନ ସୁରକ୍ଷିତ ଏବଂ ସ୍ୱାଭାବିକ ହୋଇଥିଲା ।
ସରକାରଙ୍କୁ ସବୁଠୁ ଅଧିକ ରାଜସ୍ୱ ଦେଉଥିବା ଘାଟ ହେଉଛି ବାହାକୁଦ ଫେରିଘାଟ । ପ୍ରତିବର୍ଷ ମାର୍ଚ୍ଚ ମାସରେ ବ୍ଲକ୍ ପ୍ରଶାସନ ପକ୍ଷରୁ ଏହି ଘାଟ ନିଲାମ ଡ଼କା ଯାଉଥିବା ବେଳେ, ବାର୍ଷିକ ଅଧ କୋଟିରୁ ଅଧିକ ଟଙ୍କାରେ ନିଲାମ ଯାଏ । ଦୈନିକ ହଜାର ହଜାର ସଂଖ୍ୟାର ଯାତ୍ରୀ ଏହି ଘାଟରେ ପାରି ହୁଅନ୍ତି । ମହାକାଳପଡ଼ା ବ୍ଲକର ୧୫ରୁ ଉର୍ଦ୍ଧ ପଞ୍ଚାୟତର ଶ୍ରମିକ ଏହି ବାହକୁଦ-ମୂଷାଡ଼ିଆ ଫେରିଘାଟ ଉପରେ ନିର୍ଭରଶୀଳ, ପ୍ରତ୍ୟେକ ଦିନ ଗୁଜୁରାଣ ମେଣ୍ଟାଇବା ପାଇଁ ମହାନଦୀର ଅପରପାର୍ଶ୍ୱ ପାରାଦୀପରେ ଅବସ୍ଥିତ ବିଭିନ୍ନ କଳକାରଖାନାଙ୍କୁ ବହୁ ସଂଖ୍ୟାରେ ଉଭୟ ମହିଳା ଓ ପୁରୁଷ ଶ୍ରମିକ ଏହି ଘାଟ ଡଙ୍ଗା ସାହାଯ୍ୟରେ ଯିବା ଆସିବା କରନ୍ତି । ଘାଟ ନିଲାମର ମୂଳରାଶି ଅତ୍ୟଧିକ ଦର୍ଶାଇ ୨୦୨୪-୨୦୨୫ ମସିହା ନିଲାମ ପ୍ରକ୍ରିୟାରେ କେହି ନିଲାମଧାରୀ ଭାଗ ନ ନେବା କାରଣରୁ ଘାଟ ନିଲାମ ସାମୂହିକ ଭାବେ ସ୍ଥଗିତ ରହିଥିଲା । ସାଧାରଣ ନିର୍ବାଚନ ଥିବାରୁ ପ୍ରଶାସନ ପକ୍ଷରୁ ଘାଟ ନିଲାମ ସମ୍ପୁର୍ଣ୍ଣ ବାତିଲି କରାଯାଇଥିଲା । ନିଲାମଧାରୀ ବ୍ୟକ୍ତିଙ୍କୁ ରାମନଗର ପଞ୍ଚାୟତ କାର୍ଯ୍ୟାଳୟକୁ ପୂର୍ବ ବର୍ଷର କିସ୍ତି ହିସାବରେ ମାସିକ ପ୍ରାୟ ୫ଲକ୍ଷରୁ ଅଧିକ ଟଙ୍କା ଦେଇ ଏକ ବର୍ଷ ପର୍ଯ୍ୟନ୍ତ ଯାତ୍ରୀ ପରିବହନ କରିବା ପାଇଁ କ୍ଷମତା ଦିଆଯାଇଥିଲା । ଚଳିତ ବର୍ଷ ବାର୍ଷିକ ନିଲାମ ପ୍ରକ୍ରିୟା ମାର୍ଚ୍ଚ ମାସରେ ହେବାକୁ ଥିବା ବେଳେ, ହଠାତ ଫେବୃଆରୀ ମାସର ଆରମ୍ଭରୁ ଫେରିଘାଟରେ ଯାତ୍ରୀ ପରିବହନ ପାଇଁ କ୍ଷମତା ପାଇଥିବା ବ୍ୟକ୍ତିଙ୍କ ହାତରୁ କ୍ଷମତା କାଢ଼ିନେଇ ନୂତନ ବ୍ୟକ୍ତିଙ୍କୁ ଫେରି ଘାଟରେ ଯାତ୍ରୀ ପରିବହନ କରିବାକୁ କ୍ଷମତା ପ୍ରଦାନ କରାଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ ନାନା ସମାଲୋଚନା ସୃଷ୍ଟି କରିଛି । ମାର୍ଚ୍ଚ ମାସରେ ଘାଟ ବାର୍ଷିକ ନିଲାମ ହେବାକୁ ଥିବା ବେଳେ, ମାତ୍ର ଏକ ମାସ ପୂର୍ବରୁ ଯାତ୍ରୀ ପରିବହନ ଦାଇତ୍ୱ ହସ୍ତାନ୍ତର କାହିଁକି ଏବଂ କାହା ସ୍ୱାର୍ଥରେ କରାଯାଇଛି? ବାହାକୁଦ-ମୂଷାଡ଼ିଆ ଫେରି ଘାଟ ସ୍ଥାନୀୟ ପ୍ରଶାସନର ନିୟନ୍ତ୍ରଣରେ ରହିବା ବଦଳରେ କିଛି ସ୍ଥାନୀୟ ରାଜନେତାଙ୍କ ଇଙ୍ଗିତରେ ଚାଲୁଛି ଯାହା ଫଳରେ ବିଭିନ୍ନ ସମୟରେ ଘାଟ ପାରି ହେଉଥିବା ଯାତ୍ରୀମାନେ ନାନା ଅସୁବିଧାର ଭୋଗୁଛନ୍ତି । ଘାଟ ନିଲାମ ନହେବା ଫଳରେ ପଞ୍ଚାୟତ ଆର୍ଥିକ କ୍ଷତି ସହୁଥିବା ବେଳେ, କିଛି ନିର୍ଦ୍ଧିଷ୍ଟ ବ୍ୟକ୍ତି ବେଶ ଲାଭାନିତ୍ୱ ହେଉଛନ୍ତି । ପ୍ରଶାସନ ଏହା ଉପରେ ରୋକ୍ ଲଗାଇ ବାର୍ଷିକ ନିଲାମ ପ୍ରକ୍ରିୟା ମାଧ୍ୟମରେ ନିଲାମଧାରୀ ଚୟନ କରାଯାଇ ଯାତ୍ରୀ ପରିବହନ ଦାଇତ୍ୱ ନ୍ୟାସ୍ଥ କରାଗଲେ ପଞ୍ଚାୟତ ଆର୍ଥିକ ଅବସ୍ଥାରେ ଅଭିବୃଦ୍ଧି ଘଟିବା ସହିତ ମହାନଦୀ ବାହାକୁଦ ଫେରି ଘାଟରେ ଯାତ୍ରୀ ପରିବହନ ସୁରକ୍ଷିତ ହୋଇପାରନ୍ତା ।