ବାସହରାଙ୍କ ପାଇଁ ସାହାରା ପାଲଟିଛନ୍ତି ଭାରତ
ସିଂହପୁର: ବାସ ହରାଙ୍କ ପାଇଁ ସାହାର ହୋଇଛନ୍ତି ଭାରତ । ମୁଣ୍ଡ ଗୁଞ୍ଜିବାକୁ ଘର ନଥିବା ନିରାଶ୍ରୟଙ୍କୁ ନିଜ ଅର୍ଥରେ ଘର ଗଢି ଦେଇ ସେମାନଙ୍କ ମୁହଁରେ ହସ ଫୁଟାଇପାରିଥିବା ଭାରତ ଇତିମଧ୍ୟରେ ୨୮ଜଣଙ୍କୁ ଘର କରି ସମର୍ପି ଦେଇଥିବା ବେଳେ ୫୦ଟି ଘର କରିବାର ଲକ୍ଷ ରଖିଛନ୍ତି । ଏଭଳି ଚିନ୍ତାଧାରା ରଖି ନିଜ ଜୀବନର ସବୁ ରୋଜଗାର ବିନିଯୋଗ କରିପାରିଥିବା ସମାଜସେବୀ ଭାରତଙ୍କ ଘର ହେଉଛି ଯାଜପୁର ଜିଲା ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀ ଢ଼ିହକୁଳା ଅଂଚଳରେ । ବିଞ୍ଝାରପୁର, ଦଶରଥପୁର, ଆଳି ଆଦି ଅଂଚଳର ବହୁ ବାସହରଙ୍କୁ ସେ ଘର କରି ଦେଇଛନ୍ତି । ଆଜି ସିଂହପୁର ଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ନିରାଶ୍ରୟକୁ ସେମାନଙ୍କୁ ସେ ଘର ହସ୍ତାନ୍ତର କରିଛନ୍ତି । ସିଂହପୁର ସାଇ ମଣ୍ଡପ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଭାରତ ଭାଇଙ୍କ ସମେତ ବରିଷ୍ଠ ସମାଜସେବୀ ପ୍ରଭାସ ଆଚାଯ୍ୟ, ନିରଞ୍ଜନ ବେଉରିଆ, ଦିନେଶ ମଲ୍ଲିକ, ଅଜୟ ଖଣ୍ଡୁଆଳ ପ୍ରମୁଖ ଯୋଗ ଦେଇଥିଲେ । ଭାରତ ଭାଇ ୨୮ ଜଣ ବାସହରାଙ୍କୁ ସେମାନଙ୍କ ଗୃହ ହସ୍ତାନ୍ତର କରିଥିଲେ । ପ୍ରଶାସନିକ ଅବହେଳା ହେଉ କିମ୍ବା କୌଣସି କାରଣରୁ ମୁଣ୍ଡ ଗୁଞ୍ଜିବାକୁ ଛାତ ନଥିବା ବାସହରାଙ୍କ ମୁଣ୍ଡ ଉପରେ ପକ୍କା ଛାତ ଘର ଦେଇ ସେମାନଙ୍କ ମୁହଁରେ ହସ ଫୁଟାଇ ପାରିଥିବାରୁ ଭାରତଙ୍କ ନିକଟରେ କୃତଜ୍ଞତା ଜଣାଇଛନ୍ତି ଅଂଚଳବାସୀ ।