ବନ୍ଧା ହୋଇ ଛେଚା ଖାଇଲେ ମହିଳା ଲୁଟେରା

 ନୀଳଗିରି :- ନିରୀହ ମହିଳାଙ୍କୁ ଟଙ୍କାର ପ୍ରଲୋଭନ ଦେଖାଇ ସେମାନଙ୍କ ଠାରୁ ଆଧାର କାର୍ଡ, ବ୍ୟାଙ୍କ ପାସ୍ ବୁକ୍, ଟଙ୍କା ଉଠାଣ ଫର୍ମରେ ଟିପ , ଦସ୍ତଖତ କରି ନିଜ ପାଖରେ ରଖି ସମୟ ସୁଯୋଗ ଦେଖି ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରୁ ହଜାର ହଜାର ଟଙ୍କା ଉଠାଇ ଆତ୍ମସାତ କରିଚାଲି ଥିଲା । ନିଜ ନିଜ ବ୍ୟାଙ୍କ୍ ଆକାଉଣ୍ଟରେ ଟଙ୍କା ନଥିବାର ମହିଳାମାନେ ଜାଣିବାକୁ ପାଇଲା ପରେ ସମୋବାର ଦିନ ସକାଳେ ଉକ୍ତ ମହିଳାଙ୍କୁ ବଜାରରେ ପାଇଲା ପରେ ଅନେକ ମହିଳା ତାକୁ ରୀତିମତ ଉତ୍ତମ ମଧ୍ୟମ ଦେବା ସହ ହାତକୁ ବାନ୍ଧି ପକାଇଥିଲେ । ଉକ୍ତ ଘଟଣା ନିଳଗିରି ସହରରେ ଚହଳ ସୃଷ୍ଟି କରିଛି । ସୂଚନା ଅନୁସାରେ ନିଳଗିରି ସାନଅତା ଗ୍ରାମର ହରିହର ବେହେରାଙ୍କ ସ୍ତ୍ରୀ ମମତା ବେହେରା ଆଜକୁ କିଛି ବର୍ଷ ଧରି ନିରୀହ ମହିଳାଙ୍କ ସହ ମମତା ଲଗାଇ ବିଭିନ୍ନ ବ୍ୟାଙ୍କରେ ଋଣ କରାଇ ଦେବା ଆଳରେ ସେମାନଙ୍କ ଠାରୁ ଆଧାର କାର୍ଡ, ବ୍ୟାଙ୍କ ପାସ୍ ବୁକ୍ ଆଦି ନେଇ ନିଜ ପାଖରେ ରଖି ପର୍ଯ୍ୟାୟ କ୍ରମେ ତାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଉଥିଲା । ଏପରିକି ସେମାନଙ୍କ ନାମରେ ଏଟିମ୍ ଇସୁ କରି ଏଟିମ କାର୍ଡରେ ଟଙ୍କା ଉଠାଉଥିଲା । ନିଳଗିରି ଗୁଡ଼ିଖାଣିଆ ଗ୍ରାମର ବାରି ମାଝୀ ନାମକ ବିଧବା ମହିଳାଠାରୁ ଏକ ବର୍ଷ ପୂର୍ବରୁ ଲୋନ୍ କରାଇ ଦେବା କହି ତାଠାରୁ ଆଧାର କାର୍ଡ, ବ୍ୟାଙ୍କ ପାସ୍ ବୁକ୍, ସହ ଟଙ୍କା ଉଠାଣ ଫର୍ମରେ ଟିପ ଚିହ୍ନ ନେଇ ଯାଇଥିଲା । କିଛି ମାସ ପରେ ବାରି ମାଝୀ ଦେଇଥିବା ସମସ୍ତ କାଗଜ ପତ୍ର ମାଗିଥିଲା । ଆଜିଦେବ କାଲିଦେବ କହି ମମତା ମାସ ମାସ ଗଡ଼ାଇ ଚାଲିଥିଲା । ପରେ ବାରି ମାଝୀ ୟୁକୋ ବ୍ୟାଙ୍କ ଯାଇ ନିଜ ଆକାଉଣ୍ଟର ଏକ ଷ୍ଟେଟମେଣ୍ଟ ବାହାର କଲା ପରେ ବାରି ମାଝୀ ମୁଣ୍ଡରେ ହାତ ଦେଇ ଘୁମ୍ ମାରି ବସି ପଡ଼ିଥିଲା । ପରେ ଘଟଣା ବାବଦରେ ପରିବାର ଲୋକଙ୍କୁ ଜଣାଇ ଥିଲା । ବାରି ମାଝୀ ଆକାଉଣ୍ଟରେ ୪୮ହଜାର ଟଙ୍କା ଥିବା ବେଳେ ମମତା ବେହେରା ବାରି ମାଝୀ ନାମରେ ଏକ ଏଟିମ କାର୍ଡ ଇସୁ କରି ଏଟିମରୁ ଗତ ୨/୯/୨୩ରିଖ ଠାରୁ ପର୍ଯ୍ୟାୟ କ୍ରମେ ସବୁ ଟଙ୍କା ଉଠାଣ କରିଥିବା ବେଳେ ମାତ୍ର ୪୧ଟଙ୍କା ଜମା ରଖିଥିଲା । ଆଜି ମମତା ବେହେରାକୁ ବଜାରରେ ପାଇଲା ପରେ ଗୁଢି ଖାଣିଆର ଅନେକ ମହିଳା ତାକୁ ଧରି ବାନ୍ଧି ପକାଇ ଥିଲେ । ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମମତାକୁ ଉଦ୍ଧାର କରି ଥାନାକୁ ଆଣିଥିଲେ । ଏନେଇ ବାରି ମାଝୀ ନିଳଗିରି ଥାନାରେ ମମତା ବେହେରା ନାମରେ ଅଭିଯୋଗ କରିଛନ୍ତି । ମମତା କେବଳ ଗୁଡ଼ି ଖାଣିଆ ଗ୍ରାମରୁ ନୁହଁ ଅନେକ ନିରୀହ ମହିଳାଙ୍କ ପାଖରୁ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରିଥିବାର ଶୁଣିବାକୁ ମିଳୁଛି । ଘଟଣାକୁ ଗୁରୁତ୍ୱ ଦେଇ ପୁଲିସ ମମତାକୁ ଜେରା କରିବା ସହ ଏହି ଘଟଣାରେ ଚେର କେତେ ବାଟ ଅଛି ତାହାର ତଦନ୍ତ ଜାରି ରଖିଛି ।