ବର୍ଣ୍ଣବୋଧର ନୂତନ ସଂସ୍କରଣ ; ପ୍ରସ୍ତାବ ଦେଇଥିଲେ ମୟୂରଭଞ୍ଜ ଜିଲ୍ଲାର ଶିକ୍ଷକ

ବର୍ଣ୍ଣବୋଧର ନୂତନ ସଂସ୍କରଣ ; ପ୍ରସ୍ତାବ ଦେଇଥିଲେ ମୟୂରଭଞ୍ଜ ଜିଲ୍ଲାର ଶିକ୍ଷକ

ଓଡିଆ ଅସ୍ମିତା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଥିବାବେଳେ ଓଡିଆ ବର୍ଣ୍ଣବୋଧର ନୂତନ ସଂସ୍କରଣ  ଉନ୍ମୋଚିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଉନ୍ମୋଚନ କରିବା ସହିତ ଓଡିଆ ବର୍ଣ୍ଣବୋଧର କୌଣସି ବିକଳ୍ପ ନାହିଁ ବୋଲି କହିଥିଲେ । ରାଜ୍ୟରେ ନୂଆ ସରକାର ଗଠନ ପରେ ମୁଖ୍ୟମନ୍ତ୍ରୀଙ୍କୁ ଅତି ସାଧାରଣ ବ୍ୟକ୍ତିମାନେ ଭେଟିବାର ସୁଯୋଗ ପାଇଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଶୁଭେଚ୍ଛା ଜଣାଇବା ପାଇଁ ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ଅନ୍ତର୍ଗତ ବଙ୍ଗାଳିଡାହି ଗ୍ରାମର ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ମହାନ୍ତ ମଧ୍ୟ ଯାଇଥିଲେ । ଭୁବନେଶ୍ୱରସ୍ଥିତ ସରକାରୀ ବାସ ଭବନରେ ତାଙ୍କୁ ସାକ୍ଷାତ କରି ନିଜ ଲିଖିତ ଏକ ପୁସ୍ତକ ସହିତ ଶିକ୍ଷା ବିଭାଗରେ ସଂସ୍କାର ପାଇଁ ୩୦ଟି ଲିଖିତ ପ୍ରସ୍ତାବ ଦେଇଥିଲେ । ଏଥିରେ ବର୍ଣ୍ଣବୋଧର ପ୍ରଚଳନ ପାଇଁ ମଧ୍ୟ ପ୍ରସ୍ତାବ ରହିଥିଲା । ସରକାର ବର୍ଣ୍ଣବୋଧର ପ୍ରଚଳନ ପାଇଁ ପ୍ରୟାସ ଆରମ୍ଭ କରିଥିବାରୁ ସେ ଆନନ୍ଦିତ ବୋଲି କହିଛନ୍ତି । ଏଥି ସହିତ ସେ ଦେଇଥିବା ଅବଶିଷ୍ଟ ପ୍ରସ୍ତାବ ଗୁଡିକ ମଧ୍ୟ ସରକାର ସହୃଦୟତାର ସହ ବିଚାର କରିବେ ବୋଲି ଆଶା ପ୍ରକଟ କରିଛନ୍ତି । ଜିଲ୍ଲାସ୍ତରୀୟ ଶିକ୍ଷକ ନିଯୁକ୍ତି, ଶିକ୍ଷାବର୍ଷ ଆରମ୍ଭରୁ ଶିକ୍ଷକ ବଦଳି ଶେଷ କରିବା, ସମସ୍ତ ପ୍ରକାରର ଶିକ୍ଷକ ତାଲିମକୁ ବର୍ଷ ପ୍ରାରମ୍ଭରୁ ଶେଷ କରିବା, ମଧ୍ୟାହ୍ନ ଭୋଜନ ପରିଚାଳନାରୁ ଶିକ୍ଷକଙ୍କୁ ବାଦ ଦେବା ଓ ସିଆରସିସିସି ପଦବୀ ସ୍ଥାୟୀ ଭଳି ଆର୍ଥିକ ବୋଝ ନଥିବା ବିଭିନ୍ନ ପ୍ରସ୍ତାବ ରହିଛି । ବର୍ଣ୍ଣବୋଧର ପ୍ରଚଳନ ପାଇଁ ସରକାରୀ ଉଦ୍ୟମ ଆରମ୍ଭ ହୋଇଥିବାରୁ ଅନେକ ବ୍ୟକ୍ତି ଆଜି ତାଙ୍କୁ ଫୋନ କରି ପ୍ରଶଂସା କରିଥିବା ଜଣାଯାଇଛି ।