ବେଆଇନ୍ ସର୍ଭେକୁ ବିରୋଧ କରି ଥାନା ଘେରାଉ
ଛେଣ୍ଡିପଦା : ଜିଏମଡିସି କମ୍ପାନୀର ମନମୁଖୀ ଓ ଖାମଖିଆଲି କାର୍ଯ୍ୟ ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ପୁଲିସ ପ୍ରଶାସନର ନୀରବଦ୍ରଷ୍ଟା ସାଜିଛି । ଯାହାକୁ ବିରୋଧ କରି କ୍ଷତିଗ୍ରସ୍ତ ଗ୍ରାମବାସୀ ପକ୍ଷରୁ ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଘେରାଉ କରାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ପ୍ରକାଶ ଯେ, ଜିଏମଡିସି କୋଇଲା ଖନନ କରିବା ପାଇଁ ଛେଣ୍ଡିପଦା ଅଞ୍ଚଳର ଜମି ଘରଡିହ ଅଧିଗ୍ରହଣ କରିବା ପାଇଁ ଯୋଜନା କରି ସର୍ଭେ କରୁଛି । ତେବେ ଗ୍ରାମବାସୀମାନଙ୍କ ସହିତ କମ୍ପାନୀ କର୍ତ୍ତୃପକ୍ଷ ଆଲୋଚନା କରି ସମସ୍ୟାକୁ ସମାଧାନ କରି କମ୍ପାନୀ ତାର ସର୍ଭେ କାମ କରୁ ବୋଲି ଗ୍ରାମବାସୀମାନେ ଚାହୁଁଛନ୍ତି । କିନ୍ତୁ କମ୍ପାନୀ କର୍ତ୍ତୃପକ୍ଷ ଆଲୋଚନା କରି ସମସ୍ୟା ଦୂର କରିବାକୁ ଚେଷ୍ଟା କରୁ ନ ଥିବା ବେଳେ ନେତା ଓ ସରକାରୀ ବେସରକାରୀ ଦଲାଲ୍ମାନଙ୍କୁ ଧରି ସର୍ଭେ କରୁଥିବା ବେଳେ ପୁଣି ଡ୍ରୋନ କ୍ୟାମେରାକୁ ଛେଣ୍ଡିପଦା ଥାନା ପାଖରୁ ଉଡ଼ାଇ ଉପରେ ସର୍ଭେ କରୁଥିବା ଲୋକ ଜାଣିବାକୁ ପାଇଲେ । ଯାହାଫଳରେ ଶହ ଶହ ଗ୍ରାମବାସୀ ଥାନାରେ ପହଂଚି ଥାନାକୁ ଘେରାଉ କରିଥିଲେ । କୋଇଲା କମ୍ପାନୀ ଜଣଙ୍କ ବେଆଇନ ଭାବେ ଡ୍ରୋନ କ୍ୟାମେରା ମାଧ୍ୟମରେ ସର୍ଭେ କାମ ଆରମ୍ଭ କରୁଥିବାବେଳେ ପୁଲିସ ସାହାଯ୍ୟ କରୁଥିବାରୁ ଏହାର ପ୍ରତିବାଦରେ ଆମେ ଥାନା ଘେରାଉ କରିଛୁ ବୋଲି କ୍ଷତିଗ୍ରସ୍ତ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ତେବେ କଂପାନୀ କର୍ତ୍ତୃପକ୍ଷ ଗ୍ରାମବାସୀମାନଙ୍କ ବିନା ଅନୁମତିରେ ସର୍ଭେ କାମ ଆରମ୍ଭ କରିବେ ନାହିଁ ବୋଲି ପ୍ରତିଶ୍ରୁତି ଦେଲା ପରେ ଆନେ୍ଦାଳନ ବନ୍ଦ ହୋଇଥିବା ପୋଲିସ ପକ୍ଷରୁ କୁହାଯାଇଛି । ଏ ବିଷୟରେ ଜିଏମଡିସି କମ୍ପାନୀ କର୍ତ୍ତୃପକ୍ଷଙ୍କ ମତାମତ ନେବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ମତାମତ ଦେବା ପାଇଁ ମନା କରି ଦେଇଥିଲେ ।