ବିସ୍ଫୋରକ ବୋଝେଇ ପିକଅପ ଦୁର୍ଘଟଣାଗ୍ରସ୍ତ 

ସୋର : ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ତଳନଗର ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ବିସ୍ପୋରକ ଭର୍ତି ପିକଅପ ଭ୍ୟାନ ଦୁର୍ଘଟଣା ହୋଇଥିବା ବେଳେ ଏକ ବଡ଼ ଧରଣର ଦୁର୍ଘଟଣାରୁ ବର୍ତ୍ତି ଯାଇଛି । ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ   ବିସ୍ପୋରକ ସାମଗ୍ରୀ (ଜିଲୋଟିନ) ଭର୍ତିଥିବା ଓଡି୦୧ଇୟୁ୦୯୧୭ ନମ୍ବର ବିଶିଷ୍ଟ ଏକ ପିକଅପ ଭ୍ୟାନଟି ଭୁବନେଶ୍ୱରରୁ ସୋର ଅଭିମୁଖେ ଆସୁଥିଲା । ଏହି ସମୟରେ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ତଳନଗର ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଖବର ପାଇ ଜାତୀୟ ରାଜପଥ ପେଟ୍ରୋଲିଂ ପୁଲିସ ଗାଡିଟିକୁ ଜବତ କରି ସୋର ଥାନାକୁ ନେଇଥିବା ବେଳେ ଏହାର ଚାଳକ ଫେରାର ହୋଇଯାଇଥିଲା । ଗାଡିଟି ବିସ୍ପୋରକ ସାମଗ୍ରୀ ନେଇ ବାଗୁଡି ପଥର ଖଦାନକୁ ଯାଉଥିବା ବିଶେଷ ସୂତ୍ରରୁ ଜଣାପଡିଛି । ପ୍ରଶାସନ ନିରବ ଦ୍ରଷ୍ଟା ସାଜିଥିବାରୁ ଏହି ବିସ୍ପୋରକ ବ୍ୟବହାର କରି ମାଫିଆ ମାନେ ବାଗୁଡ଼ିରେ ବନ୍ଦ ଥିବା ଖଦାନରୁ କୋଟି କୋଟି ଟଙ୍କାର ପଥର ଲୁଟ କରୁଥିବା ଅଭିଯୋଗ ହୋଇଛି ।