ପ୍ରାଣୀଙ୍କଠାରୁ ସଂକ୍ରମଣ
ଡା.ଉମେଶ ଚନ୍ଦ୍ର ପାତ୍ର: ପ୍ରାଣୀମାନଙ୍କ ଠାରୁ ରୋଗ ସଂକ୍ରମିତ ହୁଏ ଏହା ଅନେକ ହୁଏତ ଜାଣି ନଥାନ୍ତି । କିନ୍ତୁ ଏ ସବୁ ଭିତରେ ସଂପ୍ରତି ଏକ ହାଇକୋର୍ଟଙ୍କ ରାୟ ଏ ଦିଗ ପାଇଁ ସମସ୍ତଙ୍କ ଭିତରେ ଏକ ସଚେତନତା ସୃଷ୍ଟି କରିଛି । ନିକଟରେ ମୁମ୍ବାଇ ହାଇକୋର୍ଟର ନ୍ୟାୟମୂର୍ତ୍ତି ଜଷ୍ଟିସ ଜି.ଏସ.କୁଲକର୍ଣ୍ଣୀ ଓ ଜଷ୍ଟିସ ଆରିଫ୍ଙ୍କ ଖଣ୍ଡପୀଠ ଏକ ମାମଲା ସଂପର୍କରେ ସୂଚୀତ ହେବାପରେ ତାଙ୍କ ରାୟରେ ଦର୍ଶାଇଛନ୍ତି ଯେ ପାରା ମାନଙ୍କୁ ଦାନା ଦେବା ସାର୍ବଜନୀକ ଉପଦ୍ରବ ସୃଷ୍ଟି କରିଥାଏ । କାରଣ ଏହା ଜନ ସ୍ୱାସ୍ଥ୍ୟ ସହ ଜଡ଼ିତ ଏବଂ ସବୁ ବୟସର ଲୋକମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଏହା ବିପଦଜନକ । ଏଥିସହିତ ମାନ୍ୟବର ଖଣ୍ଡପୀଠ ପାରା ମାନଙ୍କୁ ଦାନା ଖୁଆଉଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବା ଲାଗି ମୁମ୍ବାଇ ନଗର ନିଗମକୁ ନିଦେ୍ର୍ଦଶ ଦେଇଛନ୍ତି । ଖଣ୍ଡପୀଠ ଏହା ଦର୍ଶାଇଛନ୍ତି ଯେ ପାରା ବା ଅନ୍ୟାନ୍ୟ ପଶୁପକ୍ଷୀଙ୍କୁ ବାହାର ସ୍ଥାନରେ ଖାଦ୍ୟ ଦେବା ଦ୍ୱାରା ଏହା ରୋଗ ବ୍ୟାପିପାରେ । ସର୍ବୋପରି ପାରାର ମଳ, ପର ଏବଂ ଶରୀରରୁ ବାହାରୁ ଥିବା ଧୂଳିକଣା ଆଦି ବା ପରଜୀବୀଙ୍କ ଜରିଆରେ ରୋଗ ମଣିଷଙ୍କୁ ସଂକ୍ରମିତ ହୋଇପାରେ । ଫଳରେ ମଣିଷ ଜୀବନ ବିପଦରେ ପଡ଼ିବାର ସମ୍ଭାବନା ରହିଛି ବୋଲି ଅଦାଲତ କହିବା ସହ କେହି ଏହି ନିଦେ୍ର୍ଦଶକୁ ଅବମାନନା କରି ପାରାଙ୍କୁ ଦାନା ଦେଲେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ହାଇକୋର୍ଟ ନିଦେ୍ର୍ଦଶ ଦେଇଛନ୍ତି । ନିଭ ପାରାମିକ୍ସୋଭିରିଡ଼େ ଭୂତାଣୁ (ନିପା ଭାରଇସ) ସଂକ୍ରମଣ ଘାତକ ସାବ୍ୟସ୍ତ ହୋଇଛି । ଟେରୋପସ ଫୁଟ ବ୍ୟାଟ ବାଦୁଡ଼ି ଓ ଘୁଷୁରିଙ୍କ ଦ୍ୱାରା ସଂକ୍ରମିତ ହେଉଥିବା ଏହି ରୋଗ ପ୍ରଥମେ ୧୯୯୮ ମସିହାରେ ମାଲେସିଆରେ ଚିହ୍ନଟ ହୋଇଥିଲା । ନିପା ଭାଇରସ ହେତୁ ଏନସେଫାଲାଇଟିସ ଓ ଶ୍ୱାସକ୍ରିୟାରେ ସମସ୍ୟା ସୃଷ୍ଟି ହୁଏ, ଯାହାଦ୍ୱାରା ମଣିଷର ମୃତୁ୍ୟ ବି ହୋଇଯାଏ । ୨୦୦୧ରୁ ୨୦୨୧ ମସିହା ଭିତରେ ପଶ୍ଚିମବଙ୍ଗ ଓ କେରଳରେ ଏହାର ପ୍ରାଦୁର୍ଭାବ ଦେଖାଯାଇଛି ଏବଂ ଅନେକେ ଏଥିରେ ପ୍ରାଣ ହରାଇଥିବାର ସୂଚନା ରହିଛି ।
ସ୍କ୍ରବ ଟାଇଫସ ପ୍ରାଣୀ ଶରୀରରେ ଥିବା ଭୂତାଣୁ ଓ ଜୀବାଣୁ ଦ୍ୱାରା ହୋଇଥାଏ । ଏହା ମଶା କିମ୍ବା ଟିଙ୍କ ଭଳି କ୍ଷୁଦ୍ର ଜୀବଙ୍କ ମାଧ୍ୟମରେ ମାନବ ଶରୀରକୁ ଆସିଥାଏ । ସାଧାରଣତଃ ଜ୍ୱର, କାଶ, ବାନ୍ତି, ମୁଣ୍ଡବିନ୍ଧା, ଶ୍ୱାସକ୍ରିୟାରେ କଷ୍ଟ ଏହି ରୋଗର ଲକ୍ଷଣ । ପ୍ରାୟ ଏକ ତୃତୀୟାଂଶ ପ୍ରଭାବିତ ହୃଦରୋଗ, ବୃକକ୍, ଫୁସଫୁସ ଓ ଯକୃତଜନିତ ରୋଗରେ ପୀଡ଼ିତ ହୋଇଥାନ୍ତି । ପ୍ରତିବର୍ଷ ବିଶ୍ୱବ୍ୟାପୀ ପ୍ରାୟ ୧୦ଲକ୍ଷ ଲୋକ ଏଥିରେ ମୃତୁ୍ୟବରଣ କରୁଛନ୍ତି । ୨୦୨୩ରେ ସାରା ଦେଶ ଏହାର ସମ୍ମୁଖୀନ ହୋଇତôଲା । ହିମାଚଳ ପ୍ରଦେଶ ଓ ଓଡ଼ିଶା ସବୁଠାରୁ ଅଧିକ ପ୍ରଭାବିତ ରାଜ୍ୟ ମଧ୍ୟରେ ଥିଲେ ।
ପ୍ରାଣୀଙ୍କ ଶରୀରରେ ଥିବା ବାସିଲସ ଆନ୍ଥ୍ରାସିସ୍ ବ୍ୟାକଟେରିଆ ମଣିଷ ଦେହକୁ ଆସିଲେ ‘ଆନ୍ଥ୍ରାକ୍ସ’ ହୋଇଥାଏ । ଅସୁସ୍ଥ ଗୃହପାଳିତ ପ୍ରାଣୀଙ୍କ ଚର୍ମ ସହିତ ମଣିଷର ଚର୍ମ ସଂସ୍ପର୍ଶରେ ଆସିଲେ ସଂକ୍ରମଣ ହୋଇଥାଏ । ଏହାଦ୍ୱାରା ଚର୍ମରେ ଘା' ଓ କେତେକ କ୍ଷେତ୍ରରେ ଝାଡ଼ା, ବାନ୍ତି ଓ ଜ୍ୱର ବି ହୋଇଥାଏ । ଭାରତୀୟ କୃଷି ଗବେଷଣା ପରିଷଦର ଏକ ପୂର୍ବାନୁମାନ ଅନୁସାରେ ୨୦୨୫ରେ ଭାରତର ୭୩୬ଜିଲ୍ଲାରେ ଆନ୍ଥ୍ରାକ୍ସ କବଳିତ ହେବାର ଆଶଙ୍କା ରହିଛି । ଓଡ଼ିଶାର କୋରାପୁଟ, ରାୟଗଡ଼ା, ମାଲକାନାଗିରି, ସୁନ୍ଦରଗଡ଼ ପରି ଜିଲ୍ଲା ଆନ୍ଥ୍ରାକ୍ସ ପ୍ରବଣ ବୋଲି ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟ ଦେଇଛି । ୧୯୫୭ ମସିହାରେ ‘ମଙ୍କି ଫିଭର’ ସଂକ୍ରମଣ କର୍ଣ୍ଣାଟକର କାଇସାନୁର ଜଙ୍ଗଲରୁ ପ୍ରଥମେ ଚିହ୍ନଟ ହୋଇଥିଲା । ଏହି ରୋଗ କାଇସାନୁର ଫରେଷ୍ଟ ଡିଜିଜ ଭାବେ ଜଣାଶୁଣା । ମାଙ୍କଡ଼ ମାନଙ୍କ ଶରୀରରେ ଥିବା ଏକ ପ୍ରକାର ଟିଙ୍କ କାମୁଡ଼ିବା ଦ୍ୱାରା ଏହି ରୋଗ ଭୂତାଣୁ ମଣିଷକୁ ଆକ୍ରାନ୍ତ କରେ । ଏହି ଭୂତାଣୁ ଫ୍ଲାଭିଭିରଡ଼ା ଶ୍ରେଣୀର ଏବଂ ଗୋଟାଏ ଅସୁସ୍ଥ ମାଙ୍କଡ଼ ଦେହରେ ପ୍ରଥମେ ଚିହ୍ନଟ ହୋଇଥିଲା । ଭାରତରେ ପ୍ରତିବର୍ଷ ୪୦୦ରୁ ୫୦୦ ଲୋକ ଏହି ରୋଗରେ ଆକ୍ରାନ୍ତ ହେଉଥିବାବେଳେ ପ୍ରାୟ ୨୫ ଜଣଙ୍କର ମୃତୁ୍ୟ ହୋଇଥାଏ ବୋଲି ସୂଚନା ରହିଛି । ପ୍ରାଣୀଙ୍କ ଠାରୁ ସଂକ୍ରମିତ ରୋଗ ସମ୍ପର୍କରେ ଆଲୋଚନା କଲାବେଳେ ଆମେ ଭୟାବହ କରୋନା ମହାମାରୀ ପ୍ରସଙ୍ଗକୁ ଟିକେ ମନେ ପକାଇବା । ୨୦୧୯ରେ ଚୀନର ଉହାନ ସହରର ସି'ଫୁଡ଼ ମାର୍କେଟରେ ଯେଉଁ କୋଭିଡ଼ ଭୂତାଣୁର ପ୍ରଥମ ସଂକ୍ରମଣ ଚିହ୍ନଟ ହୋଇଥିଲା ତାହା ସମଗ୍ର ବିଶ୍ୱକୁ ଖେଳି ଯାଇଥିଲା । ବିଶ୍ୱ ବିଖ୍ୟାତ ପତ୍ରିକା "ନେଚର'ର ସୂତ୍ର ଅନୁଯାୟୀ ଏହି କରୋନା ଭୂତାଣୁ ବାଦୁଡ଼ି ଠାରୁ କୌଣସି ମାଧ୍ୟମ ଦ୍ୱାରା ମଣିଷ ଶରୀରକୁ ଆସିଥିଲା । ତେବେ ପ୍ରାଣୀ ଶରୀରରେ ଥିବା ଜୀବାଣୁ କିମ୍ବା ଭୂତାଣୁ ଦ୍ୱାରା ମଣିଷର ସ୍ୱାସ୍ଥ୍ୟ ସଂକ୍ରମଣ ଶିକାର ହୋଇ ରୋଗଗ୍ରସ୍ତ ହେବା କିଛି ନୂଆ ନୁହେଁ । ମହାରାଷ୍ଟ୍ର ଓ ଗୁଜୁରାଟରେ ଭୟାବହ ପ୍ଲେଗ ମହାମାରୀ ମଧ୍ୟ ଏହି ରୋଗ ସଂକ୍ରମିତ କାରଣ ପାଇଁ ସଂଗଠିତ ହୋଇଥିଲା । ଆମ ଚିକିତ୍ସା ବିଜ୍ଞାନ ଭାଷାରେ ଏହାକୁ "ଜୁନୋଟିକ୍ ଡିଜିଜେଜ୍' କୁହାଯାଇଥାଏ ।
ବର୍ତ୍ତମାନ ଦେଖାଯାଉଛି ବିଭିନ୍ନ ଜୁନୋଟିକ ଡିଜିଜର ସଂକ୍ରମଣ ବଢ଼ିଛି । ଭାରତରେ ସ୍କ୍ରବଟାଇଫସ ଠାରୁ ନିପା ସଂକ୍ରମଣ, ଆନ୍ଥ୍ରାକ୍ସ ଠାରୁ ଲାଇନ ଡିଜିଜ, କ୍ରୁଜଫେଲଡ଼ ଜାକୋବ ଡିଜିଜ ଠାରୁ ଫଙ୍ଗଲ ଡିଜିଜ ଯାହାକୁ ଜୋକ୍ସିଡିଓସିସ୍, ହିସଟୋପ୍ଲାଜମୋସିସ୍, ମେନିନଜାଇଟିସ୍ ଭଳି ରୋଗର ସଂକ୍ରମଣରେ ଆମ୍ଭେମାନେ ଶିକାର ହେଉଛୁ । ଏ କ୍ଷେତ୍ରରେ ସଂକ୍ରମିତ ଜଣଙ୍କ ପ୍ରାଥମିକ ପ୍ରଭାବ, ପ୍ରତିକ୍ରିୟା ଓ ଲକ୍ଷଣକୁ ଦେଖି ତୁରନ୍ତ ଚିକିତ୍ସା କରିବା ଜରୁରୀ । ତେବେ ଅନେକ ହୁଏତ ଜାଣିନାହାଁନ୍ତି ଏ ସବୁ ରୋଗ ବିଶେଷକରି ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ କୁହାଯାଉଥିବା ଲିଭର ଓ ପେଟକୁ ସଂକ୍ରମିତ କରିଥାଏ । ଭୋକ ନହେବା, ଖାଦ୍ୟ ପ୍ରତି ଅରୁଚି, ଅସ୍ୱାଭାବିକ ବାନ୍ତି, ପେଟ ଟାଣିବା ପରି ବିଭିନ୍ନ ଲିଭର ସମ୍ବନ୍ଧୀୟ ଯନ୍ତ୍ରଣା ଓ ପରିପାଶ୍ୱର୍ିକ ପ୍ରତିକ୍ରିୟା ସୃଷ୍ଟି କରିଥାଏ । ଯେଉଁମାନେ ନିଶାଦ୍ରବ୍ୟ ସେବନ କରୁଥାନ୍ତି କିମ୍ବା ମଦ୍ୟପାନ କରୁଥାନ୍ତି ସେମାନେ ଏହି ଜୁନୋଟିକ ଡିଜିଜେଜର ସହଜ ଶିକାର ହୋଇଥାନ୍ତି । ତେବେ ସବୁଠାରୁ ବଡ଼ କଥା ହେଉଛି ଜଣେ ଏକ୍ଷେତ୍ରରେ ସଂକ୍ରମିତ ହେବାପରେ ପ୍ରାଥମିକ ଭାବେ ଏହାକୁ ହାଲକା ଭାବେ ଗ୍ରହଣ କରିଥାନ୍ତି ଯାହାଦ୍ୱାରା ଚିକିତ୍ସା ପାଇଁ ଡାକ୍ତରୀ ପରାମର୍ଶ ନେଲାବେଳକୁ ଏହା ବହୁତ ବିଳମ୍ବ ହୋଇଯାଇଥାଏ । ତେଣୁ ଏ କ୍ଷେତ୍ରରେ ତୁରନ୍ତ ଲିଭର ବିଶେଷଜ୍ଞ ଓ ମେଡ଼ିସିନ ବିଶେଷଜ୍ଞଙ୍କ ପରାମର୍ଶ ନେବା ଜରୁରି । ବାହାର ଖାଦ୍ୟ ପ୍ରତି ଆଗ୍ରହ ନରଖିବା ଭଲ । ଘରୋଇ ଖାଦ୍ୟ, ସୁଷମ ଖାଦ୍ୟ, ନିରାମିଷ ଖାଦ୍ୟ ଓ ବିଶୁଦ୍ଧ ଫୁଟାପାଣି ଆପଣଙ୍କ ପାଇଁ ସବୁଠାରୁ ଭଲ । ଘରେ ବା ବାହାରେ କୌଣସି ପଶୁପକ୍ଷୀଙ୍କୁ ଖାଦ୍ୟ ଦେଉଥିଲେ ପ୍ରଥମତଃ ତାଙ୍କ ଖାଦ୍ୟ ଯେପରି ପରିଷ୍କାର ଓ ଖାଦ୍ୟଉପଯୋଗୀ ଏ ଦିଗକୁ ଅଣଦେଖା କରନ୍ତୁ ନାହିଁ । ସେମାନଙ୍କୁ ଖାଦ୍ୟ ଦେଉଥିବା ସ୍ଥାନ ମଧ୍ୟ ପରିଷ୍କାର ପରିଚ୍ଛନ୍ନ ହେବା ଜରୁରି । ସେମାନଙ୍କୁ ଖାଦ୍ୟ ଦେବା ପରେ ଆପଣ ଭଲ ଭାବେ ନିଜକୁ ସଫାସୁତୁରା ରଖନ୍ତୁ । ଆପଣ କୌଣସି କ୍ଷେତ୍ରରେ ଜୁନୋଟିକ୍ ଡିଜିଜର ସଂକ୍ରମିତ ହେଲେ ଏ ନେଇ ଭୟଭୀତ ନ ହୋଇ ସର୍ବପ୍ରଥମେ ସରକାରୀ ଡାକ୍ତରଖାନାର ସୁଯୋଗ ନିଅନ୍ତୁ । ଧୈର୍ଯ୍ୟହରା ହୁଅନ୍ତୁ ନାହିଁ ଏବଂ ଚିକିତ୍ସକଙ୍କ ଉପରେ ବିଶ୍ୱାସ ରଖିବା ସହ ନିଜ ଇଷ୍ଟଙ୍କୁ ସ୍ମରଣ କରି ଚିକିତ୍ସା ଜାରି ରଖିଲେ ଜୁନୋଟିକ ଡିଜିଜ ଆପଣଙ୍କ ପାଇଁ ଘାତକ ସାବ୍ୟସ୍ତ ହେବନାହିଁ ।
ମୋ : ୯୪୩୭୦୫୧୯୫୭