ଫିଟ୍ ଇଣ୍ଡିଆ ସାଇକେଲ୍ ଚାଳନା ଅଭିଯାନ
ଭୁବନେଶ୍ୱର : ମଙ୍ଗଳବାର କଟକ ସହରରେ ଫିଟ୍ ଇଣ୍ଡିଆ ସାଇକେଲ ଚାଳନା ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସାଇକେଲ୍ ଚଳାଇବା ଏବଂ ଶାରୀରିକ ଭାବେ ଫିଟ୍ ରହିବା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା । ସାଇକେଲ୍ ଶୋଭାଯାତ୍ରା ଐତିହାସିକ କଟକ ବାରବାଟୀ ଦୁର୍ଗ ଠାରୁ ଆରମ୍ଭ ହୋଇ ସମାଜ ଅଫିସ ସାମ୍ନା ହୋଇ ୪ କିଲୋମିଟର ମାର୍ଗ ଅତିକ୍ରମ କରିବା ପରେ ବାରବାଟୀ ଷ୍ଟାଡିୟମ ପରିସରରେ ସମାପ୍ତ ହୋଇଥିଲା । ଜଗତପୁରର ସାଇ ନେସନାଲ ସେଣ୍ଟର୍ ଅଫ୍ ଏକ୍ସଲେନ୍ସ ଅନୁଷ୍ଠାନ, ଓଡିଶା ସାଇକ୍ଲିଂ ଆସୋସିଏସନ, ଜିଲ୍ଲା ଶିକ୍ଷା ବିଭାଗ, ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଏବଂ ଓଡିଶା ପୁଲିସ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । କଟକ ଇନଡୋର ଷ୍ଟାଡିୟମ ଆଗରୁ ଅଲିମ୍ପିଆନ୍ ଡିପି ଇରାନୀ ଏହାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଓଡିଶା ସାଇକ୍ଲିଂ ଆସୋସିଏସନର ସାଧାରଣ ସମ୍ପାଦକ ପ୍ରସନ୍ନ କୁମାର ରାଉତ, କର୍ପୋରେଟର ଲିଜାରାଣୀ ରାଉତ, ଟିଏନ୍ ସାହୁ, ରୋଇଂ କ୍ରୀଡାବିତ୍ ରିତୁ କାୱଡି, ଦୀପା ଖେସ୍ ପ୍ରମୁଖ ଉପସ୍ଥିତ ଥିଲେ । ସାଇକେଲ ଶୋଭାଯାତ୍ରାରେ ବହୁ କ୍ରୀଡା ପ୍ରେମୀ, ସ୍କୁଲ ଛାତ୍ରଛାତ୍ରୀ ଓ ଅବସରପ୍ରାପ୍ତ କର୍ମଚାରୀ ସାମିଲ ହୋଇ ଏହାକୁ ସଫଳ କରିଥିଲେ । ଫିଟ୍ ଇଣ୍ଡିଆ ଅଭିଯାନ, ପ୍ରଦୂଷଣ ମୁକ୍ତ ଯାତାୟାତ ପାଇଁ ସାଇକେଲ୍ ଚାଳନା ଓ ପରିବେଶ ସୁରକ୍ଷା ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଯାଇଥିଲା ।