ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି ଗସ୍ତ ଓ ସମୀକ୍ଷା ବୈଠକ : ଯୋଜନାର ସଠିକ୍ କାର୍ଯ୍ୟକାରୀ ପାଇଁ ନିଦେ୍ର୍ଦଶ
ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାକୁ ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟିର ୬ ଜଣିଆ ସଦସ୍ୟ ଗସ୍ତ କରି ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ଡ଼ାବୁଗାଁ ବିଧାୟକ ମନୋହର ରାନ୍ଧାରୀଙ୍କ ଅଧ୍ୟକ୍ଷତାରେ ଏହି ଷ୍ଟାଣ୍ଡିଙ୍ଗ କମିଟିରେ କୋରାପୁଟ ବିଧାୟକ ରଘୁରାମ ମାଛ, କୋଟପାଡ଼ ବିଧାୟକ ରୂପୁ ଭତ୍ରା, ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ, ମାଲକାନଗିରି ବିଧାୟକ ନରସିଂହ ମାଡକାମି, ମୋହନା ବିଧାୟକ ଦାଶରଥି ଗମାଙ୍ଗ ଏହି ଜିଲ୍ଲାକୁ ଗସ୍ତ କରିଥିଲେ । ପ୍ରଥମେ ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର ବୈଠକରେ ଉପସ୍ଥିତ ସମସ୍ତଙ୍କୁ ସ୍ୱାଗତ ଦେଇଥିଲେ । ଷ୍ଟାଣ୍ଡିଙ୍ଗ କମିଟିରେ ଆସିଥିବା ଅତିଥି ବିଧାୟକ ଗଣପ୍ରଦୀପ ପ୍ରଜ୍ୱଳନ ସହ ପୂଜାର୍ଚ୍ଚନା କରିଥିଲେ । ଜିଲ୍ଲାପାଳ କମିଟି ଗସ୍ତରେ ଆସିଥିବା ବିଧାୟକମାନଙ୍କୁ ଉପଢୌକନ ଏବଂ କାଷ୍ଠ ନିର୍ମିତ ଉପହାର ଦେଇ ସମ୍ବର୍ଦ୍ଧନା କରିଥିଲେ । କମିଟି ଅଧ୍ୟକ୍ଷ ଡ଼ାବୁଗାଁ ବିଧାୟକ ମନୋହର ରାନ୍ଧାରୀ ଷ୍ଟାଣ୍ଡିଙ୍ଗ କମିଟିର ଗସ୍ତ ଓ ସମୀକ୍ଷା ବୈଠକର ଉଦେ୍ଦଶ୍ୟ ଉପରେ ବିଶେଷ କହିଥିଲେ । ବୈଠକ ପୂର୍ବରୁ ଷ୍ଟାଣ୍ଡିଙ୍ଗ କମିଟି କୋଷଗୁମୁଡ଼ା ବ୍ଲକର ବଡ ଆମ୍ବଡା ଓ କେରାଣ୍ଡିମାଲ ସ୍ଥିତ ସ୍କୁଲ୍ ଗସ୍ତ କରି ଶିକ୍ଷାଦାନ ଉପରେ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ସହ ଆଲୋଚନା, ବିଦ୍ୟାଳୟର ପାରିପାର୍ଶିକ ସ୍ଥିତି, ପରିମଳ ଭିତ୍ତିଭୂମିକୁ ଦେଖିବା ସହ ପାଠପଢ଼ା ଉପରେ ଗୁରୁତ୍ୱ ଦେବା ଓ ଶିକ୍ଷକଙ୍କ ଦ୍ୱାରା କୌଣସି ଅବହେଳାକୁ ବରଦାସ୍ତ କରାଯିବ ନାହିଁ ବୋଲି କହିଥିଲେ । ବୈଠକରେ ଆଇଟିଡିଏର ବିଭିନ୍ନ ଯୋଜନା ଉପରେ ଆଲୋଚନା ହେବା ସହ ପିଏଲସି ବୈଠକ ଅନୁମୋଦନ, କେନ୍ଦ୍ର ଓ ରାଜ୍ୟସରକାରଙ୍କ ପ୍ରେରିତ ଅର୍ଥ ଶୀଘ୍ର ଖର୍ଚ୍ଚ କରିବା ଉପରେ କମିଟି ଗୁରୁତ୍ୱ ଦେଇଥିଲେ । କମିଟି ଜିଲ୍ଲା ସ୍ୱମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ଜିଲ୍ଲା ମଙ୍ଗଳ ବିଭାଗ, ଜିଲ୍ଲା ଶିଳ୍ପ, ଜିଲ୍ଲା ଯୋଗାଣ ବିଭାଗ, ହସ୍ତଶିଳ୍ପ, ପୁଲିସ ହାଉସିଂବୋର୍ଡÿ, ଉଠା ଜଳସେଚନ, ଗଭୀର ନଳକୂପ,ପର୍ଯ୍ୟଟନ, ଟିପିଏସ ଓ ଡିଏଲ ଦ୍ୱାରା ନିଆଯାଇଥିବା ବିଭିନ୍ନ କାର୍ଯ୍ୟ ଉପରେ ବିଶଦ ଆଲୋଚନା ହୋଇଥିଲା । ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ହିତାଧିକାରୀଙ୍କୁ ଦଲାଲ୍ କବଳରୁ ମୁକ୍ତ କରିବା ସହ ପଞ୍ଜୀକରଣ ସାର୍ଟିଫିକେଟ ପ୍ରଦାନ ଓ ଅର୍ଥ ରାଶି ପ୍ରଦାନ ବେଳେ ସଠିକ ଯାଞ୍ଚ କରିବାକୁ କହିଥିଲେ । ବିଦ୍ୟାଳୟରେ ସିସି ଟିଭି ବ୍ୟବସ୍ଥା, ଉନ୍ନତ ଖାଦ୍ୟ, ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା, ଭଲ ପାଠ ପଢା ପାଇଁ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ତାଗିଦ କରିବା ପାଇଁ କହିଥିଲେ । ସେଭଳି ଜିଲ୍ଲାର ନେଟ ସେବା ଅପହଞ୍ଚ ଅଞ୍ଚଳରେ ବିଏସ୍ଏନ୍ଏଲ ଟାୱାର ସ୍ଥାପନ ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ତାଗିଦ କରିଥିଲେ । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବିଶ୍ୱଜିତ ବର୍ମନ୍, ସିଡିଓ, ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନଙ୍କ ସହ ବିଭିନ୍ନ ବିଭାଗୀୟ ଅଧିକାରୀ ଏବଂ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ ।