ବିଦୁ୍ୟତ୍ ତାର କାଟିନେଲେ ଦୁର୍ବୃତ୍ତ ଅନ୍ଧାରେ ପଞ୍ଚାୟତବାସୀ
ଢେଙ୍କାନାଳ: ଜିଲ୍ଲା ସଦର ମହକୁମା ଢେଙ୍କାନାଳ ଠାରୁ ଯାଜପୁର ଜିଲ୍ଲାର ଚଢେଇଧରା ଛକକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତାର କାଶୀପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ବାଟମାଙ୍ଗଳା ଛକ ପାଖରେ ଥିବା ଟାୱାର ପାଖରୁ ଅଠେଇସ୍ ମାଇଲ୍ ଛକ ଭିତରେ ଏଗାର ସ୍ପାନ ଇଲେଭେନ୍ କେଭି ବିଦୁ୍ୟତ ତାର ଗତକାଲି ରାତି୍ରରେ ଦୁର୍ବୃତ୍ତମାନେ କାଟି ନେଇଛନ୍ତି । ଯାହାଫଳରେ ଗତକାଲି ରାତ୍ରି ଠାରୁ ଉକ୍ତ କାଶୀପୁର ଗ୍ରାମ ପଞ୍ଚାୟତ ସମ୍ପୂର୍ଣ୍ଣ ଭାବରେ ଅନ୍ଧାରରେ ରହିଛି । ଯାହାକୁ ନେଇ ଉପଭୋକ୍ତାମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଉକ୍ତ ଘଟଣାକୁ ଜନସାଧାରଣମାନଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କାରଣ ଉକ୍ତ ମୁଖ୍ୟ ରାସ୍ତା ଯାହା ଉପରେ ଦିନରାତି ଯାତ୍ରୀବାହୀ ଯାନ ଠାରୁ ଆରମ୍ଭ କରି ଭାରୀଯାନ ଓ ଛୋଟ ବଡ଼ ଯାନ ସବୁ ଚଳପ୍ରଚଳ କରିଥାନ୍ତି । ତତ୍ ସହିତ ଉକ୍ତ ଅଞ୍ଚଳରେ ରାତ୍ରିରେ ବନବିଭାଗର ହାତୀ ସ୍କ୍ୱାର୍ଡ ଓ ନିହପ୍ରସାଦ ପୁଲିସ ମଧ୍ୟ ପେଟ୍ରୋଲିଂ କରିଥାଏ । ତେବେ ଏତେ ସବୁ ବ୍ୟବସ୍ଥା ଥାଇ ସୁଦ୍ଧା କିପରି ଭାବରେ ରାତ୍ରିରେ ଗହଳି ଚହଳି ପୂର୍ଣ୍ଣ ମୁଖ୍ୟ ରାସ୍ତା ଉପରେ ଖୁଲମଖୁଲା ଦୁର୍ବୃତ୍ତମାନେ ଉକ୍ତ ତାର କାଟି ନେଇଗଲେ, ତାହା ତଦନ୍ତ ସାପେକ୍ଷ ଅଟେ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି ।