ଜରାଜୀର୍ଣ୍ଣ ଅବସ୍ଥାରେ ଅଙ୍ଗନବାଡି କେନ୍ଦ୍ର 

 ରାଜନଗର: ରାଜନଗର ବ୍ଲକରେ ଅଙ୍ଗନବାଡି ଗୃହ ନିର୍ମାଣ ସରିବା ପରେ ବି ବର୍ଷ ବର୍ଷ ଧରି ତାଲା ଝୁଲୁଛି । ଏହି ବ୍ଲକ ହାତିନା ପଞ୍ଚାୟତ ଜୁଣପଙ୍ଗରା ଗ୍ରାମରେ ୨୦୨୧ ଜୁନ୍ ମାସରୁ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ସରିଥିଲେ ମଧ୍ୟ ଗ୍ରାମବାସୀ କିମ୍ବା ଅଙ୍ଗନବାଡି କର୍ମୀଙ୍କୁ ହସ୍ତାନ୍ତର ହେଉନାହିଁ । ଯାହାଦ୍ୱାରା ନବନିର୍ମିତ ଅଙ୍ଗନବାଡି କେନ୍ଦ୍ରର ଅନେକ ସ୍ଥାନରୁ ରଙ୍ଗ ଛାଡି ଯାଇଥିବାର ଦେଖିବାକୁ ମିଳିଥିବାବେଳେ ଏଥିରେ ଲାଗିଥିବା କବାଟଗୁଡିକର ତଳପଟ ନଷ୍ଟ ହେବାରେ ଲାଗିଲାଣି । ତେବେ ଏହି ଅଙ୍ଗନବାଡି କେନ୍ଦ୍ରକୁ ପଞ୍ଚାୟତର ବିକାଶ ଫର୍ଦ୍ଦରେ ଆମ ଓଡିଶା ନବୀନ ଓଡିଶା ବହିରେ ଯୋଡି ଦିଆଯାଇଛି । ୭ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହୋଇଥିବା ଏହି କେନ୍ଦ୍ରଟିକୁ ପ୍ରଶାସନ ହସ୍ତାନ୍ତର କରିନଥିବାରୁ ଦୀର୍ଘଦିନ ହେବ ତାଲା ପଡି ରହିଛି । ଗ୍ରାମବାସୀମାନେ ଏ ନେଇ ଅଭିଯୋଗ କଲେ ମଧ୍ୟ କେହି ଶୁଣିବାକୁ ନାହାଁନ୍ତି । ଯାହାଫଳରେ କେଉଁଠି ଅଧାଭଙ୍ଗା ଅସୁରକ୍ଷିତ କୋଠା, ବିଦ୍ୟାଳୟ ବାରଣ୍ଡା, ଗଛମୂଳରେ ଅଙ୍ଗନବାଡି କେନ୍ଦ୍ର ଚାଲିଥିବା ଦେଖିବାକୁ ମିଳୁଛି । ଅଙ୍ଗନବାଡି କେନ୍ଦ୍ରର ପି୍ର-ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମାଣ ସରି ରଙ୍ଗ ଦିଆଯାଇଥିଲେ ମଧ୍ୟ ତାହା କାମରେ ଆସୁନଥିବା ହାତିନା ପଞ୍ଚାୟତର ନାଏବ ସରପଞ୍ଚ ସ୍ୱର୍ଣ୍ଣଲତା ଦାସ ଅଭିଯୋଗ କରିଛନ୍ତି ।  ଖୋଦ ଯନ୍ତ୍ରୀଙ୍କ ନାମରେ ଏହି ଘର ନିର୍ମାଣର କାର୍ଯ୍ୟାଦେଶ ରହିଥିଲା ।  ଯନ୍ତ୍ରୀମାନେ ନିଜେ ନିର୍ମାଣ କାର୍ଯ୍ୟ ନ କରି ଅନ୍ୟ ଲୋକଙ୍କ ହାତକୁ ଟେକି ଦେଇଥିବା ଅଭିଯୋଗ ହେଉଛି । ଜରାଜୀର୍ଣ୍ଣ ଅବସ୍ଥାକୁ ଚାଲି ଯାଇଥିବା ଅଙ୍ଗନବାଡି କେନ୍ଦ୍ରକୁ କେମିତି ଆମ ଓଡିଶା ନବୀନ ଓଡିଶା ବହିର ପଞ୍ଚାୟତ ବିକାଶ ଫର୍ଦ୍ଦରେ ଯୋଡି ହେବା ଘଟଣା ସରକାରଙ୍କ ବହୁମୁଖୀ ସଫଳ ଯୋଜନାର ବିଫଳତାକୁ ପଦାରେ ପକାଇଛି । ଏସଂପର୍କରେ ପଞ୍ଚାୟତ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ରାଜେନ୍ଦ୍ରପ୍ରସାଦ ମହାନ୍ତିଙ୍କୁ ପଚାରିବାରୁ ମୋ ସମୟରେ ଏହି କେନ୍ଦ୍ର ନିର୍ମାଣ ହୋଇନାହିଁ । ମୁଁ ହସ୍ତାନ୍ତର କରିବାର ପ୍ରଶ୍ନ କେଉଁଠୁ ଉଠୁଛି ବୋଲି କହିଥିଲେ । ଆମ ଓଡିଶା ନବୀନ ଓଡିଶା ଆମ ପଞ୍ଚାୟତର ବିକାଶ ପୁସ୍ତିକାରେ କିପରି ଏହି ଜରାଜୀର୍ଣ୍ଣ କେନ୍ଦ୍ରର ଫଟୋକୁ ଏଡିଟିଙ୍ଗ କରି ସ୍ଥାନ ଦେଲେ ବୋଲି ପଚାରିବାରୁ ଫୋନ କାଟି ଦେଇଥିଲେ । ଏ ନେଇ ବିଡିଓ ନିଶାନ ମିଶ୍ରଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଅନୁଧ୍ୟାନ କରି ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି ।