ବିଦ୍ୟୁତ ଆଘାତରେ ଶ୍ରମିକ ମୃତ

ବିଦ୍ୟୁତ ଆଘାତରେ ଶ୍ରମିକ ମୃତ

ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ କୋଟସିରା ଗ୍ରାମର ଜନୈକ ବ୍ୟକ୍ତିର ଗୃହଛାତ ନିର୍ମାଣ ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ନିର୍ମାଣ ଶ୍ରମିକ ମୃତ୍ୟୁବରଣ କରିଥିବା ଜଣାଯାଇଛି । ଗ୍ରାମର ଭାରତୀ ରାଇସମିଲ ନିକଟ ଦିପୁ ଭାରତୀଙ୍କ ଘରଛାତ ନିର୍ମାଣ ବେଳେ ରାଜମିସ୍ତ୍ରୀ ଥିବା ଝୁଟୁଣା ପଞ୍ଚାୟତ ବାବଲପୁର ଗ୍ରାମର ସୋମନାଥ ଭାରତୀ (୩୧)ଙ୍କ ଗଜ ବାଡି ଅସାବଧାନତା ବଶତଃ ନିର୍ମାଣାଧିନ ଘର ଉପରେ ଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଥିଲା । ଫଳରେ ସୋମନାଥ ସଂଜ୍ଞାହୀନ ହୋଇପଡିଥିଲେ । ତାଙ୍କୁ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଡାକ୍ତରଙ୍କ ସୂଚନା କ୍ରମେ ଥାନାରେ ୫/୨୫ନଂ ଅପମୃତ୍ୟୁ ମାମଲା ରୁଜୁ ହୋଇ ବ୍ୟବଚ୍ଛେଦ ପାଇଁ ମୃତଦେହକୁ ଭଦ୍ରକ ପଠାଯାଇଛି । ମୃତକଙ୍କ ପତ୍ନୀ ଓ ୨ ଶିଶୁକନ୍ୟା ଥିବା ଜଣାଯାଇଛି । ସୋମନାଥଙ୍କ ମୃତ୍ୟୁରେ ଅସହାୟ ହୋଇପଡିଥିବା ପରିବାରକୁ ପ୍ରଶାସନ କ୍ଷତିପୂରଣ ଦେବାକୁ ଦାବି ହୋଇଛି ।