ବାଲେଶ୍ୱର ଛାତ୍ରୀ ଆତ୍ମାହୂତୀ ଉଦ୍ୟମ ଘଟଣା : ରାଜ୍ୟ ସରକାରଙ୍କୁ ଦାୟୀ କଲା ବିଜେଡି
ଭୁବନେଶ୍ୱର : ଫକୀର ମୋହନ ମହାବିଦ୍ୟାଳୟର ଜଣେ ଛାତ୍ରୀ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ ଘଟଣା ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଛି ବିରୋଧି ବିଜେଡି । କଲେଜ କର୍ତ୍ତୃପକ୍ଷ, ପୁଲିସର ନିଷ୍କ୍ରିୟତା ଓ ବାଲେଶ୍ୱର ସାଂସଦଙ୍କ ଦାୟିତ୍ୱହୀନତାକୁ ମଧ୍ୟ ଦାୟୀ କରିଛି ବିଜେଡି । ଆଜି ଶଙ୍ଖ ଭବନଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଇପ୍ସିତା ସାହୁ ଏଭଳି ଅଭିଯୋଗ କରିଛନ୍ତି ।
ସେ କହିଛନ୍ତି, ଏଫ୍ଏମ୍ କଲେଜର ଛାତ୍ରୀ ଜଣକ ଗତ ଜୁଲାଇ ୧ରେ ଅଧ୍ୟକ୍ଷଙ୍କ ନିକଟରେ ଲିଖିତ ଭାବେ ଜଣେ ଅଧ୍ୟାପକ ତାଙ୍କଠାରୁ ଶାରୀରିକ ସୁଖ ଚାହୁଁଥିଲା ଭଳି ସଂଗୀନ ଅଭିଯୋଗ କରିଥିଲେ । କିନ୍ତୁ ଅଧ୍ୟକ୍ଷ ଏହାକୁ ଗୁରୁତର ସହ ନ ନେବାରୁ ଛାତ୍ରୀଜଣଙ୍କ ବାଧ୍ୟ ହୋଇ ଥାନାର ଦ୍ୱାରସ୍ଥ ହୋଇଥିଲେ । ସେଠାରେ ମଧ୍ୟ ତାଙ୍କୁ ନ୍ୟାୟ ମିଳି ନ ଥିଲା । ପରେ ସେ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀଙ୍କୁ ବ୍ୟକ୍ତିଗତ ସାକ୍ଷାତ କରି ତାଙ୍କ ଦୁଃଖ ଜଣାଇଥିଲେ । ଯାହାକୁ ପ୍ରତାପ ଷଡଙ୍ଗୀ ଗଣମାଧ୍ୟମରେ ସ୍ୱୀକାର ମଧ୍ୟ କରିଛନ୍ତି । କିନ୍ତୁ ବିଡମ୍ବନାର କଥା ଶ୍ରୀ ଷଡ଼ଙ୍ଗୀ ଛାତ୍ରୀ ଜଣଙ୍କୁ ନ୍ୟାୟ ଦେବା ପାଇଁ କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ନାହିଁ । ଫଳରେ ଦୀର୍ଘ ୧୨ଦିନର ଅନ୍ତରାଳେ ଆଜି ଛାତ୍ରୀ ଜଣଙ୍କ ଆତ୍ମାହୁତୀ ଭଳି ଚରମ ପଦକ୍ଷେପ ନେବାକୁ ବାଧ୍ୟ ହେଲେ ବୋଲି ଇପ୍ସିତା କହିଛନ୍ତି ।
ଛାତ୍ରୀ ଜଣଙ୍କ ଏବିଭିପିର ସଦସ୍ୟା ହୋଇଥିଲେ ମଧ୍ୟ ଆମ ପାଇଁ ନାରୀର ସୁରକ୍ଷା ଓ ସମ୍ମାନ ସର୍ବଉପରେ । ଏହି ଛାତ୍ରୀଙ୍କୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ବିଜେଡି ଲଢେଇ ଜାରି ରଖିବ । ଏହି ଘଟଣା ଘଟିଲା ପରେ କଲେଜ ଅଧ୍ୟକ୍ଷ ଯେଉଁ ଦାୟିତ୍ୱହୀନ ଭାବେ ଗଣମାଧ୍ୟମରେ ମନ୍ତବ୍ୟ ଦେଲେ, ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି, ଅଧ୍ୟକ୍ଷ ଦୋଷୀଙ୍କୁ ସୁରକ୍ଷା ଦେବା ପାଇଁ ଆପ୍ରାଣ ଉଦ୍ୟମ କରୁଛନ୍ତି । ସେପଟେ ଏମ୍ସରେ ଚିକିତ୍ସାଧୀନ ଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ପାଇଁ ବିଜେଡିର ଏକ ପ୍ରତିନିଧିମଣ୍ଡଳୀ ଏମ୍ସରେ ପହଞ୍ଚô ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି ଏବଂ ଛାତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।