ଫେଲ ମାରିଲା ଛତୁଆ ଦିବସ ଦୁଇ ମାସର ଛତୁଆ ପାଇନଥିବା ଅଭିଯୋଗ

ଫେଲ ମାରିଲା ଛତୁଆ ଦିବସ ଦୁଇ ମାସର ଛତୁଆ ପାଇନଥିବା ଅଭିଯୋଗ

ରାଜନଗର : ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ପ୍ରତିମାସର ୧ତାରିଖକୁ ଛତୁଆ ଦିବସ ରୂପେ ପାଳନ କରାଯାଉଛି । ସବୁ ମାସ ପହିଲା ପୂର୍ବରୁ ଅଙ୍ଗନବାଡି କେନ୍ଦ୍ରଗୁଡିକୁ ଛତୁଆ ଆଦି ଖାଦ୍ୟ ସାମଗ୍ରୀ ଯୋଗାଣ କରାଯାଇଥାଏ । ଏହି ଛତୁଆକୁ କେନ୍ଦ୍ରର କର୍ମୀମାନେ ହିତାଧିକାରୀଙ୍କୁ ବଂଟନ କରି ଏହାର ଫଟୋକୁ ବିଭାଗୀୟ ଗ୍ରୁପରେ ପୋଷ୍ଟ କରି ଛତୁଆ ଦିବସ ପାଳନ କରିଥାନ୍ତି । ମାତ୍ର କିଛି ଅଙ୍ଗନବାଡି କେନ୍ଦ୍ରରେ ଦୁଇମାସ ହେବ ଛତୁଆ ମିଳିନାହିଁ କି ଛତୁଆ ଦିବସ ପାଳନ ହୋଇ ନଥିବା ଅଭିଯୋଗ ହେଉଛି । ଯାହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ରାଜନଗର ବ୍ଲକ୍ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ଦୁର୍ନିତୀରେ ଉବୁଟୁବୁ ହେଉଛି । ତାଳଚୁଆ ସେକ୍ଟରର ୯ଟି ଓ ବାଘମାରୀ ପଞ୍ଚାୟତର ୭ଟି, ରଙ୍ଗଣୀ ସେକ୍ଟରର ୧୩ଟି, କେରୁଆଁପାଳ ପଞ୍ଚାୟତ ୯ଟି, ଡାଙ୍ଗମାଳ ସେକ୍ଟରର ୭ଟି, ଖମାରସାହି ପଞ୍ଚାୟତ ୭ଟି, କୃଷ୍ଣନଗର ପଞ୍ଚାୟତର ୬ଟି, ଗୁପ୍ତି ସେକ୍ଟରର ୧୩ଟି ଓ ରାଜନଗର ସେକ୍ଟରର କୁରୁଂଟି ପଞ୍ଚାୟତ ୧୨ଟି ଅଙ୍ଗନବାଡି କେନ୍ଦ୍ର ରହିଛି । ଏହି କେନ୍ଦ୍ରଗୁଡିକକୁ ଜାନୁୟାରୀ ଓ ଫେବୃୟାରୀ  ମାସର ଛତୁଆ ରିପୋର୍ଟ ଲେଖା ହେବା ଯାଏ ମିଳିନଥିବା ଅଭିଯୋଗ ହୋଇଛି । ଏଠାରେ ପ୍ରଶ୍ନ ଉଠୁଛି ଯେ, ଦୁଇମାସ ହେବ ଛତୁଆ ବଣ୍ଟନ ହୋଇନଥିବା ବେଳେ, ସିଡିପିଓ ଓ ସୁପରଭାଇଜରମାନେ କିପରି ନୀରବ ରହିଛନ୍ତି । ଉପରୋକ୍ତ ୯ଟି ପଞ୍ଚାୟତର ୮୩ଟି କେନ୍ଦ୍ରରେ ୭ମାସର ୩ବର୍ଷ ଶିଶୁ ୨୨୪୪ଜଣ, ଗର୍ଭବତୀ ମହିଳା ୪୭୮ଜଣ  ଓ ପ୍ରସୂତୀ ମହିଳା ୩୭୦ଜଣ ଅଛନ୍ତି । ଏହି ୩୦୯୩ଜଣଙ୍କ ପୃଷ୍ଟିକର ଖାଦ୍ୟ ଦୁଇମାସ ହେବ ମିଳିନଥିବା ଜଣାପଡିଛି । ଜାନୁୟାରୀ ଓ ଫେବୃୟାରୀ ଦୁଇମାସର ଖାଦ୍ୟ ଏକକାଳୀନ ଦିଆଗଲେ ତାର କିଛି ପ୍ରତିକୂଳ ପ୍ରଭାବ ପଡିବ ନାହିଁ ତ । ନିୟମାନୁଯାୟୀ, ପ୍ରତିମାସରେ ପୃଷ୍ଟିକର ଖାଦ୍ୟ ଯୋଗାଣ କରାଗଲେ ଶିଶୁ, ଗର୍ଭବତୀ ଓ ପ୍ରସୂତୀ ମହିଳାମାନେ ଖାଇ ପୃଷ୍ଟିହୀନତାର ଶିକାର ହେବେ ନାହିଁ । ମାତ୍ର ପ୍ରତିମାସ ବଦଳରେ ଅନ୍ୟମାସଗୁଡିକରେ ଏକକାଳୀନ  ଖାଦ୍ୟ ଯୋଗାଣ ହେଲେ ପୃଷ୍ଟିହୀନତା ଦୂର ହେବ । ଯାହାକୁ ନେଇ ବିଭାଗର ସ୍ୱଚ୍ଛତା ପ୍ରତି ସନେ୍ଦହ ସୃଷ୍ଟି କରିଛି । ଏସମ୍ପର୍କରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ସ୍ମିତାଞ୍ଜଳୀ ରାୟ ଓ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ମନୋରମା ସ୍ୱାଇଁଙ୍କ ପ୍ରତିକ୍ରିୟା ଜାଣିବାକୁ ଉଦ୍ୟମ କରାଯାଇଥିଲେ ମଧ୍ୟ ସେମାନେ ଫୋନ ଉଠାଇନଥିଲେ ।