ଡ୍ରେନ୍ ପାଲଟିଛି ମରଣଯନ୍ତା : ଠିକାଦାରଙ୍କ ମନମାନୀ କାମ, ଜନଅସନ୍ତୋଷ
ବୈଶିଙ୍ଗା : ବୈଶିଙ୍ଗା ଥାନା ଅନ୍ତର୍ଗତ ୧୮ନଂ ଜାତୀୟ ରାଜପଥର ଜରକା ଛକ ଠାରୁ ଦାମୋଦରପୁର ଛକ ପର୍ଯ୍ୟନ୍ତ ଏକ କିମି ରାସ୍ତାର ଗୋଟିଏ ପାର୍ଶ୍ୱିରେ ଛଅ ଫୁଟ ଓସାର ସହିତ ଛଅ ଫୁଟ ଗଭୀରର ଡ୍ରେନ୍ ଖୋଳାଯାଇ ଦୁଇମାସ ପର୍ଯ୍ୟନ୍ତ କାର୍ଯ୍ୟ ନ ହୋଇ ପଡି ରହିଥିବା ଯୋଗୁଁ ଯାନବାହନ ଚଳାଚଳରେ ବାଧା ସୃଷ୍ଟି ହେବା ସହିତ ରାସ୍ତା ପାର୍ଶ୍ୱବର୍ତ୍ତୀ ବ୍ୟବସାୟ ଅନୁଷ୍ଠାନଗୁଡ଼ିକ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଅଳ୍ପ କେତେଦିନ ମଧ୍ୟରେ ବାଇକ ଓ ସାଇକେଲ ଚାଳକ ଏହି ଡ୍ରେନରେ ପତି ଆହତ ହୋଇଥିବାର ଜଣାଯାଇଛି । ଏହି ରାସ୍ତା ପାର୍ଶ୍ୱରେ ବ୍ୟାଙ୍କ, ପୋଷ୍ଟ ଅଫିସ, ହୀରୋ ବାଇକ ସୋ ରୁମ୍, ଓଲା ସୋ ରୁମ୍, ଶ୍ରୀ ଅରବିନ୍ଦ ମନ୍ଦିର ସମେତ ଫେବ୍ରିକେଟିଂ ଅନୁଷ୍ଠାନ ଓ ବିଭିନ୍ନ ବ୍ୟବସାୟ ଅନୁଷ୍ଠାନ ଅବସ୍ଥିତ ଥିବାରୁ ଏହି ଅଧାଗଢା ଡ୍ରେନ୍୍ କାମ ପାଇଁ ସେମାନଙ୍କୁ ଅଜଥା ହଇରାଣ ହରକତ ହେବାକୁ ପଡୁଛି । ସାଧାରଣ ଲୋକେ ମଧ୍ୟ ଏହି ସବୁ କ୍ଷେତ୍ରକୁ ଯିବାପାଇଁ ଦୁର୍ଘଟଣାର ସମୁଖିନ ହେଉଥିବାର ଅଭିଯୋଗ ହେଉଛି । ଏଥିପାଇଁ ସଂପୃକ୍ତ ଠିକାଦାର ଏବଂ ଜାତୀୟ ରାଜପଥ ବିଭାଗ ଅଧିକାରୀଙ୍କୁ ବାରମ୍ୱାର ଅଭିଯୋଗ କରିବାପରେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି । ତୁରନ୍ତ ଏହି କାର୍ଯ୍ୟ ସମ୍ପାଦନ କରିବା ପାଇଁ ସାଧାରଣରେ ଦାବି ହେଉଛି ।