ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ

 ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କାର୍ଯ୍ୟାଳୟ ସଦ୍ଭାବନା ଗୃହଠାରେ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ ଯୋଗ ଦେଇ ବାତ୍ୟା ଓ ବର୍ଷାର ପୂର୍ବ ସୂଚନା ପାଇବା ପରେ ଯଥାଶୀଘ୍ର ବନ୍ୟା ଆଶଙ୍କା ଥିବା ତଳିଆ ଅଞ୍ଚଳବାସୀମାନେ ସ୍ୱତଃପ୍ରବୃତ୍ତ ଭାବେ ନିଜ ଧନଜୀବନ ରକ୍ଷା ନିମନ୍ତେ ସ୍ଥାନାନ୍ତରିତ ହେବାକୁ ପରାମର୍ଶ ଦେଇଛନ୍ତି । ବୈଠକ ପ୍ରାରମ୍ଭରେ ଜିଲ୍ଲା ଆପାତ୍ତକାଳୀନ ଅଧୀକାରୀ ସୁଦୀପ୍ତ କୁମାର ସାହୁ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଆଗାମୀ ବର୍ଷା ଋତୁରେ ସାମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ଭୁବନ, ଗନ୍ଦିଆ ହିନେ୍ଦାଳ, ଆଦି ବ୍ଲକରେ ବନ୍ୟାପ୍ଲାବିତ ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତରଣ, ଜରୁରୀକାଳୀନ ସୂଚନା ନିମନ୍ତେ ଜିଲ୍ଲା ଏବଂ ବ୍ଲକସ୍ତରୀୟ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ସ୍ଥାପନ କରାଯିବା, ସମସ୍ତ ସହରାଞ୍ଚଳରେ ବର୍ଷା ପୂର୍ବରୁ ଜଳନିଷ୍କାସନ ନିମନ୍ତେ ନାଳନର୍ଦ୍ଦମା ସଫା, ନିୟମିତ ବୃଷ୍ଟିପାତ ମାପିବା, ବହୁମୁଖୀ ଆଶ୍ରୟସ୍ଥଳ ଗୁଡିକରେ ଆବଶ୍ୟକ ଖାଦ୍ୟ ସାମଗ୍ରୀ, ପାନୀୟଜଳ ମହଜୁଦ, ଆବଶ୍ୟକ ଜରୁରୀକାଳୀଣ ସମସ୍ତ ଔଷଧ ଏବଂ ସାପ କାମୁଡା ଓ କୁକୁର କାମୁଡା ଔଷଧ ଯୋଗାଣ, ଅତ୍ୟାବଶ୍ୟକ ସେବା ସୁବିଧା ପାଇଁ ଜେନେରେଟର ବ୍ୟବସ୍ଥା, ପଶୁ ସଂପଦମାନଙ୍କର ସୁରକ୍ଷା, ନଳକୂଅ-କୂଅରେ ବ୍ଲିଚିଂ ଦ୍ୱାରା ବିଶୋଧନ, ବନ୍ୟା ପରେ ଉଦ୍ୟାନ କୃଷି କାର୍ଯ୍ୟ, ଓଡ୍ରାଫର ପ୍ରସ୍ତୁତି, ବାତ୍ୟାପରେ ପୁନଃ ବିଦୁ୍ୟତ୍ ସରବରାହ କାର୍ଯ୍ୟ, ତଳିଆ ଅଞ୍ଚଳରୁ ଅଗ୍ନିଶମ ବିଭାଗ ପକ୍ଷରୁ ଜଳ ନିଷ୍କାସନ ବ୍ୟବସ୍ଥା, ବନ୍ୟା ଜଳରେ ବୁଡି ରହିଥିବା ରାସ୍ତା ଓ ପୋଲକୁ ବାରିକେଡିଂ କରି ଯାତାୟାତକୁ ବନ୍ଦ ରଖିବା ଓ ଟ୍ରାଫିକ୍ ପରିଚାଳନା ସଂପର୍କରେ ଆଲୋଚନା କରାଯାଇଥିଲା । ବୈଠକରେ ବିଭିନ୍ନ ଲାଇନ ଡିପାର୍ଟମେଣ୍ଟର ଅଧିକାରୀ, ସମସ୍ତ ବିଡିଓ ଏବଂ ତହସିଲଦାର ଯୋଗ ଦେଇ ବିପର୍ଯ୍ୟୟ ପରିଚାଳନାର ପୂର୍ବ ପ୍ରସ୍ତୁତି ସଂପର୍କରେ ଆଲୋଚନା କରିଥିଲେ । ଶେଷରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଦିପ୍ତି ରଂଜନ ସେଠୀ, ସଂପୃକ୍ତ ସମସ୍ତ ବିଭାଗୀୟ ଅଧିକାରୀ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାକୁ ଏକ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରି ଜିଲ୍ଲାବାସୀଙ୍କ ଧନ ଜୀବନ ରକ୍ଷା ନିମନ୍ତେ ସଂପୂର୍ଣ୍ଣ ପ୍ରସ୍ତୁତ ରହିବାକୁ କହିଥିଲେ ।