ବିଭାଗୀୟ ଅଧିକାରୀଙ୍କ ପାଖରେ ନାହିଁ ଅଚଳ-ସଚଳ ନଳକୂପର ହିସାବ 

 ଯଖପୁରା : ଗ୍ରୀଷ୍ମ ପ୍ରବାହ ପୂର୍ବରୁ ରାଜ୍ୟ ଏବଂ ଜିଲ୍ଲାସ୍ତରରେ ବୈଠକ ବସି ଗାଁ ଗାଁରେ ଅଚଳ ହୋଇପଡିଥିବା ନଳକୂପକୁ ସଚଳ କରିବାକୁ ଦିଆଯାଇଥାଏ ପରାମର୍ଶ । ପରବର୍ତି ସମୟରେ ବ୍ଲକସ୍ତରରେ ମଧ୍ୟ ଜଳକଷ୍ଟର ମୁକାବିଲା ପାଇଁ ବୈଠକ ହୋଇଥାଏ । ବୈଠକରେ କେଉଁ ଗାଁରେ କେତେ ନଳକୂପ ଅଚଳ ରହିଛି କି ସଚଳ ତାର ହିସାବ ଖୋଜାଯାଇ ବିହିତ ପଦକ୍ଷେପ ନିଆଯାଇଥାଏ । କିନ୍ତୁ ଦାନଗଦୀ ବ୍ଲକ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଏକଥା ଆମେ କହୁନୁ ଖୋଦ ବ୍ଲକ ଆର୍ଡବ୍ଲୁ୍ୟଏସ୍ଏସ୍ ଅଧିକାରୀଙ୍କ ମତାମତ କହୁଛି । ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ପ୍ରଖର । ଖରାରେ ଜନ ଜୀବନ ଅସ୍ତବ୍ୟସ୍ତ । ଗଛ ଠାରୁ ଆରମ୍ଭ କରି ପଶୁ, ପକ୍ଷୀ, ମଣିଷ ସମସ୍ତ ପ୍ରାଣୀ ପାଣି ପାଇଁ ଡହଳ ବିକଳ । ନଦୀ, ନାଳ ପୋଖରୀ, କୂଅ, ନଳକୂପ ସବୁ ଶୁଖିଲା ପଡ଼ିଛି । ଖରା ଦିନ ଆସିଲେ ଅଚଳ ହୋଇଥିବା ନଳକୂପକୁ ମରାମତି କରିବା କଥା ବିଭାଗୀୟ ଅଧିକାରୀଙ୍କ ମନେପଡେ । ରାଜ୍ୟ ସରକାର କହୁଛନ୍ତି ଅଚଳ ହୋଇଥିବା ନଳକୂପକୁ ତୁରନ୍ତ ମରାମତି କରାଯିବ । ଯେଉଁ ଜାଗାରେ ନଳକୂପ ମରାମତି ପାଇଁ ବିଭାଗୀୟ ଅଧିକାରୀଙ୍କୁ ସୂଚନା କରାଯାଉଛି ତାହାକୁ ମରାମତି କରିବା ପାଇଁ ଦିନ ପରେ ଦିନ ଯାଉଛି । ଏମିତିକି ଅଭିଯୋଗ କରିବାର ୮/୧୦ ଦିନପରେ ମଧ୍ୟ ନଳକୂପର ମରାମତି କରାଯାଉନାହିଁ । ଏଭଳି ଅଭିଯୋଗ ଦାନଗଦୀ ବ୍ଲକର ବିଭିନ୍ନ ପଞ୍ଚାୟତରୁ ଆସୁଥିବା ବେଳେ, ବ୍ଲକ୍ର ୨୫ ପଞ୍ଚାୟତରେ କେତେ ଗୋଟି ନଳକୂପ ଅଚଳ ହୋଇଛି ଆଉ ସେ ମଧ୍ୟରୁ କେତୋଟିର ମରାମତି ହୋଇଛି ସେ ବିଷୟରେ ବିଭାଗୀୟ ଅଧିକାରୀଙ୍କ ପାଖରେ କିନ୍ତୁ କିଛି ଖବର ନାହିଁ । ଏ ସମ୍ପର୍କରେ ଆରଡବ୍ଲୁ୍ୟଏସ୍ଏସ୍ ଅଧିକାରୀଙ୍କୁ ପଚାରିଲେ ସେ କହୁଛନ୍ତି ବ୍ଲକ୍ରେ ମୋଟ କେତୋଟି ନଳକୂପ ଅଚଳ ହୋଇଛି ଖବର ନାହିଁ । କେତେ ସଚଳ ହୋଇଛି ତାହାର ହିସାବ ମଧ୍ୟ ନାହିଁ । କିନ୍ତୁ ଯେଉଁ ଜାଗାରୁ ନଳକୂପ ଅଚଳ ଅଛି ବୋଲି ଅଭିଯୋଗ ଆସୁଛି ତାକୁ ମରାମତି କରାଯାଉଛି । ଅଧିକାରୀଙ୍କ ଏଭଳି ବୟାନ ଏକଥାକୁ ସ୍ପଷ୍ଟ କରୁଛି କି ବ୍ଲକ୍ରେ ମୋଟ କେତେ ନଳକୂପ ଅଚଳ ଅଛି ତାଙ୍କ ନିକଟରେ ଖବର ନାହିଁ । ସାଧାରଣରେ ପ୍ରଶ୍ନ ଉଠୁଛି ଯଦି ବିଭାଗୀୟ ଅଧିକାରୀଙ୍କ ନିକଟରେ ହିସାବ ନାହିଁ ତେବେ ନଳକୂପ ମରାମତି କରାଯିବ କେମିତି? କିନ୍ତୁ ରାଜ୍ୟ ସରକାର ଭିନ୍ନକଥା କହୁଛନ୍ତି । ଗାଁ ଗଣ୍ଡାରେ ଯେତେ ସବୁ ନଳକୂପ ଅଚଳ ଥିବ ତାକୁ ମରାମତି କରାଯାଇ ତୁରନ୍ତ ପାନୀୟ ଜଳ ଯୋଗାଇ ଦିଆଯିବ । ବିଭାଗୀୟ ଅଧିକାରୀଙ୍କ କହିବା କଥାକୁ ଯଦି ବିଚାରକୁ ନିଆଯିବ ତେବେ ଦାନଗଦୀ ବ୍ଲକ୍ରେ ଥିବା ୨୫ଗୋଟି ପଂଚାୟତର ଗାଁ ଗଣ୍ଡାରୁ କଣ ଅଭିଯୋଗ ଆସିବା ସମ୍ଭବ କି? କାରଣ ଅନେକ ସମୟରେ ବିଭାଗୀୟ ଅଧିକାରୀ ଫୋନ କଲ କୈାଣସି କାରଣରୁ ଉଠାଇ ପାରୁନଥିବା କି ବ୍ୟସ୍ତ ଥାଇପାରେ । ଯଦି ବା କେବେ କେବେ ଫୋନ ଉଠାନ୍ତି ତେବେ ନଳକୂପ ମରାମତି କରିବା ପାଇଁ ଭୁଲି ଯେ ଯାଉନଥିବେ ତାହାକୁ କ’ଣ ଅବିଶ୍ୱାସ କରାଯାଇପାରିବ କି? ଏଥିରୁ ସ୍ପଷ୍ଟ ଅନୁମେୟ ହୁଏ କି ଦାନଗଦୀ ବ୍ଲକ୍ରେ ପାନୀୟ ଜଳ ଯୋଗାଣ ବିଭାଗ କିପରି କାର୍ଯ୍ୟ କରୁଛି । ଦେଖିବାକୁ ଗଲେ ଦାନଗଦୀ ବ୍ଲକ୍ରେ ଅନେକ ଗାଁ ଗଣ୍ଡା ଆଦିବାସୀ, ଦଳିତ ସଂପ୍ରଦାୟର । ଏମିତି କି ବ୍ଲକ୍ରେ ଅନେକ ଗାଁ ଅଛି ଯେଉଁଠି ଅଭିଯୋଗ କରିବା ପାଇଁ ଫୋନ  ଥିଲେ ବି ନେଟୱାର୍କ ପାଉନି । ପ୍ରଶ୍ନ ଉଠୁଛି ଯେଉଁ ଜାଗାରୁ ନଳକୂପ ଅଚଳ ଅଛି ବୋଲି ଅଭିଯୋଗ ଆସିବ ନାହିଁ ସେଠି କଣ ଲୋକ ପାଣି ପାଇବେ ନାହିଁ । ଦାନଗଦୀ ବ୍ଲକରେ ଏମିତି ଅନେକ ଆଦିବାସୀ ଗାଁ ଅଛି ଯେଉଁ ଜାଗାରେ ନଳକୂପ ଥାଇ ମଧ୍ୟ ଲୋକେ ପାଣି ପାଇଁ କୋଷ କୋଷ ମାଇଲ ଚାଲି ଚାଲି ଯିବାକୁ ପଡୁଛି । ଏମିତି କି ନାଳ, ପୋଖରୀ ଓ ଚୁଆ ଉପରେ ପାଣି ପାଇଁ ନିର୍ଭର କରୁଥିବା ଲୋକ ମାନେ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି । ଖରା ଦିନେ ସେ ସବୁ ଶୁଖିଯିବା ଫଳରେ ସେ ସ୍ଥାନରେ ପାନୀୟ ଜଳ ଆସିବ କେଉଁଠୁ? ବିଭାଗୀୟ ଅଧିକାରୀ ଏଥି ପ୍ରତି ଦୃଷ୍ଟି ଦେବା ଦରକାର ନୁହେଁ କି? ଅତି ସହଜରେ ବ୍ଲକରେ କେତେ ନଳକୂପ ଅଚଳ ଅଛି ହିସାବ ନାହିଁ ବୋଲି କହିଦେଲେ ଚଳିବ କି? ଜଣେ ଦାଇତ୍ୱବାନ୍ ଅଧିକାରୀ ଭାବେ ଏହାର ସମାଧାନ କରିବା ଦରକାର । ତା ହେଲେ ଯାଇ ବିଭାଗ ଉପରେ ଲୋକଙ୍କ ବିଶ୍ୱାସ ରହିବ ।