ବୀର ସହିଦ ଲକ୍ଷ୍ମଣ ନାୟକ

ବୀର ସହିଦ ଲକ୍ଷ୍ମଣ ନାୟକ

ଡ.ରାଜକିଶୋର ନାୟକ : ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀ ଇତିହାସରେ ବୀର ସହିଦ ଲକ୍ଷ୍ମଣ ନାୟକଙ୍କ ନାମ ଅବିସ୍ମରଣୀୟ। କୋରାପୁଟର ଅଗମ୍ୟ ବଣଜଙ୍ଗଲରେ ଜନ୍ମ ନେଇଥିବା ଲକ୍ଷ୍ମଣ, ନିଜ ମାତୃଭୂମିର ମୁକ୍ତି ପାଇଁ ସଂଗ୍ରାମ କରି ଫାଶୀଖୁଣ୍ଟିରେ ଝୁଲି ପ୍ରାଣବଳି ଦେଇଥିଲେ । ସୁତାରଂ, ତାଙ୍କ ଅସୀମତ୍ୟାଗର କାହାଣୀ ଇତିହାସ ପୃଷ୍ଠାରେ ସ୍ୱର୍ଣ୍ଣକ୍ଷରରେ ଲିପିବଦ୍ଧ ହୋଇ ରହିବ ।ଲକ୍ଷ୍ମଣ ନାୟକଙ୍କ ଜନ୍ମ ୧୮୯୯ ମସିହା ନଭେମ୍ବର ୨୨ ତାରିଖରେ କୋରାପୁଟର ତେନ୍ତୁଳିଗୁମ୍ମା ଗ୍ରାମରେ ଏକ ଭୂମିଆ ଆଦିବାସୀ ପରିବାରର ହୋଇଥିଲା । ତାଙ୍କ ପିତା ପଦଲମ୍‌ ନାୟକ ଜୟପୁର ରାଜାଙ୍କର ମୁସ୍ତାଦାର ଥିଲେ । କୃଷକମାନଙ୍କ ଠାରୁ ରାଜସ୍ୱ ଆଦୟକରି ରାଜାଙ୍କ ପାଖରେ ଜମାଦେବା ତାଙ୍କର ମୁଖ୍ୟ କାର୍ଯ୍ୟଥିଲା । ଉକ୍ତ ସମୟରେ ପାଠ ପଢିବା ପାଇଁ ନିକଟରେ କୌଣସି ବିଦ୍ୟାଳୟ ନଥିଲା । ତେଣୁ ଲକ୍ଷ୍ମଣ ଶିକ୍ଷାଲାଭରୁ ବଞ୍ôଚତ ହୋଇଥିଲେ । ତାଙ୍କ ପିତା କିଛିଟା ଲେଖାପଢା ଜାଣିଥିଲେ । ତେଣୁ ସେ ନିଜ ପୁତ୍ର ଲକ୍ଷ୍ମଣଙ୍କୁ ଅକ୍ଷର ପରିଚୟ କରାଇଥିଲେ ।

     ପିଲାଦିନ ଲକ୍ଷ୍ମଣ ଅନ୍ୟପିଲାମାନଙ୍କ ସହିତ ମିଶି ବଣଜଙ୍ଗଲରେ ବୁଲୁଥିଲେ ଏବଂ ଶିକାର କରୁଥିଲେ । ତାଙ୍କୁ ୧୯ ବର୍ଷ ବୟସ ହୋଇଥିଲା ବେଳେ ମଙ୍ଗୁଳି ନାମକ ଝିଅ ସହିତ ତାଙ୍କର ବିବାହ ହୋଇଥିଲା । ପରବର୍ତ୍ତୀ ସମୟରେ ତାଙ୍କର ପୁତ୍ର ରଘୁନାଥ  ଏବଂ କନ୍ୟା କୌଶଲ୍ୟା ଜନ୍ମ ନେଇଥିଲେ । ଉକ୍ତ ସମୟରେ ଆଦିବାସୀମାନେ ସରକାରୀ କର୍ମଚାରୀମାନଙ୍କର ଶୋଷଣ ଓ ଅତ୍ୟାଚରର ଶିକାର ହେଉଥିଲେ । ପୁଲିସ୍‌, ଜଙ୍ଗଲକର୍ମଚାରୀ ଓ ଅମିନମାନେ ଗାଁକୁ ଆସିଲେ, ସେମାନଙ୍କୁ ସବାରିରେ ବୋହି ନେବା ଆଣିବା କରିବାକୁ ପଡୁଥିଲା । ଆଦିବାସୀମାନଙ୍କ ଯେଉଁ ଜିନିଷ ଉପରେ ସେମାନଙ୍କ ନଜର ପଡୁଥିଲା, ଆଦିବାସୀମାନେ ତାହା ପହଁଞ୍ଚାଇ ଦେଉଥିଲେ । ଏହାର ବ୍ୟତିକ୍ରମ ହେଲେ, ସେମାନଙ୍କୁ ଶାରୀରିକ ଦଣ୍ଡ ମିଳୁଥିଲା । ଏ ସମସ୍ତ ଘଟଣା ଲକ୍ଷ୍ମଣ ନାୟକଙ୍କ ମନରେ ଭୀଷଣ ପ୍ରତିକ୍ରିୟା ସୃଷ୍ଟି କରିଥିଲା । ତେଣୁ ସେ ନିଜପିତାଙ୍କୁ ପଚାରିଲେ, “ ସମସ୍ତଙ୍କର ଗୋଡ ଅଛି । ଲୋକମାନେ ସେମାନଙ୍କୁ କାହିଁକି କାନ୍ଧରେ ବୋହିବେ ? ଲୋକମାନଙ୍କ କଷ୍ଟ ଉପାର୍ଜିତ ଶସ୍ୟ ଏବଂ ଗୃହପାଳିତ ପଶୁ ସେମାନେ କେଉଁ ଅଧିକାରରେ ନେଇ ଯାଉଛନ୍ତି ? ” ଏସବୁ ପରମ୍ପରା କହି, ତାଙ୍କ ପିତା ଲକ୍ଷ୍ମଣକୁ ବୁଝାଇ ଦେଇଥିଲେ । ମାତ୍ର ଲକ୍ଷ୍ମଣ ପିତାଙ୍କର ଯୁକ୍ତିକୁ ସହଜରେ ଗ୍ରହଣ କରିପାରିନଥିଲେ । ୧୯୨୧ ମସିହାରେ ଆରମ୍ଭ ହୋଇଥିଲା ଅସହଯୋଗ ଆନ୍ଦୋଳନକୁ ଦମନ କରିବା ପାଇଁ ପ୍ରଜାମାନଙ୍କ ଉପରେ ଲଙ୍ଗଳକର ଓ ହାଟକର ଲଗାଇଲେ । ବସ୍ତୁତଃ ଆଦିବାସୀମାନେ କର ଭାରରେ ଅତିଷ୍ଠ ହୋଇ ମେଳି ଆରମ୍ଭ କଲେ । ଲକ୍ଷ୍ମଣ ଭୋକ ଉପାସରେ କାଳକାଟୁଥିବା ଆଦିବାସୀମାନଙ୍କୁ କର ନଦେବା ପାଇଁ ପ୍ରବର୍ତ୍ତାଇ ଥିଲେ । ସରକାର ତାଙ୍କ ଉପରେ ଅସନ୍ତୁଷ୍ଟ ହୋଇ ଅଶୀ ଏକର ଜମି ଛଡାଇ ନେଲେ ।

    ମାତ୍ର ଲକ୍ଷ୍ମଣ ତିଳେମାତ୍ର ବିଚଳିତ ହୋଇନଥିଲେ । ୧୯୩୬ ମସିହାରେ ଓଡ଼ିଶା ଏକ ସ୍ୱତନ୍ତ୍ର ପ୍ରଦେଶ ହେଲା । ସାର୍‌ ଜନ୍‌ ଅଷ୍ଟିନ୍‌ ଏହାର ବଡ଼ଲାଟ ହେଲେ । ଏହାପରେ ସେ କୋରାପୁଟ ପରିଦର୍ଶନରେ ଆସିଥିଲେ । ତାଙ୍କ ଗସ୍ତକୁ ସଫଳ କରିବାକୁ ସରକାରୀ କଳ ବ୍ୟଗ୍ର ହୋଇଉଠିଥିଲା । ସରକାରୀ କର୍ମଚାରୀମାନେ ବଳପୂର୍ବକ ଲୋକମାନଙ୍କ ଘରୁ ଛେଳି, କୁକୁଡା, ଚାଉଳ ଓ ପନିପରିବା ନେଇଗଲେ । ବାଘ ଶିକାର ପାଇଁ ଗାଈଗୋରୁ ମଧ୍ୟ ବାନ୍ଧି ନେଇଗଲେ । ପ୍ରଜାମାନଙ୍କର ଏପରି ଶୋଷଣ ଦେଖି ଲକ୍ଷ୍ମଣ ସହ୍ୟକରି ପାରିିନଥିଲେ । ଏହାର ପ୍ରତିବାଦ ପାଇଁ ସେ ବନ୍ଧୁ ନୀଳକଣ୍ଠ ପାତ୍ରଙ୍କୁ ଭେଟିଥିଲେ । ଦୁହେଁ ମିଶି ଜିଲ୍ଲା କଂଗ୍ରେସର ମୁଖ୍ୟ ରାଧାକୃଷ୍ଣ ବିଶ୍ୱାସରାୟଙ୍କୁ ସାକ୍ଷାତ କରି ଆଲୋଚନା କଲେ । ଏହାପରେ ଆଦିବାସୀମାନଙ୍କ ଶୋଷଣର କାହାଣୀ ‘ସମାଜ’ ଖବର କାଗଜରେ ପ୍ରକାଶ ପାଇଥିଲା । ସରକାର ବାଧ୍ୟ ହୋଇ ଗରିବ ଆଦିବାସୀମାନଙ୍କୁ କ୍ଷତିପୂରଣ ଦେଇଥିଲେ । ତତ୍‌ ସହିତ ଲକ୍ଷ୍ମଣ କଂଗ୍ରେସରେ ଯୋଗଦେଇ ଥିଲେ ।


     ୧୯୪୨ ମସିହାରେ ଭାରତ ଛାଡ ଆନ୍ଦୋଳନ ତୀବ୍ରରୂପ ନେଇଥିଲା । ଅଗଷ୍ଟ ୧୭ ତାରିଖରେ ଲକ୍ଷ୍ମଣଙ୍କ ନେତୃତ୍ୱରେ ମଦ ଦୋକାନ ଓ କଚେରି ସାମନାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ମହାତ୍ମା ଗାନ୍ଧିଙ୍କ ଅଗଷ୍ଟ ବିପ୍ଳବର ଆହ୍ୱାନ ‘କର ବା ମର’ ସମସ୍ତଙ୍କୁ ଉତ୍ସାହିତ କରିଥିଲା । ଲୋକମାନେ ହାତରେ ତ୍ରିରଙ୍ଗା ନେଇ ମାତିଲି ଥାନା ଆଡକୁ ମାଡି ଚାଲିଥିଲେ । ପୁଲିସ ଲୋକ ଭିଡ ଦେଖି ଲାଠି ଚାଳନା କରିଥିଲା । ଲାଠି ମାଡରେ ଅଚେତ ହୋଇ ଲକ୍ଷ୍ମଣ ତଳେ ପଡିଯାଇଥିଲେ । ଲିଙ୍ଗା ଭୂମିଆ ଓ ନକୁଳ ପତାକା ଧରି ଥାନା ଉପରକୁ ଚଢିବା ସମୟରେ ପୁଲିସ୍‌ ଗୁଳିରେ ଟଳି ପଡିଥିଲେ । ତତ୍‌ ସହିତ ପାଞ୍ଚ ଜଣଙ୍କର ମୃତ୍ୟୁ ହେଲା ଏବଂ ସତରଜଣ ଗୁରତର ଆହାତ ହେଲେ । ଫରେଷ୍ଟ  ଗାର୍ଡ ଜି.ରମେୟା ଗଞ୍ଜେଇ ନିଶାରେ ଚୁର୍‌ ହେଇଁ ଲୋକଙ୍କୁ ବାଡେଇବା ଆରମ୍ଭ କରିଥିଲା । ହଠାତ୍‌ ପୁଲିସ ଗୁଳି ଚଳାଇବାରୁ ତାହା ରାମେୟା ମୁଣ୍ଡରେ ବାଜିଥିଲା ଏବଂ ଘଟଣା ସ୍ଥଳରେ ତା’ଣ ମୃତ୍ୟୁ ହୋଇଥିଲା । ଲକ୍ଷ୍ମଣ ନାୟକଙ୍କ ଲାଠି ମାଡରେ ରାମେୟାର ମୃତ୍ୟୁ ହୋଇଥିଲା ଦର୍ଶାଇ ପୁଲିସ ସେସନ୍ସ କୋର୍ଟରେ ମକଦ୍ଦମା ଦାଏର କରିଥିଲେ । ଉକ୍ତ ସମୟରେ ଭି.ରାମନାଥନ କୋରାପୁଟ ସେସନ୍ସ ଜଜ ଥିଲେ ।

      ଜୟପୁର ରାଜାଙ୍କ ଓକିଲ ଆର ଜଗନ୍ନାଥ ରାଓ ସରକାର ତରଫରୁ ମକଦ୍ଦମା ଲଢ଼ୁଥିଲେ । ମାତ୍ର ଲକ୍ଷ୍ମଣ ନାୟକ ଓ ତାଙ୍କ ସାଥୀମାନଙ୍କ ପାଇଁ କୌଣସି ଓକିଲ ନଥିଲେ । ସରକାରଙ୍କ ତରଫରୁ ୩୩ ଜଣ ସାକ୍ଷ୍ୟ ଦେଇଥିଲେ । ସେମାନଙ୍କ ମଧ୍ୟରେ ଥିଲେ, ମଦଦୋକାନୀ ଏନ୍‌ ଶଙ୍କରାୟା, ହାଟଠିକାଦାର ନରସିଙ୍ଗ ପୂଜାରୀ ଏବଂ ତାସହିତ ଅନେକ ଠିକାଦାର ଓ ସାହୁକାର । କାରଣ, ଲକ୍ଷ୍ମଣ ନାୟକ ଏମାନଙ୍କ ଶୋଷଣ ବିରୁଦ୍ଧରେ ସ୍ୱର ଉଠାଇଥିଲେ । ଏମାନେ ସମସ୍ତେ ପ୍ରତିଶୋଧ ନେବା ପାଇଁ ମିଥ୍ୟା ସାକ୍ଷ୍ୟ ପ୍ରଦାନ କରିଥିଲେ । ୧୯୪୨ ମସିହା ନଭେମ୍ବର ୧୩ ତାରିଖରେ ବି·ରପତି ଲକ୍ଷଣଙ୍କୁ ଫାଶୀ ଦଣ୍ଡ ଶୁଣାଇଥିଲେ । ଏହା ସହିତ ୪୯ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା । ଲକ୍ଷ୍ମଣଙ୍କୁ ଫାଶୀଦେବା ପାଇଁ ବ୍ରହ୍ମପୁର ଜେଲକୁ ନିଆ ଯାଇଥିଲା । ଶେଷରେ ୧୯୪୩ ମସିହା ମାର୍ଚ୍ଚା ୨୯ ତାରିଖରେ ତାଙ୍କୁ ଫାଶୀ ଦିଆଯାଇଥିଲା । ଦେଶମାତୃକାର ସ୍ୱାଧୀନତା ପାଇଁ ସେ ପ୍ରାଣବଳି ଦେଇ ଇତିହାସ ପୃଷ୍ଠାରେ ଚିର ଅମର ହୋଇ ରହିଗଲେ । ଆଜି ମଧ୍ୟ ଓଡ଼ିଶାବାସୀ ତାଙ୍କ ବଳିଦାନକୁ ସ୍ମରଣକରି ନତମସ୍ତକ ହୋଇଥାନ୍ତି । ବିଡ଼ମ୍ବନାର ବିଷୟ, ଦେଶ ସ୍ୱାଧୀନ ହେଲାପରେ ତାଙ୍କୁ ଫାଶୀ ଦଣ୍ଡାଦେଶ ଦେଇଥିବା ତତ୍‌କାଳୀନ ସେସନ୍ସ ଜଜ୍‌ ଭି.ରାମନାଥନ ଓଡ଼ିଶା ରେଭିନ୍ୟୁ ବୋର୍ଡର ସଦସ୍ୟ ହୋଇଥିଲେ ଏବଂ ତାଙ୍କ ବିରୁଦ୍ଧରେ ମକଦ୍ଦମା ଲଢ଼ୁଥିବା ସରକାରୀ ଓକିଲ ଆର୍‌ ଜଗନ୍ନାଥ ରାଓ ପାଲିଆମେଣ୍ଟକୁ ନିର୍ବାଚିତ ହୋଇ କେନ୍ଦ୍ରମନ୍ତ୍ରୀ ହୋଇଥିଲେ । ଏହା ଜଣେ ଆଦବାସୀ ଜନନାୟକର ତ୍ୟାଗ ପ୍ରତି ଉପହାସ ଓ ଚରମ ପ୍ରତାରଣା କୁହାଯାଇପାରେ ।


ମୋ: ୯୪୩୭୦୧୫୬୮୧