ବିପଦସଂକୁଳ ଅବସ୍ଥାରେ ପାଟନାଳି ପୋଲ

 ସାଲେପୁର:  ପାଟନାଳି ଉପରେ ନିର୍ମାଣ ହୋଇଥିବା ପୋଲରେ ବାଡ଼ା ନଥିବାରୁ ବିଭିନ୍ନ ସମୟରେ ଏହି ପୋଲରୁ ତଳକୁ ଖସିପଡି ବହୁ ଲୋକ ଦୁର୍ଘଟଣାଗସ୍ତ ହେଉଥିବାବେଳେ ୨ଜଣ ମଧ୍ୟ ମୃତୁ୍ୟବରଣ କରିଛନ୍ତି । ଏହି ପୋଲରୁ ଖସି ମୃତୁ୍ୟବରଣ କରିବା ଘଟଣାର ଇତି ମଧ୍ୟରେ ୧ବର୍ଷରୁ ଊଦ୍ଧ୍ୱର୍ ସମୟ ବିତିଯାଇଥିଲେ ମଧ୍ୟ ପ୍ରଶାସନ ଏହି ପୋଲରେ ଅଦ୍ୟାବଧି ବାଡ଼ା ନିର୍ମାଣ କରିନଥିବାରୁ ପୋଲଟି ବିପଦ ସଂକୁଳ ଅବସ୍ଥାରେ ରହିଛି ।
 ପ୍ରକାଶ ଯେ, ସାଲେପୁର ବ୍ଲକ୍ ଅନ୍ତର୍ଗତ ମିର୍ଜାପୁର ପଞ୍ଚାୟତର ମା’ତାରିଣୀ ଛକ ନିକଟରେ ପାଟନାଳି ଉପରେ ହୋଇଥିବା ପୋଲଟି ଏବେ ବିପଦ ସଂକୁଳ ଅବସ୍ଥାରେ ରହିଛି । ପୋଲଟି ଅଣଓସାରିଆ ହୋଇଥିବାବେଳେ ପୋଲର ଉଭୟ ପାଶ୍ୱର୍ରେ ବାଡ଼ା ନଥିବାରୁ ବହୁ ସମୟରେ ଅନ୍ଧାର ରାତିରେ ପଥଚାରୀମାନେ ଜାଣିନପାରି ଏହି ପୋଲରୁ ଖସି ଦୁର୍ଘଟଣାଗ୍ରସ୍ତ ହେଉଛନ୍ତି । ଗତବର୍ଷ ଏହି ପୋଲରୁ ଖସିପଡି ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକ ନୃର୍ତ୍ତାଙ୍ଗ ଅଞ୍ଚଳର ଦାମୋଦର ଦାସ ଓ ପ୍ରଦୀପ୍ତ ସାମଲ ମୃତୁ୍ୟବରଣ କରିଥିଲେ । ଉକ୍ତ ସମୟରେ ସ୍ଥାନୀୟ ଅଞ୍ଚଳବାସୀ ଏହି ପୋଲରେ ବାଡ଼ା ନିର୍ମାଣ କରିବା ପାଇଁ ଦାବି କରିଥିବାବେଳେ ଏହି ପୋଲରେ ତୁରନ୍ତ ବାଡ଼ା ନିର୍ମାଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସ୍ଥାନୀୟ ଜନସାଧାରଣଙ୍କୁ ପ୍ରତିଶ୍ରୁତି ଦିଆଯାଇଥିଲେ ହେଁ ଇତିମଧ୍ୟରେ ୧ବର୍ଷ ବିତିଯାଇଥିଲେ ମଧ୍ୟ ଏହି ପୋଲର ଉଭୟ ପାଶ୍ୱର୍ରେ ବାଡ଼ା ନିର୍ମାଣ କରାଯାଇନଥିବାରୁ ପୋଲଟି ବିପଦ ସଂକୁଳ ଅବସ୍ଥାରେ ରହିବା ସହ ପଥଚାରୀଙ୍କ ପାଇଁ ମରଣଯନ୍ତା ପାଲଟିଛି । ଯଦି ପ୍ରଶାସନ ତୁରନ୍ତ ଏହି ପୋଲର ଉଭୟ ପାଶ୍ୱର୍ରେ ବାଡ଼ା ନିର୍ମାଣ ନ କରନ୍ତି, ତେବେ ଆଗାମୀ ଦିନରେ ଏହି ପୋଲରୁ ଖସି ବହୁ ଧନଜୀବନ ହାନି ହେବାର ଆଶଙ୍କା ରହିଛି । ତେଣୁ ଏହି ପୋଲରେ ତୁରନ୍ତ ବାଡ଼ା ନିର୍ମାଣ କରିବା ପାଇଁ ମୁଖ୍ୟମନ୍ତ୍ରୀ, କଟକ ଜିଲ୍ଲାପାଳଙ୍କ ଠାରେ ସମାଜସେବୀ ଶିବଚରଣ ଜେନା ଦାବି କରିଛନ୍ତି ।