ବିଦୁ୍ୟତ୍ ତାର ଚୋରି, ୫ ଗାଁ ଅନ୍ଧାର 

 କୋଷାଗୁମୁଡା : ମାତିଛନ୍ତି ବିଦୁ୍ୟତ ତାର ଚୋର । ଟାର୍ଗେଟରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ । ରାତିର ଅନ୍ଧକାରରେ ସିରିଜ ଲୁଟ କରି ଲୁଟିନେଉଛନ୍ତି ବିଦୁ୍ୟତ ତାର । ଏଇଭଳି ଘଟଣା ଦେଖିବାକୁ ମିଳିଛି କୋଷାଗୁମୁଡା ବ୍ଲକ କୋଡିଙ୍ଗା ସଦର ପଞ୍ଚାୟତ ଓ ଡୁମାଦେଇ ସିଙ୍ଗିଗୁଡା ଗ୍ରାମରେ  । ସୋମବାର ରାତିରେ ଉଭୟ କୋଡିଙ୍ଗା ଓ ସିଂଗୁଡାଠାରେ ଥିବା ସରକାରଙ୍କ ତରଫରୁ ବସୁଧା ପାନୀୟ ଜଳ ଯୋଗାଣ ପ୍ରକଳ୍ପରୁ ପ୍ରାୟ ୫୦୦ମିଟର ୩ ଫେଜ ବିଦୁ୍ୟତ ତାର ଚୋରି କରି କେହି ଦୁର୍ବୃତ୍ତ ନେଇଯାଇଛନ୍ତି  । ଯାହାର ମୂଲ୍ୟ ପ୍ରାୟ ୧୫୦ଟଙ୍କା ମିଟର ହିସାବରେ ୭୫୦୦୦ ଟଙ୍କା ହେବ ବୋଲି ଆକୋଳନ କରାଯାଇଛି  । ଏନେଇ ଆଜି କୋଡିଙ୍ଗା ସରପଞ୍ଚ ସେବିକା ମାଝୀ କୋଡିଙ୍ଗା ଥାନାରେ ଏକ ଏତଲା ଦାୟର କରିଛନ୍ତି  । ବିଦୁ୍ୟତ ତାର ଚୋରି ହେବା ଫଳରେ କୋଡିଙ୍ଗା, ଜବାଗୁଡା, ସିଂଗୁଡା, ଡୁମାଦେଇ ଓ ଏକଟାଗୁଡା ମୋଟ ୫ଟି ଗ୍ରାମରେ ଜଳ ଯୋଗାଣ ସମ୍ପୂର୍ଣ ବନ୍ଦ ହୋଇପଡିଛି । ସୂଚନା ଥାଉକି ଅଞ୍ଚଳରେ ଛତୁ ଫୁଟିଲା ପରି ବେଆଇନ ସ୍କାର୍ପ କାରବାର ବୃଦ୍ଧି ପାଉଥିବା ବେଳେ ପ୍ରଶାସନ ପକ୍ଷରୁ ଏହାକୁ ଅଙ୍କୁଶ ଲଗାଇ ପାରୁନଥିବା ଯୋଗୁଁ ଏଇଭଳି ଚୋରି ଦିନକୁ ଦିନ ବଢିବାରେ ଲାଗୁଥିବା ଲୋକେ ଅଭିଯୋଗ କରିଛନ୍ତି  । ଜିଲ୍ଲା ପ୍ରଶାସନ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି  । ସୂଚନା ଥାଉକି ବ୍ଲକର କୋକଡି ସେମଳା, କୁଜାଗୁଡ଼ା, ଚିର୍ମା, ରାଜୋଡା ଓ ଚୁରୁଚୁଣ୍ଡା ଗ୍ରାମରେ ଗତ କିଛିଦିନ ମଧ୍ୟରେ ଅନୁରୂପ ଚୋରି କରାଯାଇଛି  ।