ବାଂଲାଦେଶୀ ନାବାଳିକା ପ୍ରସଙ୍ଗ: ତୃତୀୟ ଅଭିଯୁକ୍ତ ଗିରଫ
୨୬ା୧୧: ବାଂଲାଦେଶୀ ନାବାଳିକା ଘଟଣାରେ ରାଜଧାନୀରୁ ତୃତୀୟ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଗିରଫ ଅଭିଯୁକ୍ତ ହେଲା ଅବଦୁଲ ସୟଦ ସୁଲେମାନ । ତା ଘର ଭୁବନେଶ୍ୱରର ଝାରପଡ଼ା ଅଂଚଳରେ । ସେ ହିଁ ମୁଖ୍ୟତଃ ଏହି ରାକେଟକୁ ଚଳାଉଥିଲେ । ତାଙ୍କ ଠାରୁ କିଂପିନ ଗୋପୀର କିଛି ତଥ୍ୟ ମିଳିଛି । ଭୁବନେଶ୍ୱର, ପଶ୍ଚିମବଙ୍ଗ ଓ କଟକକୁ ମିଶାଇ ନାବାଳିକା ଏକାଧିକ ଲୋକଙ୍କ ନାଁ କହିଛି । ଏମାନଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ ଜାରି ରହିଛି । ନାବାଳିକା ପରିବାର ଠାରୁ ନାବାଳିକା ସଂପର୍କରେ କିଛି ତଥ୍ୟ ମଗାଯାଇଛି ୋବଲି କଟକ ଡିସିପି ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, କଟକରୁ ଉଦ୍ଧାର ହୋଇଥିବା ବାଂଲାଦେଶ ଢ଼ାକାର ଜଣେ ନାବାଳିକାଙ୍କୁ ଦୁର୍ବୁତ୍ତ ଗୋଟିଏ ଦିନରେ ୧୫ ଥର ଦୁଷ୍କର୍ମ କରିବା ଭଳି ତଥ୍ୟ ସାମନାକୁ ଆସିଛି । ଏହାକୁ ନେଇ କଟକ କମିଶନରେଟ ପୋଲିସ ତନାଘନା ଆରମ୍ଭ କରିବା ସହିତ ପୀଡ଼ିତାଙ୍କ ବୟାନ ଆଧାରରେ ୫ ଜଣ ଦଲାଲଙ୍କ ବିରୋଧରେ ମଧୁପାଟଣା ଥାନାରେ ମାମଲା ରୁଜୁ କରିଛି । ଅଭିଯୁକ୍ତ ଦଲାଲମାନେ ହେଉଛନ୍ତି ଲିଟନ ଦାସ, ମୌସୁମୀ, ବାବୁ ଦାସ, ଗୋପୀ ଓ ମାୟା ପୁଲିସ ବିଏନ୍ଏସ ଧାରା ୧୪୩(୪), ୧୪୪(୧), ୩(୫), ୬୪(୧), ୬ ପୋକସୋ ଏବଂ ୫ ଆଇଟିପି ଆକ୍ଟରେ ମାମଲା (୩୦୭/୨୪) ରୁଜୁ କରିଛି । ଏହି ନାବାଳିକାକୁ ଭାରତରେ ଚାକିରି ଦେବାର ଲୋଭ ଦେଖାଇ ଦୁଇ ଜଣ ଦଲାଲ ପଶ୍ଚିମବଙ୍ଗ ଆଣିଥିଲେ । ବାଂଲାଦେଶ ସୀମାରେ ଜଙ୍ଗଲ ଭିତରେ ଥିବା ଗଳା ରାସ୍ତାରେ ସୀମା ପାର କରାଇଥିଲେ । କଲିକତାରେ ପହଂଚିବା ପରେ ସେଠାରେ ଆଉ ଦୁଇ ଜଣ ଦଲାଲ ଚାକିରି ଦେବା ବଦଳରେ ଦେହ ବ୍ୟବସାୟରେ ନିୟୋଜିତ କରିଥିଲେ । ସେଠୁ ଆଉ ଜଣେ ଦଲାଲ ଭୁବନେଶ୍ୱର ଆଣିଥିଲା । ଭୁବନେଶ୍ୱରରେ ମଧ୍ୟ ଦେହ ବ୍ୟବସାୟରେ ତାଙ୍କୁ ନିୟୋଜିତ କରିଥିଲା । ପୀଡ଼ିତା ଦେଇଥିବା ବୟାନ ଅନୁଯାୟୀ, ତାଙ୍କ ସହିତ ଶାରୀରିକ ସଂପର୍କ ରଖିବାକୁ ଗ୍ରାହକମାନେ ଦଲାଲଙ୍କୁ ପ୍ରତିଥର ଦେଢ଼ରୁ ୨ ହଜାର ଟଙ୍କା ଦେଉଥିଳେ । ଦିନକୁ ପାଖିାପାଖି ୧୦ରୁ ୧୫ ଜଣ ଗ୍ରାହକ ଆସୁଥିଲେ । ପୀଡ଼ିତା ଏକ ପ୍ରକାର ଅସହାୟ ହୋଇ ପଡ଼ିଥିଲେ । ଶେଷରେ ସଦର ଥାନା ଅନ୍ତର୍ଗତ ଗୋପାଳପୁରକୁ ଦଲାଲ ଆଣିଥିବାବେଳେ ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିବା ପୀଡ଼ିତା ପୋଲିସର ଦ୍ୱାରସ୍ଥ ହେବାକୁ ନିଷ୍ପତ୍ତି ନେଇଥିଲେ । ପୋଲିସ ଗଲା ୯ ତାରିଖ ରାତିରେ ତାଙ୍କୁ ଉଦ୍ଧାର କରିଥିଲା । ପରେ ତାଙ୍କୁ ସିଡ଼ବ୍ଲୁସିରେ ହାଜର କରିବା ପରେ ବସୁନ୍ଧରାରେ ଥଇଥାନ କରାଯାଇଥିଲା ।