ପ୍ରେମରେ ଉବୁଟୁବୁ ହୋଇ ମା’ ପାଲଟିଲା ସଇତାନ 

ପ୍ରେମରେ ଉବୁଟୁବୁ ହୋଇ ମା’ ପାଲଟିଲା ସଇତାନ 

ପ୍ରେମିକ ସହ ମିଶି ୩ ଦିନ କାଳ ଦୁଇ ଛୁଆଙ୍କୁ ଦେଉଥିଲେ ଚେଙ୍କ; ସ୍ୱାମୀର ଅଭିଯୋଗ ପରେ ଦୁହିଁଙ୍କୁ ବାନ୍ଧିଲା ପୁଲିସ
ଭୁବନେଶ୍ୱର, ୧୫ା୧୧ : ସ୍ୱାମୀ ଥାଉ ଥାଉ ଅନୈତିକ ସମ୍ପର୍କରେ ଉବୁଟୁବୁ ହୋଇ ରହିଥିଲା ମା’ । ଏହାକୁ ବିରୋଧ କରିବାରୁ ପିଲାଙ୍କ ପାଇଁ ସଇତାନ ପାଲଟିଲା ଜନ୍ମକଲା ମା' । ଦୁଇ ଛୁଆ ପାଟି ଫିଟାଇବାରୁ ଶାସ୍ତି ସ୍ୱରୁପ ମା’ ପିଲାଙ୍କୁ ପ୍ରେମିକ ଦ୍ୱାରା ୩ ଦିନ କାଳ ଘରେ ବନ୍ଦ କରି ଦେଉଥିଲେ ଚେଙ୍କ  । ଏପରି ଅକଥନୀୟ ନିର୍ଯାତନା ଚାଲିଥିବା ବେଳେ, ଖବର ପାଇ ଦୁଇ ପିଲାଙ୍କୁ ବନ୍ଦଘରୁ ଉଦ୍ଧାର କରିଛି ମୈତ୍ରୀବିହାର ଥାନା ପୁଲିସ । ଏପରି ଏକ ଲଜ୍ଜା ଜନକ ଘଟଣା ଘଟିଛି ମୈତ୍ରୀବିହାର ଥାନା ଅଧିନ ସାଲିଆସାହି ମହାବୀର ବସ୍ତିରେ  । ଦୁଇ ପିଲାଙ୍କୁ ଗରମ ଷଣ୍ଡୁଆଶୀରେ ଶରୀରର ବିଭିନ୍ନ ସ୍ଥାନରେ ଚେଙ୍କ ଦିଆଯାଇଛି । ଏହି ଘଟଣାରେ ପୁଲିସ ପୀଡିତ ପିଲାଙ୍କ ମା’ ସୁମିତ୍ରା ମହାପାତ୍ର ଓ ତାଙ୍କ ପ୍ରେମିକ ରାଜୁ ନାୟକଙ୍କୁ ଗତକାଲି ରାତିରେ ଗିରଫ କରି ଅଟକ ରଖି ପଚରାଉଚରା କରୁଥିବା ବେଳେ, ଆଜି ଦୁହିଁଙ୍କୁ କୋର୍ଟ ଚାଲାଣ କରାଯାଇଛି । 
ସୂଚନା ଯୋଗ୍ୟଯେ, ଅଭିଯୋଗକାରୀ ପ୍ରସନ୍ନ ମହାପାତ୍ର ନିଜ ସ୍ତ୍ରୀ ଏବଂ ଦୁଇ ଛୁଆଙ୍କୁ ଧରି ସାଲିଆସାହିର ମହାବୀରନଗର ଠାରେ ଥିବା ଘରେ ଛାଡି ଗତ ୧ ବର୍ଷ ହେବ ବାହାରେ ରହି କାମ କରୁଛନ୍ତି । ତାଙ୍କ ଅନୁପସ୍ଥିତିରେ ଅଭିଯୁକ୍ତ ରାଜୁ ନାୟକ ସହିତ ତାଙ୍କ ସ୍ତ୍ରୀଙ୍କ ସହ ବନ୍ଧୁତା ହୋଇଥିଲା ଏବଂ ଅଭିଯୁକ୍ତ ଜଣକ ପ୍ରାୟ ସମୟ ଅଭିଯୋଗକାରୀଙ୍କ ଘରକୁ ଆସିଥାନ୍ତି । ଯାହାକୁ ପିଲାମାନେ ବିରୋଧ କରିଆସୁଥିଲେ । ଯାହାଦ୍ୱାରା ଦୁଇ ଛୁଆଙ୍କୁ ପ୍ରେମିକ ସହ ମିଶି ମା' ଚେଙ୍କ ଦେଉଥିଲେ । ସବୁଦିନ ପରି ଘଟଣା ଦିନ ଅର୍ଥାତ ଗୁରୁବାର ସନ୍ଧ୍ୟାରେ ଅଭିଯୋଗକାରୀଙ୍କ ଦୁଇ ସନ୍ତାନ ଅଭିଯୁକ୍ତ ରାଜୁ ନାୟକଙ୍କ ତାଙ୍କ ଘରକୁ ଆସିବାକୁ ନେଇ ପୁଣି ବିରୋଧ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଅଭିଯୁକ୍ତ ଓ ଦୁଇ ଛୁଆର ମା' ଭିତରୁ କବାଟ ବନ୍ଦ କରି ଦୁଇ ଛୁଆଙ୍କୁ ଗରମ ଚେଙ୍କ ଦେବା ଆରମ୍ଭ କରିଦେଇଥିଲେ । ପରେ ଅଭିଯୁକ୍ତ ଜଣକ ନିକଟସ୍ଥ ଏକ ମେଡିକାଲ ଷ୍ଟୋରରୁ କିଛଇ ମେଡିସିନ ଆଣି ଉଭୟଙ୍କ ଦେହରେ ହୋଇଥିବା କ୍ଷତ ସ୍ଥାନରେ ଲଗାଇବା ସହ ଉଭୟଙ୍କୁ ବାହାର ପଟୁ 
ତାଲା ପକାଇ ବନ୍ଦ କରିଦେଇଥିଲେ । ଏହି ଘଟଣା ବିଷୟରେ ପଡୋଷିଙ୍କ ଠାରୁ ଓ ପୀଡ଼ିତା ସନ୍ତାନଙ୍କ ନିକଟରୁ ସୂଚନା ପାଇବା ପରେ ଅଭିଯୋଗକାରୀ ବାପା ପ୍ରସନ୍ନ ମହାପାତ୍ର ସଙ୍ଗେ ସଙ୍ଗେ ମହାବୀରନଗର ସ୍ଥିତ ଘରେ ପହଞ୍ଚିବା ସହିତ ଦୁଇ ଛୁଆଙ୍କୁ ବନ୍ଦ ଘରୁ ଉଦ୍ଧାର କରିଥିଲେ । ପରେ ଏନେଇ ଅଭିଯୁକ୍ତ ଓ ନିଜ ସ୍ତ୍ରୀ ନାଁରେ ମୈତ୍ରୀବିହାର ଥାନାକୁ ଯାଇ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲାକୁ ଗୁରୁତ୍ୱସହ ନେଇ ଏକ ମାମଲା ରୁଜୁକରି ପିଲାଙ୍କ ବୟାନ ରେକଡ କରି ସଙ୍ଗେ ସଙ୍ଗେ ଚଢ଼ାଉ କରି ଦୁହିଙ୍କୁ ଗିରଫ କରି ଥାନାକୁ ନେଇ ସେଠାରେ ପଚରାଉଚରା ଚଳାଇ ଆଜି ଦୁହିଙ୍କୁ କୋର୍ଟ ଚାଲାଣ କରାଯାଇଛି ।