ସନ୍ତାନକୁ ଛାଡି ଚାଲିଗଲା ମା’: ଭିନ୍ନକ୍ଷମ ଭଉଣୀ ପାଲଟିଛି ସାହାରା
ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ୍ ସାଇଁକୁଳ ନାଇକ ସାହିର ୪ଜଣ ଅସହାୟ ଶିଶୁଙ୍କୁ ଉଦ୍ଧାର କରି ସ୍ଥାନୀୟ ସାଇଁକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରିଲା ଆନନ୍ଦପୁର ଉପଖଣ୍ଡର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମହାବୀର ସେବା ସଙ୍ଗଠନ ଓ ରଥ ସେବା ପ୍ରତିଷ୍ଠାନ । ଉକ୍ତ ସାହିର ଗୋଲିଆ ନାଇକ ପତ୍ନୀ ସାନି ନାଇକ ଦୁଇ ଶିଶୁଙ୍କୁ ନିଜ ସାନ ଭଉଣୀ ଜାଡି ନାଇକ ପାଖରେ ଜିମା ଦେଇ କାମ କରିବାକୁ ଯାଉଛି କହି ଆଉ ଫେରି ନଥିଲା । ଫଳରେ ଜାଡି ନାଇକ ନିଜ ଦୁଇ ସନ୍ତାନ ସହିତ ଭଉଣୀର ଦୁଇ ସନ୍ତାନକୁ ଧରି ଅସହାୟ ଅବସ୍ଥାରେ ପଡି ରହିଛି । ଜାଡି ନିଜେ ମୁକ ଏବଂ ବଧିର ଅଟେ । ଏଭଳି ପରିସ୍ଥିତିରେ ସେ କେଉଁଠୁ କିଛି କାମ କରି ଯାହା ଆଣୁଚି ସେଥିରେ ଚାରୋଟି ପିଲାଙ୍କ ମୁହଁରେ ମୁଠାଏ ଦେଇ ନିଜେ ମୁଠାଏ ଖାଉଛି । ଏଭଳି ଦୟନୀୟ ଅବସ୍ଥାରେ ଦିନ କାଟୁଛି । ଏ ଖବର ମହାବୀର ସେବା ସଙ୍ଗଠନ ଜାଣିବାକୁ ପାଇ ତୁରନ୍ତ ତାଙ୍କ ଘରେ ପହଞ୍ଚିଥିଲା । ସେଠାରେ ପହଞ୍ଚି ଦେଖିଲା ବେଳକୁ ଜାଡି ପାଖରେ ଥିବା ବଡ ପୁଅର କାନ ପାଚି ପୂଜ ବାହାରୁଚି । ସେ ମଧ୍ୟ କଥା କହି ପାରୁନାହିଁ କି ତାକୁ କିଛି ଶୁଭୁନାହିଁ । ପରେ ସଂଗଠନର କର୍ମକର୍ତ୍ତା ମାନେ ଚାରି ଜଣ ଶିଶୁଙ୍କୁ ଉଦ୍ଧାର କରି ମେଡିକାଲରେ ଚିକିତ୍ସା କରାଇ ଔଷଧ ଦେଇଥିଲେ । ପରେ ମହାବୀର ସେବା ସଙ୍ଗଠନର ପ୍ରତିଷ୍ଠାତା ଗଣେଶ୍ୱର ସା, ସଭାପତି ବାବୁଲି ସାହୁ, ସମ୍ପାଦକ ସନ୍ତୋଷ ସ୍ୱାଇଁ, ମାମୁନି ଜେନା, ଅଞ୍ଜନା ବେହେରା, ବିଷ୍ଣୁ ସାମଲ, ଅଶୋକ ଘଡେଇ, ଶୁଶାନ୍ତ ସାମଲ, ପୂଜା ରାଣୀ ବେହେରା ଏବଂ ରଥ ସେବା ପ୍ରତିଷ୍ଠାନ ନିଦେ୍ର୍ଦଶକ ଡ. ସନତ ରଥ ଉପସ୍ଥିତ ରହି ଚାରି ଶିଶୁଙ୍କୁ ଖାଦ୍ୟ ଖୋଆଇଥିଲେ । ଏଥି ପ୍ରତି ଆନନ୍ଦପୁର ଉପଜିଲ୍ଲାପାଳ ଦୃଷ୍ଟି ଦେଇ ଜାଡି ନାଇକକୁ ଆବାସ, ରାସନ୍ ଓ ଅନ୍ୟ ସରକାରୀ ସହାୟତା ଯୋଗାଇ ଦେବାକୁ ସଂଗଠନ ପକ୍ଷରୁ ନିବେଦନ କରାଯାଇଛି ।
 
 Rasmita Behera
                                    Rasmita Behera                                 
    
 
    
 
 
 
