ବଳଙ୍ଗା ନାବାଳିକା ପୋଡିବା ଘଟଣା: ୧୦ ଜଣଙ୍କୁ ପଚରାଉଚରା କରୁଛି ପୁଲିସ୍‌

ବଳଙ୍ଗା ନାବାଳିକା ପୋଡିବା ଘଟଣାରେ ୧୦ ଜଣଙ୍କୁ ପଚରାଉଚରା କରୁଛି ପୁଲିସ୍‌ । ଅତିରିକ୍ତ ଏସ୍‌ପିଙ୍କ ନେତୃତ୍ବରେ ଚାଲିଛି ପଚରାଉଚରା । ଅତିରିକ ଏସ୍‌ପି କହିଛନ୍ତି ସମସ୍ତ ଦିଗକୁ ତର୍ଜମା କରାଯାଉଛି । କୌଣସି ବ୍ୟକ୍ତିଙ୍କୁ ଅଟକ  ରଖାଯାଇନି ବୋଲି ଅତିରିକ୍ତ ଏସ୍‌ପି କହିଛନ୍ତି । ଏମ୍‌ସରେ ଛାତ୍ରୀଙ୍କ ଚାଲିଛି ଚିକତ୍ସା । ଛାତ୍ରୀଙ୍କ ୭୦ ପ୍ରତିଶତ ପୋଡିଯାଇଥିବା ଏମ୍‌ସ ଡାକ୍ତର  କହିଛନ୍ତି ।  ଏମ୍‌ସ୍‌ ବର୍ଣ୍ଣୱାର୍ଡକୁ ପୀଡିତାଙ୍କୁ ସ୍ଥାନାନ୍ତରିତ କରାଯାଇଛି । ବର୍ଣ୍ଣ ୱାର୍ଡ ବାହାରେ  ନୋଟିସ୍‌ ଲାଗିଛି । ଏହି ନୋଟିସ୍‌ ରେ କୁହାଯାଇଛି ଅଯଥା ଗହଳି କରନ୍ତୁ ନାହିଁ ।  କୌଣସି  ଲୋକ ଏକାଠି ହୁଅନ୍ତୁ ନାହିଁ । ଭିଡ଼ ହେଲେ ଚିକିତ୍ସାରେ ବାଧା ସୃଷ୍ଟି ହେବ । ରୋଗୀ ସେବାରେ ବାଧା ସୃଷ୍ଟି ହେବ ।  ଏଥିସହିତ ଏମ୍‌ସ ବାହାରେ ବ୍ୟାରିକେଡ୍‌ କରାଯାଇଛି । ଏମ୍‌ସ ରେ ସୁରକ୍ଷା ବ୍ୟବସ୍ଥା ବଢାଯାଇଛି ।     ସୂଚନାମୁତାବକ, ସକାଳୁ ସାଙ୍ଗ ଘରକୁ ଯାଉଥିଲା  ବାଟରେ ନାବାଳିକାକୁ ଉଠାଇନେଲେ ୩ ଦୁର୍ବୃତ୍ତ । ମୁହଁରେ କପଡ଼ା ବାନ୍ଧି ଭାର୍ଗବୀ ନଦୀ ପଠାକୁ ନେଇଗଲେ । ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଜାଳିଦେଲେ । ଅଘଟଣ ବେଳେ ପହଞ୍ଚିଥିଲେ କିଛି ସ୍ଥାନୀୟ ଲୋକ । ଲୋକଙ୍କୁ ଦେଖି ଚମ୍ପଟ ମାରିଥିଲେ ଦୁର୍ବୃତ୍ତ। ନିଆଁ ଲିଭାଇବା ସହ ନାବାଳିକାକୁ କରିଥିଲେ ଉଦ୍ଧାର । ମତେ ବଞ୍ଚାନ୍ତୁ ବୋଲି ଗୁହାରି କରିଥିଲେ ନାବାଳିକା । ନାବାଳିକାର ପୋଷାକ, ଚପଲ ପୋଡ଼ି ଯାଇଥିଲା । ତୁରନ୍ତ ନାବାଳିକା ଘରେ ଖବର ଦିଆଯାଇଥିଲା । ପିପିଲି ମେଡିକାଲରେ ଦିଆଯାଇଥିଲା ପ୍ରାଥମିକ ଚିକିତ୍ସା । ପରେ ପୀଡ଼ିତାଙ୍କୁ ଏମ୍ସ ସ୍ଥାନାନ୍ତର କରାଯାଇଛି ।