ବିଏମ୍ସି ହାତକୁ ଆସିବ ୩୧୬ କିମି ଡ୍ରେନ
- ଆଇଗିଣିଆ କୁବେରପୁରୀଠାରେ ହେବ ଟ୍ରକ ପାର୍କିଂ ବ୍ୟବସ୍ଥା
- ବର୍ଜ୍ୟ ପରିଚାଳନା ପାଇଁ ଆସିଲା ନୂତନ ଏସଓପି
ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)ର ୩୫ ତମ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଏମ୍ସି ଏକାମ୍ର ହଲରେ ଅନୁଷ୍ଠିତ ଏହି ସାଧାରଣ ବୈଠକରେ ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କହଁର, କମିଶନର ଚଞ୍ଚଳ ରାଣା, ସିଟି ଇଂଜିନିୟର ନାରଦ ଚନ୍ଦ୍ର ରଥ, ଅତିରିକ୍ତ କମିଶନର ରତ୍ନାକର ସାହୁ, ଶ୍ରୀମତୀ ସସ୍ମିତା ସାହୁ ଓ କୈଳାସ ଚନ୍ଦ୍ର ଦାସ, ମୁଖ୍ୟ ବିତ୍ତ ଅଧିକାରୀ ଦୀପକ ରଂଜନ ବେହେରା ମଞ୍ଚାସୀନ ଥିଲେ । ବିଏମ୍ ସି ଅଞ୍ଚ଼ଳରେ ବିଭିନ୍ନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଆଜିର ବୈଠକରେ ଗୁରୁତ୍ୱାରୋପ କରାଯାଇଛି । ଉନ୍ନତି ଓ ସହରୀ ବିକାଶ ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ଅର୍ଥ ମଂଜୁର କରିଛନ୍ତି । ଆଉ କିଛି ଅର୍ଥ ରାଜ୍ୟ ସରକାର ଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ଉଭୟ ମେୟର ଓ କମିଶନର ସୂଚନା ଦେଇଥିଲେ । ପ୍ରତ୍ୟେକ ୱାର୍ଡରେ କାର୍ଯ୍ୟ ଆରମ୍ଭ ହେବ ବୋଲି କମିଶନର କହିଛନ୍ତି । ଏଥିସହ ଆର୍ଆଣ୍ଡବି ଅଧିନରେ ଥିବା ୩୧୬ କିଲୋମିଟର ଡ୍ରେନ ବିଏମ୍ସି ଅଧିନକୁ ଆସିବ । ଏପରିକି ବିଡିଏ/ପଞ୍ଚାୟତରେ ଥିବା ଅନେକ ରାସ୍ତା ବିଏମ୍ସି ଅଧିନକୁ ଆସିବ ।
ବିଭିନ୍ନ ଉପବିଭାଗ ଓ କର୍ପୋରେଟରଙ୍କ ପକ୍ଷରୁ ମୋଟ ୧୮ଟି ପ୍ରସ୍ତାବ ଆଗତ କରାଯାଇଥିଲା । କର୍ପୋରେଟରଙ୍କ ପକ୍ଷରୁ ମୋଟ ୧୪ଟି ଲିଖିତ ପ୍ରଶ୍ନ ଗୃହରେ ଆଗତ କରାଯିବାସହ ଆଲୋଚନା ହୋଇଥିଲା । ଆଇଗିଣିଆ ଆଳୁଗଦି ବା କୁବେରପୁରୀଠାରେ ଟ୍ରକ ରହିବା ପାଇଁ ହେବ ପାର୍କିଂ ବ୍ୟବସ୍ଥା । ବର୍ଜ୍ୟ ସଂଗ୍ରହ ଓ ପରିଚାଳନା ପାଇଁ ଏଜେନ୍ସି ଚୟନ ନିମନ୍ତେ ଆସିଥିବା ଏସଓପିକୁ କର୍ପୋରେସନ ମଂଜୁରୀ ମିଳିଛି । ସେହିପରି ବିଦ୍ୟୁତ୍ ସମସ୍ୟାର ସ୍ଥାୟୀ ସମାଧାନ କରିବା ପାଇଁ ତିନୋଟି ଜୋନରେ ତିନୋଟି ଏଜେନ୍ସିଙ୍କୁ ନିୟୋଜିତ କରାଯିବା ପାଇଁ ନିଷ୍ପତ୍ତି ହୋଇଛି । ଏଥିପାଇଁ ଖୁବ୍ ଶୀଘ୍ର ଟେଣ୍ଡର ଆହ୍ୱାନ କରାଯିବ । ଆସନ୍ତା ୬ ତାରିଖ ଦିନ ମୁକ୍ତା ଓ ଜାଗା ମିଶନ ସଂପର୍କିତ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ କର୍ପୋରେସନର ସ୍ୱତନ୍ତ୍ର ବୈଠକ ଡକାଯିବ ବୋଲି ନିଷ୍ପତ୍ତି ହୋଇଛି ।