ବିଭାଗୀୟ ଅଧିକାରୀଙ୍କ ଅବହେଳା ; ମରଣଯନ୍ତା ପାଲଟିଛି ପ୍ରଧାନମନ୍ତ୍ରୀ ସଡ଼କ 

ବିଭାଗୀୟ ଅଧିକାରୀଙ୍କ ଅବହେଳା ; ମରଣଯନ୍ତା ପାଲଟିଛି ପ୍ରଧାନମନ୍ତ୍ରୀ ସଡ଼କ 

ବୈଶିଙ୍ଗା : କେନ୍ଦ୍ର ତଥା ରାଜ୍ୟ ସରକାର ସହର ସହିତ ଗ୍ରାମ ସଂଯୋଗ ପାଇଁ କୋଟି କୋଟି ଟଙ୍କାର ପ୍ରଧାନମନ୍ତ୍ରୀ ସଡ଼କ ଏବଂ ମୁଖ୍ୟମନ୍ତ୍ରୀ ସଡ଼କ ନିର୍ମାଣ ଯୋଜନା କରୁଛନ୍ତି । ମାତ୍ର ବିଭାଗୀୟ ଅଧିକାରୀଙ୍କ ଅବହେଳାରୁ ନିମ୍ନମାନର କାର୍ଯ୍ୟ ପାଇଁ ବର୍ଷେ ଦୁଇ ବର୍ଷ ମଧ୍ୟରେ ରାସ୍ତାଗୁଡିକ ଖରାପ ହୋଇଯାଉଛି । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନ ୧୮ନଂ ଜାତୀୟ ରାଜପଥର ଜରକା ଠାରୁ ବୈଦିପୁର ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି । ଯାହାଫଳରେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଯାନବାହାନ ଚଳାଚଳରେ ବାଧା ଉପୁଜିଛି । 
ଏହି ରାସ୍ତାର ୭.୩୭୦କି.ମି ରାସ୍ତା ତିଆରି ନିମନ୍ତେ ୨ କୋଟି୪୮ ଲକ୍ଷ ୮୮.୯୬୪ ଲକ୍ଷ ଅର୍ଥ ମଞ୍ଜୁରୀ କରାଯାଇ ତା ୨୮.୧୧.୨୧ରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଏବଂ ବିଧାୟକ ସନାତନ ବିଜୁଳିଙ୍କ ଦ୍ୱାରା ଶୁଭ ଦିଆଯାଇ ଥିବାବେଳେ ୨୦୨୨ମସିହା ଜୁଲାଇ ମାସରେ ଶେଷ ହେବା ସହିତ ପାଞ୍ଚ ବର୍ଷ  ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ ହେବାର ଚୁକ୍ତି ରହିଛି । ମାତ୍ର ଏହି ରାସ୍ତା ମରାମତି ନ ହେବାରୁ ଏହା ସିଧାସଳଖ ବିଭାଗର ଅପାରଗତା ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ଅର୍ଥ ଥାଇ ମଧ୍ୟ ଅବଧି ଶେଷ ହେବାକୁ ଆହୁରି ଦେଢ଼ ବର୍ଷ ରହିଥିବାବେଳେ ମରାମତି ନ ହେବା କାରଣ କ’ଣ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ରାସ୍ତାର ଅବସ୍ଥା ଏଭଳି ହୋଇଛି ଯେ, ତାହା ନ ଦେଖିଲେ ବିଶ୍ୱାସ ହେବ ନାହିଁ । ଏହି ରାସ୍ତା ମରାମତି ହେବା ଠାରୁ ରକ୍ଷଣାବେକ୍ଷଣର ଅବଧି ଶେଷ ହେଉଥିବାବେଳେ ବଡ଼ସାହି ବିଧାୟକ ତାଙ୍କର ୫ ବର୍ଷ ଅବଧି ଶେଷ କରି ଦ୍ୱିତୀୟ ଥର ବିଧାୟକ ହୋଇଥିଲେ ମଧ୍ୟ ଏହି ଅଞ୍ଚଳ ଗସ୍ତ କରି ନାହାନ୍ତି କି ଏହି ରାସ୍ତାର ଅବସ୍ଥା ଦେଖି ନାହାନ୍ତି । ଉକ୍ତ ରାସ୍ତା ଦେଇ ସୁବର୍ଣ୍ଣରେଖା କେନାଲ ଯାଉଥିବାବେଳେ ଓ ଏହି ରାସ୍ତା ଉପରେ କେନାଲ ନିମନ୍ତେ ଏକ ପୋଲ ନିର୍ମାଣ ରାସ୍ତା ଉପରେ ନିର୍ମିତ ହେବାକୁ ଥିବାରୁ ଏଥିପାଇଁ ଲୋକଙ୍କ ନିମନ୍ତେ ଓ ଯାନ ବାହାନ ଚଳା ଚଳର ସୁବ୍ୟବସ୍ଥା ନିମନ୍ତେ କେନାଲ ବିଭାଗ ମଧ୍ୟ ଯତ୍ନବାନ ହେବା ଜରୁରୀ ଅଟେ ।  ଏତଦ୍‌ ବ୍ୟତୀତ ଏହି ରାସ୍ତା ଜାରକାରୁ ମେର୍ଦ୍ଦା ମଧ୍ୟରେ ମରାମତି ନ ସାରିବା ପୂର୍ବରୁ ଅବସ୍ଥା ଶୋଚନୀୟ ହୋଇ ପଡ଼ିଲାଣି । କଂକ୍ରିଟ ଉଠି ରାସ୍ତା ଯାକ ଖାଲରେ ଭର୍ତ୍ତି ହେବା ସହ ରାସ୍ତା ଉପରେ ହମ୍ପସ୍‌ ନିର୍ମାଣ ଯୋଗୁଁ ଜରୁରୀକାଳୀନ ସେବାରେ ବ୍ୟାଘାତ ସୃଷ୍ଟି ହେଉଛି । ବିଶେଷ ଭାବେ ୧୦୮ଆମ୍ବୁଲାନ୍ସ ଓ ଦମକଳ ପାଇଁ ବିପଦ ସୃଷ୍ଟି କରୁଛି । ବିଭାଗୀୟ ଅଧିକାରୀଙ୍କ ନଜର ପଡୁ ନାହିଁ କି ରାଜନେତାଙ୍କ ଦୃଷ୍ଟି ମଧ୍ୟ ନ ପଡିବାରୁ ୫ ଗୋଟି ପଞ୍ଚାୟତର ୫୦୦୦ହଜାରରୁ ଊଦ୍ଧ୍ୱର୍ ଗ୍ରାମବାସୀ ଓ ଏହି ରାସ୍ତା ଦେଇ ଚଳାଚଳ କରୁଥିବା ଯାତ୍ରୀବାହୀ ବସ୍‌ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଏହି ରାସ୍ତା ଯଥାଶୀଘ୍ର ମରାମତି କରିବାକୁ ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ଦାବି ହେଉଛି ।