ବାରଙ୍ଗ ତ୍ରିଶୁଳିଆ ଶାନ୍ତି ଭବନ ଆପାର୍ଟମେଣ୍ଟରୁ ଲୁଟ୍

ଭୁବନେଶ୍ୱର,,୧୩ା୯: ବାରଙ୍ଗ ଥାନା ଅଧୀନସ୍ଥ ତ୍ରିଶୁଳିଆ ବେଲଗଛିଆ ନିକଟସ୍ଥ କୁଆଖାଇ ନଦୀ ତଟରେ ଥିବା ଏକ ଶାନ୍ତି ଭବନ ଆପାର୍ଟମେଣ୍ଟରୁ ୨୦ ଲକ୍ଷ ଟଙ୍କାର ୪୦୦ ଗ୍ରାମର ସୁନା ଅଳଙ୍କାର ସମେତ ବହୁ ଦାମୀ ଜିନିଷ ଚୋରୀ ହୋଇଥିବା ନେଇ ଶୁକ୍ରବାର ବାରଙ୍ଗ ଥାନାରେ ଅଭିଯୋଗ ହୋଇଛି ।
ସୂଚନା ମୁତାବକ, ତ୍ରିଶୁଳିଆ ବେଲଗଛିଆ ଗ୍ରାମ ନିକଟସ୍ଥ କୁଆଖାଇ ନଦୀ ତଟରେ ଥିବା ଶାନ୍ତି ଭବନ ଆପାର୍ଟମେଣ୍ଟର ଦ୍ୱିତୀୟ ମହଲାର ବି-୨୦୪ ନଂ ରୁମର ମାଲିକ ଡି.କେ ମହାପାତ୍ରଙ୍କ ଫ୍ଲାଟରୁ ଗୁରୁବାର ବିଳମ୍ବିତ ରାତିରେ ବଡ଼ ଧରଣର ଚୋରୀ ହୋଇଛି । ରୁମର ମୁଖ୍ୟ ଫାଟକ ତାଲା ଭାଙ୍ଗି ଦୁର୍ବୃତ୍ତ ମାନେ ଭିତରକୁ ପସି ଆଲମାରୀ ଭାଙ୍ଗିଥିଲେ । ପରେ ଦୁର୍ବୃତ୍ତ ଆଲମାରୀ ଭିତର ଲକରକୁ ଭାଙ୍ଗି ସେଥିରେ ଥିବା ପ୍ରାୟ ୪୦ ଭରି ସୁନା ରୂପା ଗହଣା ଚୋରୀ କରିନେଇଥିବା ତାଙ୍କ ପୁଅ ସନ୍ଦୀପ ମହାପାତ୍ର ଶୁକ୍ରବାର ବାରଙ୍ଗ ଥାନାରେ ଅଭିଯୋଗ କରିଛନ୍ତି । ଡ଼ି.କେ ମହାପାତ୍ର ଜଣେ ଅବସରପ୍ରାପ୍ତ ସେଲ (ଷ୍ଟିଲ ଅଥୋରିଟି ଅଫ୍ ଇଣ୍ଡିଆ ଲିମିଟେଡ) ଅଧିକାରୀ । ସେ ଉକ୍ତ ଆପାର୍ଟମେଣ୍ଟରେ ପରିବାର ସହ ଦୀର୍ଘ ଦିନରୁ ରହି ଆସୁଛନ୍ତି । ପୁଅ ସନ୍ଦୀପ ମହାପାତ୍ର କଟକରେ ରହୁଥିବାରୁ ଉକ୍ତ ଘରେ କେହି ରୁହନ୍ତି ନାହିଁ । ଦୀର୍ଘ ଦୁଇ ମାସ ହେବ ଉକ୍ତ ଫ୍ଲାଟରେ କେହି ରହିନଥିଲେ । ସେଥିପାଇଁ ଘରର ଦେଖାଶୁଣା କରିବା ପାଇଁ ଜଣେ ଝାଡୁଦାରଙ୍କୁ ସନ୍ଦୀପ କାର୍ଯ୍ୟରେ ରଖିଥିଲେ । ପଡୋଶୀ ବିଷ୍ଣୁ ମୋହନ ପଣ୍ଡାଙ୍କ ପାଖରେ ତାଙ୍କ ଫ୍ଲାଟର ଚାବି ରୁହେ । ଝାଡୁଦାର ପ୍ରତିଦିନ ଆସି ଘର ମଧ୍ୟରେ ଥିବା ଅଳିଆ ଆବର୍ଜନା ସଫା କରି ପୁଣି ପଡୋଶୀଙ୍କ ଘରେ ଚାବି ଦେଇ ଫେରି ଯାଇଥାନ୍ତି । ଶୁକ୍ରବାର ସକାଳୁ ଝାଡ଼ୁଦାର ଚାବି ନେଇ ଘର ଖୋଲିବା ପରେ ଭିତରେ ସମସ୍ତ ଆସବାବ ପତ୍ର ଏଣେତେଣେ ପଡ଼ିଥିବା ବେଳେ, ଘରର ଆଲମାରୀ ଓ ଲକର ମଧ୍ୟ ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ସେ ଏ ସଂକ୍ରାନ୍ତରେ ପଡୋଶୀଙ୍କ ମାଧ୍ୟମରେ ଘର ମାଲିକଙ୍କୁ ଜଣାଇଥିଲେ । ପଡୋଶୀଙ୍କ ଠାରୁ ଖବର ପାଇ ସନ୍ଦୀପ ମହାପାତ୍ର ଘଟଣାସ୍ଥଳରେ ପହଞ୍ଚି ବାରଙ୍ଗ ଥାନାକୁ ଖବର ଦେଇଥିଲେ । ବାରଙ୍ଗ ଥାନା ଅଧିକାରୀ ବିଶ୍ୱରଞ୍ଜନ ନାୟକ ସାଇଣ୍ଟିଫିକ୍ ଦଳ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ । ବାରଙ୍ଗ ଅଞ୍ଚଳ ଏକ ପ୍ରମୁଖ ଯୋଗାଯୋଗର ମଧ୍ୟାହ୍ନ ସାଜିଥିବା ବେଳେ ଉକ୍ତ ଅଞ୍ଚଳ ଏବେ ଏକ ପ୍ରମୁଖ ଅଞ୍ଚଳ ଭାବେ ପରିଗଣିତ ହେଲାଣି । ହେଲେ ଜନସାଧାରଣଙ୍କୁ ସୁରକ୍ଷା ଦେବାକୁ ପୁଲିସ ସକ୍ଷମ ହେଉନାହିଁ । ସେପଟେ ଅଞ୍ଚଳରେ ଦିନ ହେଉ କିମ୍ବା ରାତିରେ ପୁଲିସ ପଇଁନ୍ତରା ଦେଖିବାକୁ ମିଳୁନାହିଁ । କେବଳ ମୁଖ୍ୟ ରାସ୍ତା ଉପରେ ପଇଁତରା ମାରି ପୁଲିସ ଚୁପ୍ ହୋଇ ବସି ରହୁଛି । ଯେଉଁଥି ପାଇଁ ବାରଙ୍ଗ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି । ଦିନକୁ ଦିନ ଚୋରୀ, ଡକାୟତି, ରାହାଜାନୀ, କୁକର୍ମ, ଆତ୍ମହତ୍ୟା ଭଳି ଘଟଣା ବାରଙ୍ଗ ଅଞ୍ଚଳରେ ବଢ଼ି ଚାଲିଛି । ସେପଟେ ଉକ୍ତ ଆପାର୍ଟମେଣ୍ଟରୁ ଚୋରୀ ଘଟଣାରେ ଆପାର୍ଟମେଣ୍ଟ ସମେତ ଅଞ୍ଚଳବାସୀ ନିଜ ଅଞ୍ଚଳରେ ରହିବାକୁ ସୁରକ୍ଷିତ ମଣୁନାହାନ୍ତି । ଗତକାଲି ବିଳମ୍ବିତ ରାତିରେ ଘଟିଥିବା ଉକ୍ତ ଘଟଣାରେ ଅଞ୍ଚଳବାସୀ ଏବଂ ତାଙ୍କ କଷ୍ଟ ଅର୍ଜିତ ସମ୍ପତ୍ତି କେତେ ସୁରକ୍ଷିତ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।