ବିହାର ବିଜୟ ବିନ୍ଧାଣୀ ଧର୍ମେନ୍ଦ୍ର

ବିହାର ବିଜୟ ବିନ୍ଧାଣୀ ଧର୍ମେନ୍ଦ୍ର

ମୋଦି, ଶାହ ଓ ନଡ୍ଡାଙ୍କ ବିଶ୍ୱାସକୁ ବଜାୟ ରଖିଲେ...

ଭୁବନେଶ୍ୱର : ବିହାରରେ ଏନଡ଼ିଏ ଆଶାତୀତ ସଫଳତା ହାସଲ କରିଛି । ଏକପାଖିଆ ଭାବେ ବିହାରରେ ଏନଡ଼ିଏ ବାଜିମାତ୍‌ କରିଥିବାବେଳେ ଏହି ବିଜୟ ପଛରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ବି ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ନିଜର ସବୁଠୁ ବିଶ୍ୱସ୍ତ, ଦକ୍ଷ, ରାଜନୈତିକ ଅନୁଭବୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ଆସ୍ଥା ପ୍ରକଟ କରି ଚଳିତବର୍ଷ  ବିହାରର ନିର୍ବାଚନୀ ପ୍ରଭାରୀ ଭାବରେ ତାଙ୍କୁ ନିଯୁକ୍ତ ପ୍ରଦାନ କରିଥିଲେ । 

      ବିଜେପିର ଜଣେ ଅଭିଜ୍ଞ ତଥା ଦକ୍ଷ ସଂଗଠକ ଭାବରେ ଧର୍ମେନ୍ଦ୍ରଙ୍କର ପରିଚିତି ରହିଛି । ଜାତୀୟ ରାଜନୈତିକ ଦୃଷ୍ଟିକୋଣରୁ ବିହାର ବିଧାନସଭା ନିର୍ବାଚନ ବିଜେପି ପାଇଁ ଚ୍ୟାଲେଞ୍ଜପୂର୍ଣ୍ଣ ଥିଲା । ୨୦୧୦ରେ ପ୍ରଥମ ଥର ପାଇଁ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିହାରର ପ୍ରଭାରୀ ଭାବରେ ଦାୟିତ୍ୱ ମିଳିଥିଲା, ଯେଉଁ କାର୍ଯ୍ୟକୁ ସେ ସଫଳ ରୂପେ ସମ୍ପାଦନ କରିଥିଲେ । ୨୦୧୪ରେ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ବିହାରର ରାଜନୈତିକ ଦୃଶ୍ୟପଟ୍ଟ ପରିବର୍ତ୍ତନ ହୋଇଥିଲା । ତାଙ୍କର ସଫଳ ନେତୃତ୍ୱ ପାଇଁ ଲୋକସଭା ନିର୍ବାଚନରେ ଏନଡ଼ିଏର ୩୧ ଜଣ ପ୍ରାର୍ଥୀ ବିହାରରୁ ନିର୍ବାଚିତ ହୋଇପାରିଥିଲେ । ୨୦୧୫ରେ ମଧ୍ୟ ତାଙ୍କୁ ନିର୍ବାଚନ ପ୍ରଭାରୀ ଭାବରେ ଦାୟିତ୍ୱ ଦେଇଥିଲେ ତତ୍କାଳୀନ ରାଷ୍ଟ୍ରୀୟ ସଭାପତି ଅମିତ ଶାହ । ୨୦୨୫ରେ ମଧ୍ୟ ନିର୍ବାଚନ ପ୍ରଭାରୀର ଦାୟିତ୍ୱ ନେଇଥିଲେ, ଯାହା ଆଜି ଏନଡିଏ ମେଣ୍ଟର ବିଜୟର ପ୍ରତିଫଳନ ।

     ବିହାରରୁ ୨୦୧୨ରୁ ୨୦୧୮ ପର୍ଯ୍ୟନ୍ତ ରାଜ୍ୟସଭା ସଦସ୍ୟ ଥିବା ଧର୍ମେନ୍ଦ୍ର ବିହାରର ଭୋଟ୍‌ ରାଜନୀତିକୁ ଭଲ ଭାବରେ ବୁଝିପାରିଥିଲେ । ଚଳିତଥର ବିହାରରେ ଏନଡ଼ିଏର ସଫଳତା ପଛରେ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ସହ ଧର୍ମେନ୍ଦ୍ର ପ୍ରଧାନଙ୍କ ଯୋଜନାବଦ୍ଧ ରଣନୀତି, ସଠିକ୍‌ ସମନ୍ୱୟ ଏବଂ ଜନସାଧାରଣଙ୍କ ସହ ଯୋଡ଼ି ହେବାର ଦକ୍ଷତା ମୁଖ୍ୟ ଭୂମିକା ଗ୍ରହଣ କରିଥିଲା । ତାଙ୍କର କ୍ଷେତ୍ରୀୟ ଅନୁଭବ, ଅଭିଜ୍ଞତା, ସହଯୋଗୀ ଦଳଗୁଡ଼ିକୁ ଏକାଠି ରଖିବାର ଦକ୍ଷତା ଏବଂ ମୋଦୀ ସରକାରଙ୍କ ଯୋଜନାଗୁଡ଼ିକୁ ଲୋକଙ୍କ ପାଖରେ ପହଞ୍ଚାଇବାର ପ୍ରଭାବଶାଳୀ ରଣନୀତି ଏନଡ଼ିଏର ବିଜୟରେ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲା । ଏହି ରଣନୀତି ତାଙ୍କୁ ଜଣେ ସଂକଟମୋଚକ ଏବଂ ଦକ୍ଷ ନିର୍ବାଚନ ରଣନୀତିଜ୍ଞ ଭାବରେ ପ୍ରତିଷ୍ଠିତ କରିଛି । ବିହାର ନିର୍ବାଚନରେ ଏନଡ଼ିଏର ବିଜୟ କେବଳ ରାଜନୈତିକ ସମୀକରଣ ନୁହେଁ, ବରଂ ନେତାମାନଙ୍କ ମଧ୍ୟରେ ଥିବା ସୁସମ୍ପର୍କର ପ୍ରତିଫଳନ । ଏହି ସଫଳତାର ମୂଳରେ  ଧର୍ମେନ୍ଦ୍ର ପ୍ରଧାନଙ୍କ ସୁଚିନ୍ତିତ ରଣନୀତି ଏବଂ ତାଙ୍କର ବ୍ୟକ୍ତିଗତ ଉଦ୍ୟମ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ୨୦୧୦ରୁ ତାଙ୍କର ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହ ସୁସମ୍ପର୍କ ରହିଛି । ଏହି ସୁସମ୍ପର୍କ ହିଁ ମେଣ୍ଟକୁ ଅତୁଟ ରଖିବାରେ ପ୍ରମୁଖ ଭୂମିକା ନେଇଛି । 


     ଏଲଜେପିର ସ୍ୱର୍ଗତ ରାମବିଳାସ ପାସୱାନଙ୍କ ସହିତ ଧର୍ମେନ୍ଦ୍ର ପ୍ରଧାନଙ୍କର ଉତ୍ତମ ସମ୍ପର୍କ ଥିଲା ଏବଂ ଏବେ ତାଙ୍କର ପୁତ୍ର ଚିରାଗ ପାସୱାନଙ୍କ ସହ ଭଲ ସମ୍ପର୍କ ରହିଛି । ବିହାର ନିର୍ବାଚନ ପୂର୍ବରୁ ଚିରାଗଙ୍କ ସହ ଧର୍ମେନ୍ଦ୍ର ଆଲୋଚନା କରି ମେଣ୍ଟକୁ ମଜବୁତ୍‌ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସେହିପରି ଅନ୍ୟତମ ନେତା ଜିତନ ରାମ ମାଝୀ, ଉପେନ୍ଦ୍ର କୁଶୱାହା ଏବଂ ଅନ୍ୟାନ୍ୟ ସହଯୋଗୀଙ୍କ ସହ ଧର୍ମେନ୍ଦ୍ର ପ୍ରଧାନଙ୍କର ସକ୍ରିୟ ସମନ୍ୱୟ ଓ ଉତ୍ତମ ସମ୍ପର୍କ ସମସ୍ତ ଦଳକୁ ଏକାଠି ଆଣି ବିଜୟର ମାର୍ଗ ପ୍ରଶସ୍ତ କରିଛି । ସେ ଆଶାୟୀ ପ୍ରାର୍ଥୀ, ନିର୍ବାଚନ ଲଢୁଥିବା ପ୍ରାର୍ଥୀ ଓ ବରିଷ୍ଠ ନେତାଙ୍କ ମଧ୍ୟରେ ସମନ୍ୱୟ ସ୍ଥାପନ କରି ସଂଗଠନକୁ ମିଳିତ ଭାବେ ମଜବୁତ୍‌ କରିବା ପାଇଁ ଗୁରୁମନ୍ତ୍ର ଦେଇଥିଲେ । ବିହାରର ଜାତିଭିତ୍ତିକ ରାଜନୀତିକୁ ସଠିକ୍‌ ଭାବରେ ପରିଚାଳନା କରିବା ଦିଗରେ ଧର୍ମେନ୍ଦ୍ର ପ୍ରଧାନଙ୍କ ରଣନୀତି ବିଶେଷ ଭାବରେ ସହାୟକ ହୋଇଥିଲା । ବିହାର ବିଧାନସଭା ନିର୍ବାଚନରେ ଯୁବ ଏବଂ ମହିଳା ଭୋଟରମାନେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରନ୍ତି । ଏହି ବର୍ଗକୁ ଫୋକସ୍‌ କରିବା ପାଇଁ ତାଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଥିଲା । ପ୍ରତ୍ୟେକ ବୁଥ୍‌ ଉପରେ ଧ୍ୟାନ ଦେବା ଏବଂ କର୍ମୀମାନଙ୍କୁ ସକ୍ରିୟ କରିବା ପାଇଁ ଏକ ମାଇକ୍ରୋ ମ୍ୟାନେଜମେଣ୍ଟ କରାଯାଇଥିଲା । 


     ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନ ପ୍ରଭାରୀ ଦାୟିତ୍ୱ ନେବା ଦିନଠାରୁ ନିର୍ବାଚନ ଶେଷ ପର୍ଯ୍ୟନ୍ତ କ୍ଷେତ୍ରରେ ରହିଥିଲେ । ସେ ବୁଥକୁ ଯାଇ କାର୍ଯ୍ୟକର୍ତ୍ତାଙ୍କ ସହ ବସି ସେମାନଙ୍କ କଥା ବୁଝିଥିଲେ, ଯାହା ସଂଗଠନର କାମକୁ ଅଧିକ ଗତି ଦେଇଥିଲା । ନିର୍ବାଚନ ପାଇଁ ସଫଳ ରଣନୀତିର ଏକ ବଡ଼ ଅଂଶ ଥିଲା ସଂଘ ପରିବାର ସହିତ ସୁଦୃଢ଼ ସମନ୍ୱୟ ରକ୍ଷା କରିବା । ଯାହାକୁ ସଫଳତାର ସହ କାର୍ଯ୍ୟକୁ ସେ ସମ୍ପାଦନ କରିଥିଲେ । ସୂଚନାଯୋଗ୍ୟଯେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୂର୍ବରୁ ତ୍ରିପୁରା, ଛତିଶଗଡ଼, ଝାଡ଼ଖଣ୍ଡ, ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ ଓ ହରିୟାଣା ଭଳି ବିଭିନ୍ନ ରାଜ୍ୟରେ ପ୍ରଭାରୀ ଓ ନିର୍ବାଚନପ୍ରଭାରୀ ଦାୟିତ୍ୱ ସଚାରୁରୂପେ ରୂପେ ସମ୍ପାଦନ କରିଛନ୍ତି ।