ବଳଦେବଜୀଉ ଉନ୍ନୟନ ପ୍ରକଳ୍ପ : ଖର୍ଚ୍ଚ ହେବ ଶହେ କୋଟି
କେନ୍ଦ୍ରାପଡ଼ା : କେନ୍ଦ୍ରାପଡାର ପ୍ରସିଦ୍ଧ ବଳଦେବଜୀଉ ମନ୍ଦିରର ଐତିହ୍ୟ, ପର୍ଯ୍ୟଟନ ଓ ଭକ୍ତଙ୍କ ଭାବାବେଗ ଦୃଷ୍ଟିରୁ ସ୍ୱତନ୍ତ୍ରତା ରହିଛି । ମନ୍ଦିରର ପୂଜାବିଧି ଓ ପରମ୍ପରା ମଧ୍ୟ ଅନେକ ଜଗନ୍ନାଥପ୍ରେମୀଙ୍କୁ ଆକୃଷ୍ଟ କରିଥାଏ । ବର୍ତ୍ତମାନ ସମୟରେ ମନ୍ଦିର ଓ ପାରିପାର୍ଶ୍ୱିକ ଉନ୍ନତି ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ । ଏହି କ୍ରମରେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏବଂ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ବଳଦେବଜୀଉ ମନ୍ଦିର ଓ ପାରିପାଶ୍ୱିର୍କ ଉନ୍ନତି ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଉନ୍ନୟନ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଶହେ କୋଟି ମଞ୍ଜୁର କରିଥିବାବେଳେ ବୈଠକରେ ମୁଖ୍ୟ ମନ୍ଦିରର ଆବଶ୍ୟକ ମରାମତି, ପାରିପାର୍ଶ୍ୱିକ ଉନ୍ନତି ସହ ଆନନ୍ଦ ବଜାର, ରୋଷଘର, ସିନ୍ଦୁକ ଘର, ନିକଟରେ ଥିବା ପୁଷ୍କରିଣୀର ଉନ୍ନତିକରଣ ନେଇ କ’ଣ ପଦକ୍ଷେପ ନିଆଯାଇପାରିବ ସେ ନେଇ ପ୍ରସ୍ତାବିତ ଥ୍ରୀ-ଡି ନକ୍ସାର ତର୍ଜମା କରାଯାଇଥିଲା । ଏଥିସହିତ ମାଉସୀ ମା’ ମନ୍ଦିରର ଉନ୍ନତି କରଣ, ପାର୍କିଂ ସ୍ଥଳ, ରଥଖଳା, ଯାତ୍ରୀନିବାସ, ଭୋଗ ଦୋକାନ, ପୁଲିସ କଣ୍ଟ୍ରୋଲ ରୁମ୍ ଆଦିର ଆଧୁନିକୀକରଣ ବାବଦରେ ମହାକାଳପଡା ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ ଓ ଜିଲ୍ଲାପାଳ ରଘୁରାମ ଆର୍ ଆୟାର ଓ ମନ୍ଦିର ସେବାୟତମାନଙ୍କ ସହ ଆଲୋଚନା ହୋଇଥିଲା । ଏହି ଅବସରରେ ବଳଦେବଜୀଉ ମନ୍ଦିର ଓ ପାରିପାଶ୍ୱିର୍କ ଉନ୍ନତି ପାଇଁ ବିସ୍ତୃତ ପ୍ଲାନ୍ ରିପୋର୍ଟ ପ୍ରସ୍ତୁତ କରି ସରକାରଙ୍କୁ ପ୍ରଦାନ କରିବା ପାଇଁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ ।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରାପଡାର ଅତିରିକ୍ତ ଜିଲ୍ଲାପାଳ ତଥା ପରିଚାଳନା କମିଟିର ସଭାପତି ନବକୃଷ୍ଣ ଜେନା, ଦେବୋତ୍ତର କମିଶନର ଲଲାଟେନ୍ଦୁ ଜେନା, ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ରତିକାନ୍ତ ବେହେରା, ଉପ ଜିଲ୍ଲାପାଳ ଅରୁଣ କୁମାର ନାୟକ, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ, ସେବାୟତ ପ୍ରତିନିଧି ନୃସିଂହ ପ୍ରସାସ ପତ୍ରି ପ୍ରମୁଖ ଉପସ୍ଥିତ ଥିଲେ ।