କ୍ରୀଡା ସଙ୍ଗଠନ ବୈଠକ, ବାର୍ଷିକ ଖସଡା ଚୂଡାନ୍ତ
ଭଣ୍ଡାରିପୋଖରୀ: ବାରିକପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ କ୍ରୀଡା ସଙ୍ଗଠନ ବୈଠକ ବୁଧବାର ଅନୁଷ୍ଠିତ ହୋଇ ବାର୍ଷିକ କ୍ରୀଡା ଖସଡା ଚୁଡାନ୍ତ କରାଯାଇଥିବା ଜଣାଯାଇଛି । ପ୍ରଧାନଶିକ୍ଷୟତ୍ରୀ ସୁଜାତା ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସଙ୍ଗଠନ ଉପଦେଷ୍ଟା ପ୍ରଧାନଶିକ୍ଷକ ରତିକାନ୍ତ ବେହେରା, ପ୍ରଧାନଶିକ୍ଷକ ଅଜୟ କୁମାର ନନ୍ଦ, ଗୋଷ୍ଠୀ ଶିକ୍ଷା ସଂଯୋଜକ ଅକ୍ଷୟ କୁମାର ଜେନା, ବ୍ଳକ କ୍ରୀଡା ସମ୍ପାଦକ ଜିତେନ୍ଦ୍ର କୁମାର ସାହୁ, ବରିଷ୍ଠ କ୍ରୀଡା ଶିକ୍ଷୟତ୍ରୀ ବିକଶି ସାହୁ ଯୋଗଦେଇ ବିଦାୟୀ ବର୍ଷର ଆୟବ୍ୟୟ ତନଖି କରାଯିବା ସହ ଚଳିତ ବର୍ଷ ପାଇଁ ସରକାରୀ କ୍ରୀଡା ଖସଡା ପ୍ରସ୍ତୁତ କରାଯାଇଥିଲା । ଭଣ୍ଡାରିପୋଖରୀ ବ୍ଳକକୁ ସରସଦା, ବନ୍ଦାଳୋ-ମଢିଆଳି, ବାରିକପୁର ଓ ମଣିନାଥପୁର ଆଦି ୪ଟି ସବଜୋନରେ ବିଭକ୍ତ କରାଯାଇ ପ୍ରତ୍ୟେକ ଜେନାରୁ ଶ୍ରେଷ୍ଠ କ୍ରୀଡା ନୈପୁଣ୍ୟଧାରୀ ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରାଯିବା ସହ ପ୍ରତ୍ୟେକ କ୍ରୀଡା ବିଭାଗରେ ବ୍ଲକସ୍ତରୀୟ ଦଳ ଗଠନ କରାଯିବ ବୋଲି ସ୍ଥିର କରାଯାଇଥିଲା । ଆଗାମୀ ୨୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଜିଳ୍ଲାସ୍ତରୀୟ ବ୍ୟାଡମିଣ୍ଟନ ଓ ଭଲିବଲ ଟୁର୍ଣ୍ଣାମେଣ୍ଟ ପାଇଁ ବ୍ଲକର କ୍ରୀଡାଦଳକୁ ପ୍ରଶିକ୍ଷଣ ପ୍ରଦାନ କରାଯିବାକୁ କ୍ରୀଡାଶିକ୍ଷକମାନଙ୍କୁ ଦାଇତ୍ୱ ଅର୍ପଣ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ କ୍ରୀଡା ଶିକ୍ଷକ ସୁଧାକର ମହାପାତ୍ର, ସ୍ମୃତିରଞ୍ଜନ ଦାସ, ପ୍ରମୋଦ କୁମାର ବେହେରା, ପ୍ରଶାନ୍ତ ଜେନା ପ୍ରମୁଖ ବୈଂକରେ ଅଂଶଗ୍ରହଣ କରିଥିଲେ । ବରିଷ୍ଠ କ୍ରୀଡା ଶିକ୍ଷକ ଦେବାଶିଷ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ ।