ବନ୍ଧା ପଡ଼ିଛି ତହସିଲ କାର୍ଯ୍ୟାଳୟ

ଯାଜପୁର:  ରାଜସ୍ୱ ନିରୀକ୍ଷକଙ୍କ ଠାରୁ ଆରମ୍ଭ କରି ତହସିଲଦାରଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଜାଣତରେ ଚାଲିଛି ଏକର ଏକର ସରକାର ଜମି ଜବର ଦଖଲ । କିନ୍ତୁ ଯେଉଁଠି ହାତଚିକଣ ନହେଲା,ସେଠି ତହସିଲ ପକ୍ଷରୁ ଚଲାଯାଉଛି ବୁଲଡ଼ୋଜର । ସରକାରୀ ଜମିର ସୁରକ୍ଷା ବାହାନାରେ ଦାନଗଦୀ ତହସିଲ ପକ୍ଷରୁ କାଁ ଭାଁ କେତେ ବେଳେ ବୁଲଡ଼ୋଜର ଲଗାଯାଇ ହାତଗଣତି କେଇଟା ବେଆଇନ ଘରକୁ ଭାଙ୍ଗି ଦେଇ ବାହା ବାହା ନେଇଥାଏ । ଆଗକୁ ଏମିତି ଉଚ୍ଚେଦ ପ୍ରକ୍ରୀୟା ଚାଲିବ ବୋଲି କୁହାଯାଏ । ହେଲେ ଆଗ ସେବେ ପଡ଼େ, ଯେବେ ହାତଚିକଣ କମ୍ ହୋଇଯାଏ । ଯାହାର ନିଛକ ନମୁନା ଗଲା ୯ତାରିଖରେ ତ୍ରିଜଙ୍ଗା ପଞ୍ଚାୟତର ନିୟୁ ସିଆରିଆରେ ଦେଖିବାକୁ ମିଳିଥିଲା । ଜଙ୍ଗଲ ପାଖରେ ବେଆଇନ ଭାବେ ନିର୍ମାଣ ହୋଇଥିବା କିଛି ଘରକୁ ଉଚ୍ଛେଦ କରିଥିଲା ତହସିଲ କର୍ତ୍ତୃପକ୍ଷ । ଉକ୍ତଦିନ ଆଗକୁ ଏମିତି ଚାଲିବ ବୋଲି ତହସିଲଦାରଙ୍କ ପକ୍ଷରୁ କୁହାଯାଇଥିଲା । କିନ୍ତୁ ଆଶ୍ଚର୍ଯ୍ୟର କଥା ତହସିଲ କାର୍ଯ୍ୟାଳୟର ନାକ ତଳେ ଦୁଇଜଣ ଠିକାଦାର ଜଙ୍ଗଲ ଜମି ଅକ୍ତିଆର କରି ଗୃହ ନିର୍ମାଣ କରୁଥିଲେ ହେଁ ବୁଲଡ଼ୋଜର ଭାଙ୍ଗିବାକୁ ଶୁଣ୍ଢ ବଢାଉନି । ୯ତାରିଖ ଉଚ୍ଛେଦର ୩ଦିନ ପୂର୍ବ ଅର୍ଥାତ ଚଳିତ ମାସ ୬ତାରିଖରେ ଜଙ୍ଗଲ ଜମିରେ ଗୃହ ନିର୍ମାଣ; ତହସିଲ ନାକ ତଳେ ଚାଲିଛି ଜବର ଦଖଲ ଶୀର୍ଷକ ଖବର ସୂର୍ଯ୍ୟପ୍ରଭାରେ ପ୍ରକାଶପାଇଥିଲା । କିନ୍ତୁ ଆଶ୍ଚର୍ଯ୍ୟର କଥା ତହସିଲ କାର୍ଯ୍ୟାଳୟରୁ ଆରମ୍ଭ କରି ତହସିଲଦାରଙ୍କ ପାଖରେ ଏଖବର ଥିଲେ ବି ବୁଲଡ଼ୋଜର ଲଗାଇବାକୁ ସାହସ ଜୁଟାଇପାରିନଥିଲେ । ତହସିଲ କାର୍ଯ୍ୟାଳୟ ନାକତଳେ ବେଆଇନ ଭାବେ ଚାଲିଥିବା ଘରକୁ ଉଚ୍ଛେଦ କରିବା ବଦଳରେ ସିଆରିଆରେ ଉଚ୍ଛେଦ କରି ତହସିଲଦାର ବେଆଇନ ନିର୍ମାଣ ଉପରେ ଚାଦରଢାଙ୍କି ଦେବାକୁ ପଛାଇନଥିଲେ । ସରକାରୀ ଜମିର ସୁରକ୍ଷା କଥା କହୁଥିବା ତହସିଲଦାର ଜଙ୍ଗଲ ଜମିରେ ବେଆଇନ ନିର୍ମାଣକୁ ରୋକିବା କି ଘରକୁ ବୁଲଡ଼ୋଜର ଲଗାଇ ମାଟିରେ ମିଶାଇବା ବଦଳରେ ସୁରକ୍ଷା ଦେବାକୁ ପ୍ରାଣପଣେ ଲାଗିପଡ଼ିଥିବା ବିଶ୍ୱସ୍ଥ ସୂତ୍ରରୁ ଜାଣିବାକୁ ମିିଳିଛି । ତ୍ରିଜଙ୍ଗା ପଞ୍ଚାୟତ ଦାନଗଦୀ ଗାଁ ଭିତରେ ଦୁଇଜଣ ଠିକାଦାର ଜଙ୍ଗଲଜମି ଯାହାର ଖାତା ନମ୍ବର୫୦୧ପ୍ଲଟ ନମ୍ବର ୫୫୦ରେ ୦.୩୧୦ ଏକରୁ ଊଦ୍ଧ୍ୱର୍ ଜାଗା ବେଆଇନ ଦଖଲ କରି ମେସିନ ଲଗାଇ ଜାଗାକୁ ସମତଳ କରି ଗୃହ ନିର୍ମାଣରେ ଲାଗିପଡ଼ିଛନ୍ତି । ସ୍ଥାନୀୟ ବାହୁବଳୀ ନେତାଙ୍କ ଛତ୍ରଛାୟା ତଳେ ରହି ଠିକାଦାର ନିର୍ମାଣ କାର୍ଯ୍ୟକୁ ଆଗକୁ ବଢାଇ ଚାଲିଛନ୍ତି । ଯାହାକୁ ନେଇ ସଚେତନ ନାଗରିକ ତହସିଲଦାରଙ୍କ ଆଡ଼କୁ ଆଙ୍ଗୁଳି ଉଠାଉଛନ୍ତି । ହେଲେ ବେଆଇନ୍ ନିର୍ମାଣ ଚଳାଇଥିବା ଠିକାଦାର ଶାସକ ଦଳ ସ୍ଥାନୀୟ ନେତାଙ୍କ ସୁରକ୍ଷାରେ ରହିଥିବାରୁ ତହସିଲଦାର କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ହାତଚିକଣ କରିବାରେ ଲାଗିଛନ୍ତି ବୋଲି ଅଭିଯୋଗ ହେଉଛି । ନିକଟରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୁଜାରୀ ଜବର ଦଖଲ ହୋଇଥିବା ସରକାରୀ ଜମିକୁ ମୁକ୍ତ କରିବାକୁ ଆଉ ଜବର ଦଖଲକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ନିଦେ୍ର୍ଦଶ ଦେଇଥିଲେ ହେଁ ଦାନଗଦୀ ତହସିଲରେ କିନ୍ତୁ ଏହାର ବ୍ୟତିକ୍ରମ ଘଟୁଛି । ତହସିଲ କର୍ତ୍ତୃପକ୍ଷ ଠିକାଦାର, ପ୍ରଭାବଶାଳୀଙ୍କୁ ସୁରକ୍ଷାଦେଇ ଚାଲିଥିବାରୁ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି ।