ବଜ୍ରପାତରେ ଦଧିନଉତି ଭାଙ୍ଗିଲା
ଢେଙ୍କାନାଳ ସଦର : ଢେଙ୍କାନାଳ ଜିଲ୍ଲା ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମହିମାଗାଦିର ଗାଦିମନ୍ଦିର ପୂର୍ବ ମୁଖଶାଳା ଦଧିନଉତି ବଜ୍ରପାତରେ ସମ୍ପୁର୍ଣ୍ଣ ଭାଙ୍ଗି ଯାଇଛି । ଗାଦି ମନ୍ଦିରରେ ବଜ୍ରାଘାତ ହୋଇଥିବା ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳର ଶ୍ରଦ୍ଧାଳୁ ମନ୍ଦିରକୁ ଯାଇ ଘଟଣାସ୍ଥଳ ଦେଖିଥିଲେ । ଏ ସମ୍ପର୍କରେ ବକ୍କଳଧାରୀ ମହିମା ସମାଜ ସମ୍ପାଦକ ବାବା ନିତ୍ୟାନନ୍ଦ ଦାସ ଓ ବରିଷ୍ଠ ସନ୍ୟାସୀ ଦୀନବନ୍ଧୁ ଦାସ କହିଛନ୍ତି ଗାଦି ମନ୍ଦିର ଦୀର୍ଘ ୨୫ ବର୍ଷ ହେଲା ଆର୍ଥିଙ୍ଗ ହୋଇଥିଲା । ତେଣୁ ଆଜି ଘଟଣା ପରେ ଇଞ୍ଜିନିୟରଙ୍କୁ ଡକାଯାଇ ମରାମତି କରାଯିବ ବୋଲି କହିଛନ୍ତି । ରବିବାର ରାତି ପ୍ରାୟ ସାଢ଼େ ୧ ଟା ସମୟରେ ପ୍ରବଳ ଘଡଘଡି ସହ ବଜ୍ରାଘାତ ହୋଇଥିଲା ଏହି ବଜ୍ରାଘାତରେ ଗାଦି ମନ୍ଦିର ପୂର୍ବ ପାର୍ଶ୍ୱ ମୁଖଶାଳା ଦଧିନଉତିଟି ସମ୍ପୂର୍ଣ ଭାଙ୍ଗି ଯାଇଛି । ଆଜିକୁ ମିଶାଇ ଗାଦି ମନ୍ଦିରରେ ତ୍ରୃତୀୟ ଥର ପାଈଁ ବଜ୍ରାଘାତ ହୋଇଛି ବୋଲି ଜନସାଧାରଣ କହିଛନ୍ତି । ୨୦୧୫ ମସିହାରେ ବଜ୍ରାଘାତରେ ଗାଦି ମନ୍ଦିର ସପ୍ତଫେଣି କ୍ଷତିଗ୍ରସ୍ତ ହୋଇଥିଲା । ବକ୍କଳଧାରୀ ମହିମା ସମାଜ ପକ୍ଷରୁ ଲକ୍ଷାଧିକ ଟଙ୍କା ବ୍ୟୟରେ ମୂଖ୍ୟମନ୍ଦିର ଆର୍ଥିଙ୍ଗ କରାଯାଇଥିଲା । ପୁ୍ନନଶ୍ଚ ଦୁଇବର୍ଷ ପରେ ଗାଦି ମନ୍ଦିରର ପଶ୍ଚିମ ମୂଖ୍ୟ ଦ୍ୱାର ମୁଖଶାଳାର ଦଧିନଉତି ଆଂଶୀକ କ୍ଷତି ହୋଇଥିଲା । ମହିମା ସନ୍ୟାସୀଙ୍କ ସୂତ୍ରରୁ ଜଣାଯାଇଛି ଯେ ଘଟଣା ସମୟରେ ଏତେ ଯୋରରେ ଆବାଜ ହୋଇଥିଲା ଯେ ଗାଦି ମନ୍ଦିର ସୁରକ୍ଷା ଦାୟିତ୍ୱରେ ଥିବା ରାମ ଦାସଙ୍କର ଗୋଟିଏ କାନକୁ ଠିକ୍ରେ ଶୁଭୁନାହିଁ । ମହିମାଗାଦିର ଛୋଟ ଛୋଟ ମନ୍ଦିର ଓ ମୁଖଶାଳା ଗୁଡ଼ିକୁ ସରକାରଙ୍କ ପକ୍ଷରୁ ଆର୍ଥିଙ୍ଗ ବ୍ୟବସ୍ଥା କରାଯିବା ପାଇଁ ମହିମା ଧର୍ମ ବିକାଶ ପରିଷଦ, ପକ୍ଷର ଯୋଗାଣ ମନ୍ତ୍ରୀ ତଥା ବିଧାୟକ କ୍ରୃଷ୍ଣଚନ୍ଦ୍ର ପାତ୍ରଙ୍କ ଦ୍ରୃଷ୍ଠି ଆକର୍ଷଣ କରାଯାଉଛି ।